ଅଭିଶପ୍ତ

 

 

 

 

 

 

 

 

 

ଅଭିଶପ୍ତ

ଶ୍ରୀ ଉମେଶଚନ୍ଦ୍ର ପାଣିଗ୍ରାହୀ

 

ଆତ୍ମ ପରିଚୟ

 

ଆଜି ‘ଅଭିଶପ୍ତ’ କୌଣସି ପ୍ରକାର ଗୋଟିଏ ରୂପଧରି ପ୍ରକାଶ ପାଉଛି । ଓଡ଼ିଆ ସାହିତ୍ୟର ଧନଭଣ୍ଡାର ପୂର୍ଣ୍ଣ କରିବାକୁ ଏହାର ରଚନାରେ ଯେ ମୁଁ ପ୍ରୟାସୀ ହୋଇଛି, ଏହା ଯେପରି କେହି ନ ଭାବନ୍ତି । ଯାଯାବର ଜୀବନ ଭିତରେ ନାନା ପ୍ରକାର ପରିସ୍ଥିତି ମଧ୍ୟ ଦେଇ ମୋତେ ଯିବାକୁ ପଡ଼େ । ସେହି ପରିସ୍ଥିତିର ଘୂର୍ଣ୍ଣିପାକରେ ପଡ଼ି ଯେଉଁ ଚିନ୍ତାଧାରା ମୋତେ ସ୍ପର୍ଶ କରିଛି—ତାହାରି ଫଳ ଆଜି ଗଳ୍ପାକାରରେ ଏହି ବହି ଖଣ୍ଡିକରେ ସଂଗୃହୀତ ହୋଇଛି । ଏହି କାହାଣୀ ଭିତରେ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ବିଶେଷର ଚିତ୍ର ନାହିଁ । କାହାଣୀଗୁଡ଼ିକ ମୋର ଏକାନ୍ତ କଳ୍ପନା ପ୍ରସୂତ । ସୁତରାଂ ଏଥି ମଧ୍ୟରେ କେହି ଯେପରି ନିଜର ଛାୟା ନ ଦେଖନ୍ତି–ଆଗ ହୁଁ ସାବଧାନ !

 

ମୋର ବିଶ୍ୱାସ ଏହି ଗଳ୍ପଗୁଡ଼ିକ ପୁସ୍ତକର ଆତ୍ମ-ପରିଚୟ ଦେବ ।

 

ବଡ଼ମୂଳ କେମ୍ପ, ‘‘ସାତକୋଣିଆ’’

 

ଦଶପଲ୍ଲା, ୧୨, ଡିସେମ୍ବର. ୧୯୪୩

ଗ୍ରନ୍ଥକାର

Image

 

ଦ୍ୱିତୀୟ ସଂସ୍କରଣ

 

ପ୍ରଥମ ସଂସ୍କରଣ ଶେଷ ହେବାର ଚାରିବର୍ଷ ପରେ ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେଲା-। ଏହି ଗଳ୍ପଗୁଡ଼ିକ ସବୁ ମୋର ପ୍ରଥମ ଜୀବନର ଲେଖା । ସୁତରାଂ ଏହି ସଂସ୍କରଣରେ କେଉଁଠି କେମିତି ଟିକିଏ କଲମ ଚଳାଇବାକୁ ପଡ଼ିଛି । ଅଭିଶପ୍ତର ଦ୍ୱିତୀୟ ସଂସ୍କରଣ, ପ୍ରଥମ ସଂସ୍କରଣ ପରି ପ୍ରିୟ ପାଠକ ପାଠିକାମାନଙ୍କଦ୍ୱାରା ଆଦୃତ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

 

ଗ୍ରନ୍ଥକାର

Image

 

ସର୍ବହରାର କର୍ତ୍ତବ୍ୟ

 

ଗଭୀର ରାତ୍ରି !

 

ଗୋଟିଏ ପତ୍ର କୁଡ଼ିଆ ଭିତରେ କୁଟା ଶେଯ ଉପରେ ଦୁଖିଆ ସୁଖଶୁପ୍ତ । ପତ୍ର କୁଡ଼ିଆର ସାମନାରେ ବଡ଼ ବଡ଼ ଦି’ଟା କାଠ ମୁଣ୍ଡାରେ ବେଶ୍‌ ଧୁନୀଟିଏ ହୋଇଛି—କେତେବେଳେ କେମିତି ଟିକିଏ ପବନ ବାଜି ଦପ୍‌ କରି ଜଳି ଉଠି ପୁଣି ମଉଳି ଯାଉଛି ମଗୁଶୀର ମାସର ଜାଡ଼ରେ-। ଦୁଖିଆର ମୁଣ୍ଡ ଆଡ଼କୁ ବାଉଁଶର ବଡ଼ ଧନୁଟାଏ, ଆଉ ତା ପାଖକୁ ଲାଗି କେଇଟା ଚିଆଳ କାଣ୍ଡ-। କୁଟା ଶେଯ ପାଖକୁ ଲାଗି ତା ସାଥୀରେ ଶୋଇଛି ଗୋଟିଏ ବଡ଼ ବାଉଁଶ ଠେଙ୍ଗା । କୁଡ଼ିଆ ସାମନାରୁ ନଦୀକୂଳ ଯାଏ ପାଚିଲା ଧାନ ଖେତ । ବହୁଦୂରରେ ଲୋକାଳୟରେ ତା’ର ଖାଉନ୍ଦର ଘରଟି ଜହ୍ନ ଆଲୁଅରେ ଅସ୍ପଷ୍ଟ ହୋଇ ଦେଖାଯାଉଥାଏ ଧୋବଧାଉଳିଆ ହୋଇ । ଧାନଖେତର ଚାରିପାଖରେ ଛାୟା ପରି ଅସ୍ପଷ୍ଟ ହୋଇ ଫୁଟି ଉଠୁଥାଏ ଘନବନର ଶ୍ୟାମଳିମା । ସେଇ ନିର୍ଜ୍ଜନ ଘନବନ ଭିତରୁ ବିଲୁଆଦଳ ବେଳେ ବେଳେ ‘ହୁକେ-ହୋ’ କରି ବୋବାଳି ଛାଡ଼ି ଜଣାଇ ଦିଅନ୍ତି—ପରବର୍ତ୍ତୀ ପ୍ରହରର ଆଗମନ ବାର୍ତ୍ତା । କେତେବେଳେ କେମିତି ଉନ୍ମକ୍ତ ଜ୍ୟୋତ୍ସ୍ନାବିଧୌତ ନୀଳ ଆକାଶର ବକ୍ଷ ଉପରେ ଉଡ଼ି ଯାଆନ୍ତି ନିଶାଚର ପକ୍ଷୀଗଣ ଡେଣା ହଲାଇ-। ଦୁଖିଆ ଉଦ୍‌ବିଘ୍ନ ହୋଇ ତା’ର କୁଟା-ଶେଯ ଉପରୁ ଉଠିବସେ ଠେଙ୍ଗାଟାକୁ ଧରି । ନିଆଁ ମୁଣ୍ଡା ଉପରେ ଛୋଟ ଛୋଟ କାଠିକୁଟା ଦି’ଟା ପକାଇ ଫୁ ଫୁ କରି ଦି’ଥର ଫୁଙ୍କିଦିଏ । ଟିକିଏ ମୋଡ଼ି ଭିଡ଼ି ହୋଇ ଠେଙ୍ଗା ଧରି ବାହାରି ପଡ଼େ କୁଡ଼ିଆ ସ।ମନାକୁ । ପଥର ଚଟାଣଟା ଉପରେ ଠେଙ୍ଗାଟା ଦି’ଥର ବାଡ଼େଇ ଦେଇ ‘ହେଇରେ ହେଇ, ଗଲା-ଗଲା ବୋଲି ଦି ଥର କୁହାଟି ଦିଏ–ଆଉ ଦଣ୍ଡେ ଘଡ଼ିଏ ନଦୀକୂଳ ବ୍ୟାପି ପାଚିଲା ଧାନଖେତ ଉପରେ ତା’ର ନିର୍ନିମେଷ ଦୃଷ୍ଟି ବୁଲାଇ ଆଣେ ।

 

ଏହିପରି ଭାବରେ କଟିଯାଏ ତା’ର ଶୀତଦିନିଆ କେତେ ନିଃସଙ୍ଗ ରଜନୀ । ଆଜି ମଧ୍ୟ ସେ ତା’ର ନିତିଦିନିଆ କର୍ତ୍ତବ୍ୟ ‘ଖେତ ପହରା’ରେ ନିଯୁକ୍ତ । ଘଡ଼ିଏ ଦି’ଘଡ଼ି ଛାଡ଼ିଦେଲେ ଦେଖାଯାଏ ସେ ତା’ର ଠେଙ୍ଗାଟା ଧରି ବସିଥାଏ ନିଆଁ ମୁଣ୍ଡା ପାଖରେ ହାତ ପାପୁଲି ଦି’ଟା ନିଆଁ ଆଡ଼କୁ ଦେଖାଇ ଦେଇ । ତା’ର ସ୍ମୃତିର ପରଦା ଉପରେ ଭାସିଯାଏ—ଅତୀତର କେତେ ବର୍ଷର ଦୁଃସହ ଜୀବନ-ଚିତ୍ର, ଗୋଟିଏ ପରେ ଗୋଟିଏ ହୋଇ ଚଳଚିତ୍ର ପରି—ଏଇ କେଇ ପହର ସମୟ ଭିତରେ ।

 

ଅନେକ ଦିନ ଆଗର କଥା । ଦୁଖିଆ ସେତେବେଳେ ଲୁଗା ପିନ୍ଧି ଜାଣି ନ ଥାଏ । ଅକସ୍ମାତ୍‌ ଏକ ଧାରା ଶ୍ରାବଣର ରାତିରେ ବ୍ରାହ୍ମଣୀ ନଦୀ ପାଗଳ ପରି ଛୁଟି ଚାଲିଲା ଗାଁ ଭିତରେ ପଶି । ସୁଖଶପ୍ତ ଗ୍ରାମଖଣ୍ଡିକ ମୁହୂର୍ତ୍ତକ ମଧ୍ୟରେ ହାହାକାରମୟ ହୋଇଉଠିଲା । ସେତେବେଳକୁ ଆଉ ଉପାୟ ନାହିଁ—ଗାଁ ଚାରିପାଖରେ ପାଣିମାଡ଼ି ଯାଇଛି । ଦୁଖିଆର ବାପ ଓ ମା’ ଦୁଖିଆକୁ ଧରି ଘର ଚାଳ ଉପରେ ଯାଇ ବସିଲେ–ବର୍ଷାର ପ୍ରବଳ ଧାରାପାତ ମଧ୍ୟରେ । କ୍ରମେ ପାଣିର ଉଚ୍ଚତା ଓ ସ୍ରୋତର ବେଗ ବଢ଼ି ଚାଲିଥାଏ । ଗାଁଟା ଯାକ ଖାଲି ‘ହରି ହେ ରକ୍ଷା କର’ ଆଉ କ୍ରନ୍ଦନ ଧ୍ୱନିରେ ଉଛୁଳି ପଡ଼ୁଥାଏ । ପ୍ରଭାତର ଆଲୋକ ଫୁଟି ନ ଦିଶୁଣୁ ଦୁଖିଆ ଘରର ଦୁର୍ବଳ ମାଟିକାନ୍ଥ କେଇଟି ପ୍ରାଣର ଆଶା ଭରସା କ୍ଷୁଦ୍ର ଚାଳଟିକୁ ସ୍ରୋତମୁଖରେ ଭସାଇଦେଇ ପାଣି ଭିତରେ ମିଳାଇ ଖସି ପଡ଼ିଲା । ଦୁଖିଆର ବାପ ତାକୁ ତା’ ମା’ କୋଳରୁ ନେଇ ନିଜ ଛାତି ଭିତରେ ଯାକି ଧରି ହାୟ ହାୟ କରି ଉଠିଲା । ଏ ଭୟଙ୍କର ଦୃଶ୍ୟ ଓ ପ୍ରବଳ ବାରିପାତର ଧକ୍କା ଦୁଖିଆର ମା’ ସହ୍ୟ କରିପାରିଲା ନାହିଁ । ହୃତ୍‌ପିଣ୍ଡ କ୍ରିୟା ହଠାତ୍‌ ବନ୍ଦ ହୋଇଗଲା ତା’ର—ସେ ମାଟି ପିତୁଳା ପରି ଚାଳଉପରୁ ଖସିପଡ଼ି ପ୍ରବଳ ବାରିସ୍ରୋତ ମଧ୍ୟରେ ଲୁଚିଗଲା । ଦୁଖିଆର ବାପ କାଠପାଲଟି ବସି ରହିଲା–ଦୁଖିଆକୁ ଆହୁରି ଜୋରରେ ଭିଡ଼ିଧରି । ସେଇଦିନ ରାତିରେ ଚାଳଟି ଗୋଟିଏ ଗଛରେ ଲାଗି ଭାସି ଭାସି କୂଳରେ ଲାଗିଲା । ବାପ ତା’ର ଆଖିରୁ ଲୁହ ପୋଛି ଦୁଃଖିଆକୁ ଧରି ନିକଟସ୍ଥ ଗାଁକୁ ଯାଇ ତୋରାଣୀ ଟିକିଏ ମାଗି ଦୁଃଖିଆକୁ ପିଆଇଲା । ଦି’ଟା ପ୍ରାଣ ବଞ୍ଚିଗଲା ।

 

ଯେତେବେଳେ ଦୁଖିଆର ବାପ ଆପଣା ଗାଁ’କୁ ଫେରି କୁଡ଼ିଆ ତିଆରି ଦୁଖିଆକୁ ଘେନି ତା’ର ସଂସାର ତିଆରି କଲା—ସେତେବେଳେ ସେ କାନ୍ଦି କାନ୍ଦି ଦୁଖିଆକୁ ଛାତି ଭିତରେ ଭିଡ଼ିଧରି କହିଥିଲା, ମୁଁ ଅଛିରେ ତୋର ମୁଁ ଅଛି । ମୁଁ ଯେ ତୋର ବାପ ଆଉ ମା’ ! ବଞ୍ଚିଥିଲେ ଭିକମାଗି ମଧ୍ୟ ତୋତେ ମଣିଷ କରିବି । ଦୁହିଁଙ୍କ ଆଖିର ପାଣି ଝରି ପଡ଼ିଥିଲା ଝର ଝର ହୋଇ ।

 

ଏହିପରି ଭାବରେ କଟିଯାଏ ଦିନପରେ ଦିନ, ବର୍ଷ ପରେ ବର୍ଷ ସୁଖ ଦୁଃଖର ଭିତର ଦେଇ । ସ୍ମୃତିଗୁଡ଼ିକ ମଧ୍ୟ ମଉଳି ଆସେ ଟିକିଏ ଟିକିଏ କରି ।

 

ସେଇ ମାତୃହରା ଶିଶୁଟି ଆଜି ପିତାର ଆଦର ଯତ୍ନ ଓ ସ୍ନେହ ପାଇ ବଡ଼ ହୋଇ ଉଠିଛି–ସେ ଆଜି ଯୁବକ । ଯୌବନ ସାଗରର ଉଦ୍ଦାମ ତରଙ୍ଗ ଆଜି ତା’ର ବୁକୁ ଭିତରେ ବୋହି ଚାଲିଛି, କିନ୍ତୁ ତେବେ ମଧ୍ୟ ଯୌବନର ଶତ ଆନନ୍ଦର କଳ କୋଳାହଳ ମଧ୍ୟରେ ଯେପରି ତା’ର ସ୍ୱର୍ଗୀୟ ମା’ର ସ୍ମୃତିଗୁଡ଼ିକ ଜାଗି ଉଠେ ମୁହୂର୍ତ୍ତକ ପାଇଁ– ତା’ର ଚିନ୍ତାଧାରାରେ । ଟିକିଏ ଦୁଖର ଆଘାତରେ ତା’ର ପ୍ରାଣ ବ୍ୟଥିତ ହୋଇ ଉଠେ –ସେ ଛୁଟି ଯିବାକୁ ଚାହେଁ ତା’ର ମା’ର ସ୍ନେହମୟ କୋଳରେ ଟିକିଏ ସାନ୍ତ୍ୱନା ପାଇବାକୁ ।

 

ରାତିରେ ସେ ସେଇ ପତ୍ରକୁଡ଼ିଆଟି ଭିତରେ ସ୍ୱପ୍ନ ଦେଖେ—ସେ ଯେପରି ଚାଲିଯାଇଛି ଏକ ନୂତନ ଅଜଣା ଦେଶକୁ—ତା’ର ମାଆର ସନ୍ଧାନ ପାଇଁ । ଚାଲିଛି ସେ ଏକମୁହାଁ ହୋଇ କେତେଦୂର ପଥ ଅତିକ୍ରମ କରି । କେଡ଼େ ସୁନ୍ଦର ସେଇ ଦେଶଟା, କେଡ଼େ ମଧୁର ତା’ର ସୌନ୍ଦର୍ଯ୍ୟ । କିନ୍ତୁ ସେଠାରେ ଜନମାନବର ଦର୍ଶନ ନାହିଁ । କେବଳ ସେ ଏକାକୀ ଚାଲିଛି ଏକ ଅସୀମ ପଥରେ । ପଥ ମଧ୍ୟରେ ଯେପରି ହଠାତ୍‌ କେହି ଆସି ଦଣ୍ଡାୟମାନ ହୁଏ ତା’ର ସମ୍ମୁଖରେ-। ସେ ପଚାରି ବୁଝେ, ଯେ ସେ ହେଉଛନ୍ତି ସେଇ ଦେଶର ଦେବତା—ହର୍ତ୍ତାକର୍ତ୍ତା !

 

ଦୁଖିଆ କାନ୍ଦି ପକାଇ କହେ, ହେ ଦେବତା, ମୋ ମା’କୁ ଥରେ ବୋଲି ଦେଖାଇ ଦିଅ । ମା’ର ସନ୍ତାନ ହୋଇ ମଧ୍ୟ ମା’କୁ ମୁଁ ଚିହ୍ନିପାରିଲି ନାହିଁ । କେବଳ ଥରେ ମାତ୍ର... । ତୁମେ ଏଡ଼େ ନିଷ୍ଠୁର କାହିଁକି ? କେତେଦୂରରୁ ମୁଁ ଧାଇଁ ଆସିଛି କେବଳ ଥରେମାତ୍ର ମୋ ମା’କୁ ଦେଖିବି ବୋଲି-। ଶରୀର ମୋର ଶ୍ରାନ୍ତକ୍ଳାନ୍ତ ! ଥରେ ବୋଲି ଦେଖାଇଦିଅ ମା’କୁ ମୋର—ମୋ ମା’ କୋଳରେ ଥରେ ବୋଲି ବସିବାକୁ ଦିଅ ଦେବତା !

 

ଦେବତା କଣ୍ଠରୁ ବଜ୍ରଗମ୍ଭୀର-ସ୍ୱରରେ ଉତ୍ତର ଆସେ, ‘‘ନାହିଁ, ନାହିଁ ସେ କଥା ହୋଇପାରିବ ନାହିଁ, ବାବୁ ! ତମ ପାଇଁ ଏ ରାଜ୍ୟ ନୁହେଁ ।’’ ଦୁଖିଆ କାନ୍ଦି କାନ୍ଦି ଦେବତାର ଗୋଡ଼ ତଳେ ପଡ଼ିଯାଇ କହେ, ଜାଣେ, ଜାଣେ ଦେବତା—ସବୁଜାଣେ ! ତେବେ କୁହଭଲା, କାହିଁକି ମୋର ମାଆକୁ ତମେ ନେଇ ଆସିଲ ? ଯଦି ତମର ଆଇନରେ ଏଇଆ ଥିଲା, ତେବେ ମୋତେ ସେତେବେଳେ ବଡ଼ କଲ ନାହିଁ କାହିଁକି ? ଆଜି ତାହା ହେଲେ କାହିଁକି ମା’ର ସ୍ନେହ ଆଦରର ସ୍ମୃତିଗୁଡ଼ିକ ମୋର ଆଖି ଆଗରେ ନଚାଉଛ ?

 

ପହରିକିଆ ବିଲୁଆ ‘ହୁକେ-ହୋ’ କରି ଡାକି ଉଠେ । ସହସା ନିଦ ତା’ର ଭାଙ୍ଗିଯାଏ । ସେ ‘ହୁସ୍‌’ କରି ଠେଙ୍ଗାଟା ଦେହରେ ହାତ ପକାଏ । ଆଖି ଦି’ଟା ମଳି ମଳି କୁଡ଼ିଆ ଦୁଆର ମୁହଁର ନିଆଁମୁଣ୍ଡାଟାକୁ ଦି’ଥର ଫୁଙ୍କିଦେଇ, ହାତଦି’ଟା ଦେଖାଇ ବସିଯାଏ । ସ୍ୱପ୍ନର ନିଶା ସେତେବେଳେ ସୁଦ୍ଧା ତାହାର କଟି ନ ଥାଏ । ଅତୀତ-ଭବିଷ୍ୟ ସବୁ କଥା ମନେ ପଡ଼ି ମନଟା ତା’ର ବିଦ୍ରୋହୀ ହୋଇ ଉଠେ ।

 

ତା’ପରେ—

 

ସେଥର ହେଲା ଏକ ଭୀଷଣ ତୋଫାନ ଆଉ ବନ୍ୟା । ତା’ରି ଫଳରେ କେତେ ଘରଦ୍ୱାର ଯେ ଭାଙ୍ଗି ନଷ୍ଟ ହୋଇଗଲା—କେତେ ଲୋକ ଆଉ କେତେ ଗୃହପାଳିତ ପଶୁ ଯେ ଚିରଦିନ ପାଇଁ ପୃଥିବୀ ପୃଷ୍ଠରୁ ଲିଭିଗଲେ ତା’ର କଳନା ନାହିଁ । ଚତୁର୍ଦ୍ଦିଗରେ କେବଳ ହାହାକାର ଧ୍ୱନି । ଖାଦ୍ୟସାମଗ୍ରୀ ଯାହା ଥିଲା ସବୁ ବତାସ ଆଉ ବନ୍ୟାର ଦାଉରେ ନଷ୍ଟ ହୋଇଯାଇଛି । ଜନସେବା ଅନୁଷ୍ଠାନମାନଙ୍କର ସାହାଯ୍ୟରୁ କେହି ବା ଓଳିଏ ଖାଇବାକୁ ପାଉଛି, ପୁଣି କାହାର ଭାଗ୍ୟରେ ତା ବି ଜୁଟୁ ନାହିଁ । ସେତେବେଳେ ନିଜର ସଂସାରର କଥା ଭୁଲିଗଲେ ସଭିଏଁ–କେବଳ ଆପଣାକୁ ନେଇ ସଭିଏଁ ବ୍ୟସ୍ତ । ସମୟ ସେତେବେଳେ ଛୁଟି ଚାଲିଥାଏ—ଅସଂଖ୍ୟ ନରନାରୀଙ୍କର ଆର୍ତ୍ତନାଦ ଆଉ ଅଭିଶାପ ବୁକୁରେ ଧରି ମହାକାଳର ସ୍ରୋତ ମୁଖରେ ।

 

ନୀରବ ନିଶୀଥ ଅନ୍ତେ ପ୍ରଭାତର ଆଲୋକ ସ୍ପର୍ଶରେ ବାପପୁଅ ଦି’ଜଣ ଦି’ ଆଡ଼କୁ ବାହାରି ପଡ଼ନ୍ତି ମଜୁରୀ ପାଇଁ—କେହି ବଦାନ୍ୟ ପୁଞ୍ଜିପତି କୌଣସି କାମ ତାଙ୍କଠୁଁ କରାଇ ଯଦି କିଛି ଦିଅନ୍ତି, ତାଙ୍କର ଅକ୍ଳାନ୍ତ ହାଡ଼ଭଙ୍ଗା ଖାଟଣୀର ବିନିମୟରେ ! କିନ୍ତୁ ହାୟ, ବୃଥା ହୋଇଯାଏ ସମସ୍ତ ଶ୍ରମ ତାଙ୍କର ! ତାଙ୍କର କଳ୍ପନା ମନ ଭିତରେ ହିଁ ମିଳାଇ ଯାଏ ! ସେମାନେ ଯେ ସର୍ବହରା ! ତାଙ୍କଠୁଁ କାମ ନେବ କିଏ ?

 

ଆପଣା ଜୀବନର ମାୟା ନିକଟରେ, କର୍ତ୍ତବ୍ୟର ମୂଲ୍ୟ ଯେ କେତେ ଟିକିଏ ଭାବି ଠିକ୍‌ କରା ଦାୟ !

 

ଏକ ଅନ୍ଧକାର ରାତ୍ରିରେ ଦୁଖିଆ ତା’ର ସ୍ନେହମୟ ପିତାକୁ ଏକାକୀ ନିଃସହାୟରୂପେ ଛାଡ଼ି କର୍ତ୍ତବ୍ୟର ସମସ୍ତ ବନ୍ଧନ ଛିନ୍ନ କରି ଚାଲିଗଲା ଦୂରକୁ–ଅନ୍ୟ ଏକ ଗ୍ରାମକୁ । ସେହିଗାଆଁର ଗଉନ୍ତିଆ ଘରେ କେବଳ ଖାଇବା ପିନ୍ଧିବାର ବିନିମୟରେ ଏକ ବନ୍ଧା ମୂଲିଆର କାମ ପାଇଲା–ଠିକ୍‌ ଆଫ୍ରିକାର କ୍ରୀତଦାସ ପରି ।

 

ସେଇଦିନୁ ଶୀତଦିନର ସମସ୍ତ ରାତି ଧାନଖେତ ଜଗିବା ତା’ର ପ୍ରଧାନ ଧର୍ମ ହୋଇଉଠିଲା । ସେଥର ଧାନ ଫସଲ ଭଲ ହୋଇଥାଏ, ଆଉ ଖେତ ମଝିରୁ ଧାନ ବି ଚୋରି ହେଉଥାଏ ଖୁବ୍‌ । ସେଥିପାଇଁ ଗଉନ୍ତିଆଙ୍କର ତାକିଦ୍‌ ଥାଏ ଯେ ଯଦି ତାଙ୍କ ଖେତରୁ ଧାନ ଚୋରି ଯାଏ ତାହା ହେଲେ ଦୁଖିଆର ପିଠି ଜାଣିବ କି ତାଙ୍କର ବେତ ଜାଣିବ ।

 

ପତ୍ରକୁଡ଼ିଆଟି ଭିତରେ ଶୋଇ ଶୋଇ ତା’ର ପୂର୍ବ ଘଟଣାଗୁଡ଼ିକ ଗୋଟିଏ ଗୋଟିଏ କରି ତା’ର ମନ ଆଗରେ ଖେଳିଉଠେ । କ୍ଷୋଭ, ଅଭିମାନ ଆଉ ଘୃଣାରେ ସେ ନିଜେ ନିଜେ କାନ୍ଦିଉଠେ । ମନେ ପଡ଼ିଯାଏ ତା’ର କ୍ଷୁଧାର୍ତ୍ତ ଶୋକାତୁର, ଅସହାୟ ପିତାକୁ । କେତେ ନିଃସହାୟଭାବରେ ସେ ତାକୁ ଛାଡ଼ି ଆସିଛି,—ଯେ ଦିନେ ତା’କୁ ଜୀବନ ସଂଗ୍ରାମ ଭିତର ଦେଇ ବଞ୍ଚାଇ ମଣିଷ କରି ଆଣିଥିଲା । ଆଜି ସେ ଯୁବକ ପୁଣି କର୍ତ୍ତବ୍ୟ ନିକଟରେ ନିଜର ଜୀବନକୁ ବଡ଼ କରି ଦେଖିଛି ।

 

ଏହି ସବୁ ତିକ୍ତ ଚିନ୍ତାରେ ତା’ର ନିଦ ହୁଏ ନାହିଁ । ରାତ୍ରିରେ ଗଭୀର ଅନ୍ଧକାର ମଧ୍ୟରେ ଯେତେବେଳେ ସମସ୍ତେ ନିଦ୍ରିତ, ଦୁଖିଆ ସେତେବେଳେ ଗ୍ରାମ ପ୍ରାନ୍ତରର ପତ୍ର କୁଡ଼ିଆ ଭିତରେ କୁଟା-ଶେଯ ଉପରେ ଭୂତ-ଭବିଷ୍ୟତ-ବର୍ତ୍ତମାନ ଚିନ୍ତାରେ ମଗ୍ନ । ନିଦ ଭିତରେ ମଧ୍ୟ ସେ ଶାନ୍ତି ପାଏନାହିଁ—ତାହାରି ଭିତରେ ମଧ୍ୟ ସେ ଦେଖେ ସେହି... ।

 

ସେତେବେଳେ ଦଶମୀର ଜହ୍ନ ବୁଡ଼ି ଯାଇଥାଏ । ଧୀରେ ଧୀରେ ଅନ୍ଧକାର ଘନେଇ ଆସୁଥାଏ । ହଠାତ୍‌ ଦୂରରେ ଲକ୍ଷ୍ୟ ପଡ଼େ ତା’ର—ଦେଖେ, ସେଇ ଛାପି ଛାପି କିଆ ଅନ୍ଧାର ଭିତରେ ଦିଓଟି ଅସ୍ପଷ୍ଟ ଛାୟା ଧାନ ଖେତ ଭିତରେ ଧୀରେ ଧୀରେ ଦୂରକୁ ଚାଲି ଯାଉଛନ୍ତି । ଅପଲକ ଦୃଷ୍ଟିରେ ସେ ଚାହିଁ ରହେ ତାଙ୍କରି ଆଡ଼କୁ—ଲକ୍ଷ୍ୟ କରେ ତାଙ୍କର ଗତିବିଧିକୁ । ପ୍ରଥମେ ଭାବେ, କେହି ହୁଏତ ଆଗ ଗାଁକୁ ଯାଉଛନ୍ତି ବିଲ ଗହୀର ରାସ୍ତା ଦେଇ । କିନ୍ତୁ ସେ ଧାରଣା ତା’ର ଚାଲିଯାଏ, ଯେତେବେଳେ ସେ ଦେଖେ ସେଇ ଛାୟାମୂର୍ତ୍ତି ଦିଓଟି ଫୁସ୍‌ ଫାସ୍‌ କଥାବାର୍ତ୍ତା ହେଉଛନ୍ତି ଓ ଧାନକ୍ଷେତ ମଧ୍ୟରେ ସନ୍ଦେହଜନକ ଗତିବିଧି କରୁଛନ୍ତି । ପୁଣି କେତେବେଳେ କେମିତି ଖସ୍‌ ଖସ୍‌ ଶବ୍ଦ ଶୁଭୁଛି ।

 

କଥା କ’ଣ ? ଏହି ରହସ୍ୟମୟ ବ୍ୟାପାର ଦେଖିବା ପାଇଁ ଦୁଖିଆ ଠେଙ୍ଗାଟାକୁ ଶକ୍ତ କରି ହାତ ମୁଠା ଭିତରେ ଧରି କୁଡ଼ିଆ ଭିତରୁ ବାହାରି ଗୋଟାଏ ବିଲ ହିଡ଼ ତଳେ ବସିଗଲା । ଦେଖିଲା ସେହି ଛାୟା ମୂର୍ତ୍ତି ଦିଓଟି କ୍ରମେ କ୍ରମେ ତାହାରି ଆଡ଼କୁ ଅଗ୍ରସର ହେଉଛନ୍ତି, ଆଉ ମଝିରେ ପାଚିଲା ଧାନଶୀଷଗୁଡ଼ିକ କାଟି ବୋଝ ଭିତରେ ଭର୍ତ୍ତି କରୁଛନ୍ତି । ଦୁଖିଆର ଆଉ ବସି ରହିବାର ଧୈର୍ଯ୍ୟ ରହିଲା ନାହିଁ—ଠେଙ୍ଗାଟା ମୁଣ୍ଡ ଉପରକୁ ଉଠାଇ ଧାଇଁ ଗଲା ସେମାନଙ୍କ ଆଡ଼କୁ । ମାତ୍ର ମଝିବାଟରେ ଧକ୍‌କା ଖାଇଲା ପରି ଚମକି ଛିଡ଼ା ହୋଇଗଲା—ମୁହଁରୁ ତାହାର ବାହାରି ଆସିଲା,—ଏଁ, ଏ ଯେ ମୋର ବାବା । ଦେହଟା ଯାକ ତା’ର ବରଡ଼ା ପତ୍ର ପରି ଥରି ଉଠେ,—ଠେଙ୍ଗାଟା ହାତରୁ ଖସି ପଡ଼େ ।

 

ଥରେ ଭାବେ—ଫେରିଯିବ ସେ । ନା, ତାହା ଯେ ହୋଇପାରିବନାହିଁ, ସେ ଯେ ତା’ର ମୁନିବର ଲୁଣ ଖାଇଛି । ଏପରି ବିଶ୍ୱାସଘାତକତା କରିବ କିପରି ? ଠେଙ୍ଗାଟା ଭୂଇଁ ଉପରୁ ଉଠାଇ ଶକ୍ତ କରି ପୁଣି ଧରେ, ଆଗକୁ ବଢ଼ି ଚାଲିଯାଏ–ସେମାନଙ୍କ ଆଗରେ ବାଟ ଆଗୁଳି ଛିଡ଼ାହୁଏ ।

 

ବାପ ପୁଅର ଦୃଷ୍ଟି କ୍ଷଣକ ପାଇଁ ଏକ ହୋଇଯାଏ—ଦିହିଙ୍କ ଆଖିରୁ ଲୁହ ଝରିପଡ଼େ ଶ୍ରାବଣର ଧାରା । କାହାରି ପାଟିରୁ କଥା ବାହାରେ ନାହିଁ—ନୀରବତାର ରାଜତ୍ୱ ବିରାଜ କରେ ।

 

ଦୁଖିଆର ବାପ ମୁଣ୍ଡର ବୋଝ ଆଉ ହାତର ଦାଆ ବିଲ ଭିତରକୁ ଫୋପାଡ଼ି ଦେଇ ଚିତ୍କାର କରି କାନ୍ଦି ଉଠେ– ଆଉ ଦୁଖିଆକୁ ତା’ର ଛାତି ଭିତରେ ଭିଡ଼ିଧରେ ଶିରାବହୁଳ କମ୍ପମାନ ଦୁର୍ବଳ ହାତ ଦୁଇଟିରେ । ଦୁଖିଆ ଉଚ୍ଛ୍ୱସିତ ହୋଇ କାନ୍ଦି ଉଠେ— ବାବା !—

 

……ହଁ, ହଁ, – ମୁହିଁରେ, ତୋର ବାପ ମୁଁ । ଚୋରି କରିବାକୁ ଆସିଥିଲି–ନିଜର କାଙ୍ଗାଳ ପେଟ ପାଇଁ ଦି’ମୁଠା ଯୋଗାଡ଼ କରିବାକୁ—ଧରା ପଡ଼ିଛି ପୁଣି ନିଜର ପୁଅ ପାଖରେ । ଅପମାନଠାରୁ ମୋର ଆନନ୍ଦ ବେଶୀରେ ଆଜି ! ହରାନିଧିକୁ ପୁଣି ଯେ ମୋର ଛାତି ଭିତରେ ଫେରି ପାଇଛି । ଚାଲ, ଚାଲ ବାବା—ଆମକୁ ନେଇ ଚାଲ୍‌ ତୋର ଖାଉନ୍ଦ ପାଖକୁ, ଚୋର ବୋଲି ପୋଲିଶ ହାତରେ ଧରାଇ ଦେ... ! ପାପର ପ୍ରାୟଶ୍ଚିତ ହେବ ସେଇ ଜେଲ ଭିତରେ—ଦୁଇଓଳି ଦୁଇମୁଠା ଖାଇବାକୁ ପାଇବୁଁ—ତୋର କର୍ତ୍ତବ୍ୟ ମଧ୍ୟ ଶେଷ ହେବ ସେଇଠି... ! ଚାଲ, ଚାଲ ବାବା... ! ବୁଢ଼ା ଆଉ କହିପାରେ ନାହିଁ; ଥରି ଥରି ବସି ପଡ଼େ ବିଲର ସେଇ କାକର ଭିଜା ହିଡ଼ ଉପରେ । ଦୁଖିଆର ଠେଙ୍ଗା ଖଣ୍ଡିକ ମଧ୍ୟ ଥରି ଥରି ଖସି ପଡ଼େ ତାହାରି ପାଖରେ ।

 

ଦୁଖିଆ ନିବାକ୍‌ ନିସ୍ପନ୍ଦ ହୋଇ ଛିଡ଼ା ହୋଇ ରହେ—ଉପରକୁ ଚାହିଁ । ଆଖି ବୁଜି ପୁଣି ଥରେ ଦେଖିଯାଏ ତା’ର ଅତୀତ ଜୀବନର ଘଟଣାବଳି ।

 

ଏତିକିବେଳେ ପହରିକିଆ ବିଲୁଆ ପୁଣି ବୋବାଳି ଛାଡ଼େ ‘‘ହୁକେ–ହୋ, ହୁକେ–ହୋ...-!’’

Image

 

ଝରାଫୁଲ

 

ଠିକ୍‌ ପାହାଡ଼ ତଳରେ, ଶ୍ୟାମଳ ବନାନୀର ଅନ୍ତରାଳରେ—ଯକ୍ଷ୍ମା ହାସ୍‌ପାତାଳ ‘ଇଟ୍‌କି ସେନିଟୋରିୟମ୍‌ ।’ ବିହାର ଓଡ଼ିଶା ସରକାର ବହୁତ ଭାବିଚିନ୍ତି ସଭ୍ୟ ଜଗତର ଅନ୍ତରାଳରେ ଏହି ଓରାଂ ଓ ମୁଣ୍ଡାଙ୍କ ଦେଶରେ ତାଙ୍କର ଦାନ ଟିକକ ଦେଇଛନ୍ତି—ରୋଗ ଜଗତର ଚରମ ଶାସ୍ତିରେ ପ୍ରପୀଡ଼ିତ ନିରୀହ ପ୍ରାଣ ନିମନ୍ତେ । ଚାରି ପାଖରେ ବଣ—ଆଉ ପାହାଡ଼, କେବଳ ପ୍ରକୃତିର ବିଚିତ୍ର ଶ୍ୟାମଳିମାରେ ଶ୍ୟାମଳାୟମାନ । ପାଖରେ ଇଉକ୍ୟାଲିପ୍‌ଟାସ୍‌ ଗଛ ଉପରୁ ଯେତେବେଳେ କାପ୍ତା ଚଢ଼େଇଟିଏ ଡାକି ଉଠେ—ରୋଗୀ ପ୍ରକୃତିସ୍ଥ ହୋଇ ଝରକା ଦେଇ ବାହାରକୁ ଚାହେଁ, ମୁହୂର୍ତ୍ତକ ପାଇଁ ତା’ର ଦୃଷ୍ଟିପଥରେ ଏକ ସବୁଜ ଲହରୀ ଖେଳିଯାଏ । ରୋଗୀ କ୍ଷଣିକ ସାନ୍ତ୍ୱନା ପାଏ—ପୁଣି ପର ମୁହୂର୍ତ୍ତରେ ରୋଗର ଦାରୁଣ ଯନ୍ତ୍ରଣାରେ ତା’ର ମୁହଁରେ ଏକ ବିକୃତ ଭଙ୍ଗୀ ଖେଳିଉଠେ—ତା’ର ସେ ସବୁଜ ଲହରୀଟିକ ଏକ ଦାରୁଣ ସାହାରାର ବକ୍ଷରେ ଲିଭିଯାଏ । ଆଖି ଦୁଇଟି ତା’ର ଏକ ଅନାଗତ ଆଶଙ୍କାରେ ସଜଳ ହୋଇଉଠେ ।

 

ଖରାଦିନ । ବେଳ ବାରଟା ସରିକି ହୋଇଯାଇଥାଏ । ବାହାରେ ସେତେବେଳେ ଝଞ୍ଜା-ପବନ ତା’ର ପ୍ରଳୟ ନୃତ୍ୟର ଛନ୍ଦରେ ନାଚି ନାଚି ଚାଲି ଯାଉଥାଏ । ମଧ୍ୟାହ୍ନ ପଥ୍ୟ ଖାଇସାରି ଅନେକ ରୋଗୀ ଏକ ଅଜଣା ମାଦକତାର ଆବେଗରେ ଆଖିବୁଜି ଆସୁଥାନ୍ତି । ପ୍ରଣବ ତା’ର ଓ୍ୱାର୍ଡ଼ରେ ଶୋଇଛି ପ୍ରତିଦିନର ଚିରଆକାଂକ୍ଷିତଟି ପରି । ଆଜକୁ ପ୍ରାୟ ଦି’ବର୍ଷ ହେବ ସେ ଏହି ହାସ୍‌ପାତାଳରେ ଭର୍ତ୍ତି ହୋଇଛି । ଏହା ମଧ୍ୟରେ ଜୀବନର କେତେ ହା-ହତାଶ୍‍ମୟ ବ୍ୟର୍ଥ ଆଶା ଘେନି କେତେ ରୋଗୀ ଆସିଛନ୍ତି— ଆଉ କେତେ ରୋଗୀ ଆରୋଗ୍ୟ ଲାଭ କରି ଚିରଆକାଂକ୍ଷିତ ପ୍ରିୟଜନଙ୍କ ମଧୁର ପରଶ ପାଇବା ପାଇଁ ଛୁଟି ଯାଇଛନ୍ତି—ପକ୍ଷୀରାଜ ପରି । ପ୍ରଣବ କିନ୍ତୁ ତା’ର ଓ୍ୱାର୍ଡ଼ରେ ସବୁଠାରୁ ପୁରୁଣା—ସବୁ ସୁଖର ଆଶା ତା’ର ମଉଳି ଯାଇଛି, ପୋକକଟା ଦରଫୁଟା ବଣମାଳତୀ ଫୁଲଟି ପରି । ପ୍ରଣବର ଆଖିରେ ତନ୍ଦ୍ରାର ପଲକ ନାହିଁ–ଦୁନିଆଯାକର ବିକ୍ଷିପ୍ତ ଚିନ୍ତାସବୁ ମାନସପଟରେ ଖେଳିଉଠି ବୁକୁତଳେ ତା’ର ବିରାଟ ଊର୍ମ୍ମିମାଳାର ନର୍ତ୍ତନ ଖେଳାଉଥାଏ । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ିର ଟକ୍‌-ଟକ୍‌ ଶବ୍ଦ ସାଥୀରେ ନିଜର ହୃତ୍‌ପିଣ୍ଡର ସ୍ପନ୍ଦନ ମିଳାଇ ଦେଖେ—ବେଳେ ବେଳେ ନିଜ ଦେହରେ ନିଜେ ହାତ ପକାଇ ଶରୀରର ଉଷ୍ଣତା ଅନୁଭବ କରେ, ଆଉ କେବଳ ଆଖିବୁଜି ପଡ଼ିଥାଏ—କାହାରି ଆଡ଼କୁ ଚାହେଁ ନାହିଁ । ଠିକ୍‌ ଏହିପରି ଭାବରେ ଦିନ ପରେ ଦିନ, ରାତି ପରେ ରାତି, ଗୋଟିଏ ଗୋଟିଏ ହୋଇ ସୃଷ୍ଟିଚକ୍ରର ଘୂର୍ଣ୍ଣନପଥରେ ଯାତ୍ରୀ ହୁଏ । ଭିଜିଟିଂଟାଇମ୍‌ ବେଳେ ସେ ମନେ ମନେ ଅତୀତ ସ୍ମୃତିଭଣ୍ଡାରର କଞ୍ଚିଫିଟାଇଭାବେ ଅନେକ କଥା...ତା’ରି ଅଜାଣତରେ ହୁଏତ ପଞ୍ଜରା ହାଡ଼ ଦି’ଖଣ୍ଡି ଦୋହଲାଇ ବାହାରିପଡ଼େ ଏକ ତପ୍ତ ଦୀର୍ଘନିଃଶ୍ୱାସର ଢେଉ । କାହାରି ଆଡ଼କୁ ଦୃଷ୍ଟି ମଧ୍ୟ ଦିଏ ନାହିଁ ସେ । ରୋଗୀ, ରୋଗୀ ପରିଜନଙ୍କ ଗହଳରେ ହାସପାତାଳ ଯେତେବେଳେ ଚଞ୍ଚଳ ଓ ମୁଖର ହୋଇଉଠେ...ପ୍ରିୟଜନଙ୍କର ଆଶ୍ୱାସବାଣୀ ପାଇ ହତାଶ୍‍ ରୋଗୀର ପ୍ରାଣରେ ମଧ୍ୟ ଆଶାର କ୍ଷୀଣ ଦୀପଶିଖା ଜଳିଉଠେ । ପ୍ରଣବ ହୁଏତ ନିଜର ଖିଆଲରେ ନିଜେ ଟିକିଏ ହସେ, ପୁଣି କର ଲେଉଟାଇ ଶୁଏ । ଆତ୍ମୀୟ ସ୍ୱଜନଙ୍କ ପାଖରୁ ବହୁ ଦୂରରେ ଆସି ସେ ପଡ଼ିଅଛି ଏହି ଦୂରନ୍ତ ଓରାଂ ଓ ମୁଣ୍ଡାଙ୍କ ଦେଶରେ । ତା’ର ଦୁଃଖରେ ସମବେଦନାର ସୁରରେ ‘ଆହା’ କରିବା ପାଇଁ ମଧ୍ୟ କେହି ନାହିଁ—ଏଠାରେ । କେବଳ ନର୍ସର ଉଦାସୀନ ସେବା ତା’ ନିକଟରେ ପରମ ପ୍ରୀତିକର ବୋଲି ମନେହୁଏ ।

 

ଆଜିକୁ ତିନିଦିନ ହେଲା ପ୍ରଣବର ବେରାମ ଟିକିଏ ବଢ଼ିଉଠିଛି । କାଶ ସଙ୍ଗେ ସଙ୍ଗେ ମେଞ୍ଚା ମେଞ୍ଚା କାଳିଆ ରକ୍ତ ପଡ଼ିବ। ଦେଖି ପ୍ରଣବ ଟିକିଏ ଡରିଯାଇଛି । ଡାକ୍ତର ସବୁବେଳେ ଦେଖି ଯାଉଛନ୍ତି । ନର୍ସର ଭୀତିପ୍ରଦ କରୁଣ ଚାହାଣୀ, ଡାକ୍ତରର ମ୍ଳାନମୁଖ ଦେଖି ପ୍ରଣବ ବୁଝିପାରିଛି ଯେ ତା’ର ଜୀବନ-ପଥ ଓ ପାଥେୟ ଦୁଇଟିଯାକ ଏକାବେଳେକେ ଶେଷ ହୋଇ ଆସିଛି । ଶ୍ୱାସ ନେବାକୁ ମଧ୍ୟ କଷ୍ଟ ହେଉଛି ଆଜି,–ଆଖି ଦୁଇଟା ଧୀରେ ଧୀରେ ନିଷ୍ପ୍ରଭ ହୋଇଉଠୁଛି । ପଲକ ତଳ ଯେ ବେଳକୁବେଳ ଶୁଷ୍କ ହୋଇଆସୁଛି ।

 

ଅନେକ ବିନୟ କରି କାଲି ସନ୍ଧ୍ୟା ପରେ ଗୋଟିଏ ନର୍ସ ନିକଟରୁ ପ୍ରଣବ ଖଣ୍ଡିଏ କାଗଜ ଓ ପେନ୍‌ସିଲର ଯୋଗାଡ଼ କରିଥିଲା । ତା’ର ମରମ ସାଥୀ, ପ୍ରାଣର ପ୍ରଣୟିନୀ ଉଷା ନିକଟକୁ ଶେଷ ଚିଠିଖଣ୍ଡି ମଧ୍ୟ ଲେଖି ରଖିଛି । ଏତେଦିନ ଯାହା ତା’ର ଅନ୍ତରର ଗଭୀର ପ୍ରଦେଶରେ ଏକ ବିରାଟ ଆସନ ମାଡ଼ି ବସିଥିଲା, ଆଜି ତାହାହିଁ ବ୍ୟକ୍ତ ହୋଇ ଫୁଟି ଉଠିଛି ସାଦା କାଗଜ ଉପରେ ପେନ୍‌ସିଲର କଳାଗାରର ବଙ୍କିମ ଛନ୍ଦରେ । କିପରି ଭାବରେ ଏହି ଚିଠିଟି ସେ ପଠାଇବ ଉଷା ନିକଟକୁ କାଲି ସାରାରାତି ଉଜାଗର ରହି ତାହାରି ଚିନ୍ତା କେବଳ କରିଛି ।

 

ଧୀରେ ଧୀରେ ତକିଆ ତଳୁ ଚିଠିଟି ବାହାର କରି ପୁଣି ସେ ପଢ଼ିଗଲା ଥରେ–

 

ଇଟ୍‌କି ସେନିଟୋରିୟାମ୍‌

(ରାଞ୍ଚି)

ତା ୭ । ୪ । ୪୦

 

ହୃଦୟହୀନା ଉଷା ମୋର,

ନିତି ଭାବେ ତୁମ କତିକି ଚିଠି ଲେଖିବି—କାରଣ, ବୁଝିପାରିଛି ଜୀବନଦୀପ ମୋର ଧୀରେ ଧୀରେ ନିଭି ଆସୁଛି...କାଲିଠୁ ଶରୀର ବଡ଼ ଖରାପ ଲାଗୁଛି । ଡାକ୍ତରମାନଙ୍କ ଉଦାସ ଦୃଷ୍ଟି, ନର୍ସର ସତର୍କ ପ୍ରଶ୍ନ ତତ୍ପରତା ଦେଖି ବୁଝିପାରିଛି ଯେ ଏଇ ଦୁଇ ଚାରିଦିନ ମଧ୍ୟରେ ମୋର ଏହି ଦେହ-ପିଞ୍ଜରର ପ୍ରାଣ-ପକ୍ଷୀ ଉଡ଼ି ଚାଲିଯିବ । ଅନେକ କଷ୍ଟରେ ଅନୁନୟ ବିନୟ କରି ଏହି କାଗଜଖଣ୍ଡିକ ଆଣିଛି । ତୁମରି ନିକଟରେ ମୋର ଅନ୍ତରର ଅନ୍ତିମ ଭାଷା ଜଣାଇ ନ ପାରିଲେ ମରଣ ପରେ ମଧ୍ୟ ମୁଁ ଶାନ୍ତି ପାଇପାରିବି ନାହିଁ । ଅନେକ ଚିଠି ତୁମକୁ ଲେଖିଛି ଉଷା ! ବ୍ୟାକୁଳ ନୟନର ଅଶ୍ରୁଜଳରେ ସେ ସବୁ ଭିଜି ଛିଡ଼ିଯାଇଛି, ତେବେ ମଧ୍ୟ ଡାକରେ ଦିଆ ହୋଇନି । ଆଜି ମୋର ମନ-ମୁକୁର ସମ୍ମୁଖରେ ଅତୀତରୁ ସମସ୍ତ ଛବି ପ୍ରତିଫଳିତ ହୋଇ ଉଠୁଛି । ମନେଅଛି, ଏକ ଶରତର ସନ୍ଧ୍ୟାରେ ଶେଫାଳିର ମାଳା ଗୁନ୍ଥି ନେଇ ଯାଇଥିଲି–ତୁମରି କବରୀରେ ବାନ୍ଧି ଦେବି ବୋଲି, ଶେଫାଳି ଫୁଲ ତୁମର କେଡ଼େ ଆଦରର ବସ୍ତୁ ନ ଥିଲା ! ଟିକିଏ ସୁବିଧା ପାଇଲେ ପରା ଛୁଟି ଆସୁଥିଲ ଆମ ବସାକୁ–ମୋରି ହାତଧରି ଟାଣି ନେଇ ଯାଉଥିଲ ଶେଫାଳି ଗଛ ତଳକୁ ଆଉ ଠିକ୍‌ ମୋରି କୋଳକୁ ଲାଗି ବସି ପଡ଼ୁଥିଲ ପକା ବେଦୀ ଉପରେ ! ମାତ୍ର ସେ ଦିନ, ସେହି ବର୍ଷା ଧୌତ ଜ୍ୟୋତ୍ସ୍ନାଉଦ୍ଭାସିତ ସଂଧ୍ୟାରେ ତୁମର କବରୀରେ ଫୁଲର ମାଳା ଦେବାକୁ ଯାଉଛି, ହଠାତ୍‌ ତମର ପିତାଙ୍କର ନିର୍ମମ ବାଣୀ ଭାସି ଆସିଲା...ଯାହା ଶୁଣି ତମର ସୁନ୍ଦର ମୁହଁଟି ଲଜ୍ଜାରେ ଲାଲ ହୋଇଗଲା–ମୁଁ ପାଞ୍ଚପାଦ ପଛକୁ ଘୁଞ୍ଚିଗଲି । ଫୁଲରମାଳା ମୋର ହାତରେ ରହିଗଲା ପ୍ରେମ ପ୍ରତିମାର ପୂଜାରେ ଲାଗି ପାରିଲା ନାହିଁ ।

ତମର ପିତାଙ୍କର ମୁହଁରେ ସେହି କର୍କଶ ଓ ଅସୁନ୍ଦର କଥା ଶୁଣି ମୁଁ କ’ଣ କରିବି କିଛି ଠିକ୍‌ କରିପାରିଲି ନାହିଁ । ତା’ପରେ କେତେଦିନ ବିତିଗଲା–ତମରି ମୁହଁରୁ କଥା ଦି’ପଦ ଶୁଣିବି ଏହି ଆଶାକୁ ହତାଶ୍‍ ପ୍ରାଣର ସମ୍ବଳରୂପେ ରଖି ପ୍ରତୀକ୍ଷାରେ ଦିନ କଟାଇଲି । ତୁମ ସାଥିରେ ଦେଖା ବା କଥା ହେବାର କୌଣସି ସୁଯୋଗ ବା ସୁବିଧା ଖୋଜି ପାଇଲି ନାହିଁ । ତା’ପରେ ଦିନେ ଭୋରରେ ତମେ ତମ ସାନ ଭାଇ ବିରୁ ସାଥିରେ ଚକ୍ରତୀର୍ଥର ବେଳାଭୂମିରେ ଶାମୁକା ଗୋଟାଉଥିଲ—ସେଇ ଅବସରରେ ମୁଁ ଧାଇଁ ଯାଇଥିଲି ତମ ନିକଟକୁ–ସେ ଦିନ ମଧ୍ୟ ମୋର ହାତରେ ଥିଲା ରଜନୀଗନ୍ଧାର ଗୁଚ୍ଛ—ସେ ଦିନ ନିଜେ ତମେ ମୋର ହାତରୁ ଫୁଲର ଗୁଚ୍ଛଟି ନେଇ ଖୋସି ଦେଇଥିଲ ତମର ସୁଯତ୍ନ ରଚିତ ଘନକୃଷ୍ଣ କବରୀରେ । ମୁଁ ଯେତେବେଳେ ତମର ହାତ ଦୁଇଟି ଆଣି ମୋର ଚିର-ପିପାସିତ ଅଧରତଳେ ସ୍ପର୍ଶ କରାଇଥିଲି ସେତେବେଳେ ତମେ ମୋର ବୁକୁଭିତରେ ମୁହଁ ଲୁଚାଇ ଅଶ୍ରୁ ନିର୍ଝରରେ ବୁକୁ ମୋର ଭିଜାଇ ଦେଇଥିଲ ! ସେଦିନ ମୋର କୌଣସି ପ୍ରଶ୍ନର ଦରକାର ହୋଇ ନ ଥିଲା । ତମର ରଜନୀଗନ୍ଧା-ମଣ୍ଡିତ କବରୀ ଆଉ ଆଖିପତା ତଳର ଅଶ୍ରୁବିନ୍ଦୁ, ସେଇଥିରେ ମୁଁ ମୋର ସମସ୍ତ ପ୍ରଶ୍ନର ସୁବିବେଚିତ ଉତ୍ତର ପାଇ ପାରିଥିଲି ।

ତୁମର ପିତାଙ୍କୁ ଅନେକ ବୁଝାଇଛି । ସମାଜର ବନ୍ଧନ ଓ ନିୟମ ଦେଖାଇ ସେ ମୋର ସବୁଯାକ ଯୁକ୍ତି କାଟିଦେଲେ–ତାଙ୍କ ନିକଟରେ ମୋର କୌଣସି ଯୁକ୍ତି ମୁଣ୍ଡଟେକି ଛିଡ଼ା ହୋଇପାରିଲାନି । ଆଜି ଦୀର୍ଘ ପାଞ୍ଚବର୍ଷ ହେଲା,–ମୋର ସେହି ଝାଉଁବଣ ଭିତର ‘ନନ୍ଦନ-ନିଳୟ’ଟିକୁ ଛାଡ଼ି ଚାଲିଆସିଛି । ଅନେକ ପ୍ରକାର ଚେଷ୍ଟା କରିଛି ତୁମକୁ ଭୁଲିଯିବାକୁ ଉଷା, କିନ୍ତୁ କାହିଁକି, ଜାଣେ ନାହିଁ ଜୀବନର ଧୂଉ-ଧୂଉ ମରୂପଥରେ ନିର୍ବାଣୋନ୍ମୁଖ ଜୀବନ-ପ୍ରଦୀପର ଶେଷ ଶିଖା ନିକଟରେ ମଧ୍ୟ ତୁମରି ଛବି ଦେଖିପାରୁଛି–ଭୁଲି ପାରିଲି ନାହିଁ...ଜୀବନର ଏ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ଏ ଶରୀର ଯନ୍ତ୍ରର ସବୁ କଳକବ୍‌ଜା ଯେପରି ବିଗିଡ଼ି ଯାଇଛି । ଟାଟା କୋମ୍ପାନୀର କାରଖାନା କାମ, ନିଆଁର ଗରମ ଆଉ ଚିମିନିର ଧୂଆଁ ମୋ ସୁକୁମାର ଶରୀରରେ ଆଦୌ ସହ୍ୟ ହେଲା ନାହିଁ... ସୁଯୋଗ ପାଇ ଅନେକ ପ୍ରକାର ରୋଗ ତେଣୁ ଆସି ଆଶ୍ରୟ ନେଇଛି ! ଉଷା ! ଆଜି ତମରି ବିରହ ଆଉ ତମରି ଚିନ୍ତା ମୋର ଚାରିଆଡ଼େ ଖେଳି ବୁଲୁଛି । ମୁଁ ଜାଣେନା, ତମ ହାତରେ ଏ ଚିଠି ପହୁଞ୍ଚିବ କି ନା–ଯଦି ପହୁଞ୍ଚେ ତେବେ ଜାଣିଥାଅ ତା’ର ପୂର୍ବରୁ ମୁଁ ଅନ୍ୟଜଗତକୁ ଚାଲି ଯାଇଥିବି । କେହି ଜାଣିପାରିବେ ନାହିଁ ଯେ ପ୍ରଣବକୁମାର ଏ ଜଗତରୁ ଚାଲିଗଲା, କାରଣ ମୁଁ ନିଜକୁ ଅନ୍ୟ ଏକ ନାମରେ ପରିଚିତ କରାଇଛି-ନିରୁଦ୍ଦିଷ୍ଟ ହେଲାଦିନୁ । ମୃତ୍ୟୁ ପୂର୍ବରୁ ତମର ଖବରଟିକ ଜାଣିବା ପାଇଁ ବଡ଼ ଆଗ୍ରହ ଥିଲା । ଗୋଟିଏ ପ୍ରଶ୍ନ କୌଣସି ପ୍ରକାରରେ ମୋର ଆଗ୍ରହାତିଶଯ୍ୟରୁ ତଡ଼ିଦେଇ ପାରୁନି–‘‘ବାହା ହୋଇଛ ତ ?’’ ଯଦି ନ ହୋଇଥାଅ, ତେବେ ମୋର ଏକାନ୍ତ ମିନତି—ତୁମେ ବିବାହ କରି ସୁଖୀ ହୁଅ ଉଷା ! ଆଉ ମୋତେ କ୍ଷମା କରି ଭୁଲି ଯାଅ,–ଭୁଲି ଯାଅ !’’ ବର୍ତ୍ତମାନ ମୃତ୍ୟୁ ମୋ ନିକଟକୁ ଯେଡ଼େ କରାଳ ମୂର୍ତ୍ତି ନେଇ ଆସିଲେ ମଧ୍ୟ ତୁମରି କ୍ଷମା ମୋର ପରଜନ୍ମର ଶ୍ରେଷ୍ଠ ସମ୍ପଦ ହୋଇ ରହିବ । ହଉ, —ଉଷା ! ଦୁଃଖ କରିବ ନାହିଁ । ଦୁଃଖ କରିବାର ତ କିଛି ନାହିଁ ।

ଏଇ ପର୍ଯ୍ୟନ୍ତ ପଢ଼ି ପ୍ରଣବ ଏକ ଅବ୍ୟକ୍ତ ବ୍ୟଥାରେ ଝାଉଁଳି ପଡ଼ିଲା–ଏବଂ ତା’ ସାଥିରେ କାଶ ସହିତ ଝଲକାଏ ତାଜା ରକ୍ତ ବାହାରି ଆସିଲା । କୌଣସି ପ୍ରକାରରେ ଦମ୍ ନେଇ ଇଙ୍ଗିତରେ ନର୍ସ୍‌କୁ ତା’ ନିକଟକୁ ଆସିବାକୁ ସଙ୍କେତ ଦେଇ ତା’ର ଶିଥିଳ ହାତ ଦୁଇଟିରେ ବିଛଣାକୁ ଭିଡ଼ି ଧରିଲା ।

ନର୍ସ୍‌ ପାଖକୁ ଆସି ତା’ର ବିକ୍ଷିପ୍ତ ବାଳଗୁଡ଼ିକ ଆଙ୍ଗୁଳିଦ୍ୱାରା ସଜାଇବାକୁ ଲାଗିଲା । ପ୍ରଣବ ତା’ର କ୍ଷୀଣଦେହଟିକୁ କୌଣସି ପ୍ରକାରରେ ଟିକିଏ ସଜାଡ଼ି ନେଇ ସଜଳ ନୟନରେ କହିଲା–‘‘ଶତ ଧନ୍ୟବାଦ ଆପଣଙ୍କୁ-ମରଣ ବେଳରେ ମଧ୍ୟ ଆପଣଙ୍କ ମମତାପୂର୍ଣ୍ଣ ସ୍ନେହ କରସ୍ପର୍ଶରେ ପ୍ରକୃତରେ ବଡ଼ ତୃପ୍ତି ପାଉଛି...ଆପଣଙ୍କୁ ଆଉ ଗୋଟିଏ କାମ କରିବାକୁ ହେବ । ମୋର ଚିର ବିଦାୟର ଶେଷ ନିବେଦନ ‘ଆପଣଙ୍କୁ ରଖିବାକୁ ହେବ–ଏଇ ଚିଠିଟି......ଏତକ କହି ମିନତିପୂର୍ଣ୍ଣ ଦୃଷ୍ଟିରେ ନର୍ସକୁ ସେହି ଚିଠିଟି ଦେଲା । ନର୍ସ୍‌ ଚିଠି ଖଣ୍ଡି ହାତକୁ ନେଇ ଦେଖିଲା, ଚିଠିର କଭର୍‌ରେ ଲେଖାଅଛି–

କୁମାରୀ ଉଷାରାଣୀ ଦେବୀ

C/o. ଜୟଗୋବିନ୍ଦ ମହାପାତ୍ର

‘ସାଗର-ବିତାନ’-ଚକ୍ରତୀର୍ଥ, ପୁରୀ

ନର୍ସ୍‌ ହଠାତ୍‌ ଭୀତ ଓ ତ୍ରସ୍ତ ହୋଇ ପଛକୁ ଫେରି ଦେଖିଲା ପ୍ରଣବର ଦେହଟା ନିଶ୍ଚଳ ଓ ଅଚେତନ ହୋଇ ପଡ଼ିଅଛି—ନାକ ପୁଡ଼ାରୁ ଗୋଟିଏ କ୍ଷୀଣ ରକ୍ତଧାରା ବୋହି ଆସୁଛି । ଘଡ଼ିରେ ସେତେବେଳେ ତିନିଟା ।

ନର୍ସ୍‌ ଚିଠିଖଣ୍ଡିକ ହାତରେ ଧରି ଛିଡ଼ାହୋଇ ରହିଲା—ଅର୍ଥଶୂନ୍ୟ ଦୃଷ୍ଟିରେ ଉପରକୁ ଚାହିଁ-। ହଠାତ୍‌ ଆଖିରୁ ତା’ର ଅଶ୍ରୁ ବନ୍ଧ ଭାଙ୍ଗି ବକ୍ଷଦେଶ ଭସାଇ ବୋହିଗଲା—ଅଜାଣତରେ ତା’ପାଟିରୁ ବାହାରି ଆସିଲା...‘ତମେ’ ‘ଚାଲିଗଲ !’ କିଛିକ୍ଷଣ ପରେ ‘ଆଃ’ କହି ଗଛ କାଟିଲା ପରି ନର୍ସ୍‌ କଚାଡ଼ି ହୋଇ ପ୍ରଣବର ଶଯ୍ୟା ପ୍ରାନ୍ତରେ ପଡ଼ିଗଲା—ସଂଜ୍ଞାହୀନା ହୋଇ !!

ଠିକ୍‌ ସେତିକିବେଳେ ଦୂରରୁ କେଉଁଠି ଏକ ଓରାଂ ଯୁବକର ବଂଶୀର ସୁର କରୁଣରୁ କରୁଣତର ହୋଇ ପବନ ସୁଅରେ ଭାସି ଆସୁଥାଏ...ପିଁ...ଇଁ...ଇଁ... ।

Image

 

ଭଗ୍ନ ନୀଡ଼

 

ଚାଇଁ ବସା ସହରର ସୀମାନ୍ତରେ ‘ରଡ଼’ ନଈଟି ବୋହି ଯାଉଅଛି ଶିଳା-ବନ୍ଧୁର ଶେଯ ଉପରେ—ତାଳେ ତାଳେ ନାଚି ନାଚି ଠିକ୍‌ ନର୍ତ୍ତନ-ରତା ‘ହୋ’’ ତରୁଣୀର ସୁନିୟନ୍ତ୍ରିତ ପଦର ଛନ୍ଦ ପରି ! ନାଲି ସଡ଼କଟା ସହରରୁ ବାହାରି ଠିକ୍‌ ଓଡ଼ିଆସ୍କୁଲ ପାଖଦେଇ ତା’ରି ବୁକୁ କାଟି ଚାଲିଯାଇଛି–ଦୂରକୁ । ଦୁଇ ପାଖରେ ତା’ର ସବୁଜ ଧାନ ଖେତ—ଆଉ କେଉଁଠି ହିଡ଼ ମଝିରେ ଗୋଟିଏ ଦୁଇଟି କାଶଫୁଲର ଗୁଚ୍ଛ ! ତା’ ମଧ୍ୟ ଧୀର ବତାସର ସୁଅରେ ହଲି ହଲି ଉଠୁଥାଏ । ସାମନାରେ ନେଳି ପାହାଡ଼ଟା ଠିଆ ହେଇଛି ଆକାଶକୁ ମୁଣ୍ଡଟେକି ।

 

ନଈ ଆରପାଖରେ ଠିକ୍‌ ସଡ଼କ କରକୁ ଖଣ୍ଡିଏ ଛୋଟ ହୋ-ପଲ୍ଲୀ । ସେଇ ପଲ୍ଲୀରେ ଶାରଦୀରଘର । ଆଖପାଖ ଗାଁ ଭିତରେ ସେଇ ଥିଲା ସବୁଠୁ ସୁନ୍ଦରୀ । ହରିଣୀ ପରି ତା’ର ଦୁଇଟି ଟଣାଟଣା ଆଖି । ତା’ର ସେଇ ଆଖି ଦୁଇଟିକୁ ଚାହିଁଲେ–ଯେପରି ତା’ର ଅନ୍ତରଟାଯାକ ଫୁଟି ଦେଖାଯାଏ—ଶାରଦୀ ଥିଲା ଭାରି ଚଞ୍ଚଳା । ସବୁବେଳେ ସେ ତା’ର ଚଞ୍ଚଳତାରେ ଭରପୂର । ଗୋଟିଏ ମୁହୂର୍ତ୍ତ ମଧ୍ୟ ସେ ଶାନ୍ତ ହୋଇ ରହିପାରେ ନାହିଁ । କେବଳ ତା’ର ବାପ, ଘନିଆ ମୁଣ୍ଡା ଯେତେବେଳେ ସହରର ଜଙ୍ଗଲ ବାବୁ ଘରୁ କାମ ସାରି ଫେରେ—ସେତିକିବେଳେ କିଏ ଯେପରି ତାକୁ ଜୋର କରି ଶାନ୍ତ କରାଏ ।

 

ପୋଳୁଅ ଭିତରେ କାଳୁଆ ଗଞ୍ଜାଟା ଯେତେବେଳେ ପହିଲୁ ‘କେ-କେ-ରେ...କେ...’ବୋଲି ଡାକିଦିଏ-ସେତିକିବେଳୁ ଶାରଦୀ ପଟିଆରୁ ଉଠି ତା’ କାମରେ ଲାଗିଯାଏ । କାଳିଆ ହାଣ୍ଡି ଖଣ୍ଡିକ ପୋଛିପାଛି ପଖାଳ ଗଣ୍ଡାକ ସିଆଡ଼ି ପଲଙ୍ଗାରେ ପତୁଆବାନ୍ଧି ଦିଏ । ବାଡ଼ି ପଛରୁ କଞ୍ଚାଲଙ୍କା ଦୁଇଟା ତୋଳିଆଣି ଲୁଣ ଟିକିଏ ସାଥିରେ ପତର ଖଣ୍ଡିକରେ ସୁଲୁଙ୍ଗା କରି ପତୁଆ ଭିତରେ ଗେଞ୍ଜି ଦିଏ । ସରଗି ପତରରେ ଦୋକତା ମେଞ୍ଚେ ଦେଇ ଗୋଟାଏ କାହାଳିକା ଗଳି ପତୁଆ ପାଖରେ ରଖିଦେଇ ଘର ବାହାର ଖଣ୍ଡିକ ଓଳାଇ ପକାଏ । ଫରଚା ହେଉଁ ହେଉଁ ବାପ ତା’ର ଉଠି ମୁହଁ ଭିତରେ ଦାନ୍ତକାଠିଟା ଦି’ଚାରିଥର ବୁଲାଇ ଦେଇ ମୁହଁଟା ଧୋଇ ପକାଏ–ମାଠିଆଟାରେ ମାଠିଏ ହାଣ୍ଡିଆ ପିଇ କାହାଳିଆଟା ଅଣ୍ଟାରେ ଖୋସି ପତୁଆଟାକୁ ହାତରେ ଓହଳାଇ କାମକୁ ବାହାରି ଯାଏ । ଶାରଦୀ ଚାହିଁ ରହେ ସେଇ ନାଲି ସଡ଼କଟାକୁ । ବାପ ତା’ର ନଈ ଭିତରେ ଲୁଚିଗଲେ, ଲୁଗାଟା ଅଣ୍ଟାରେ ଭିଡ଼ିଦେଇ ଛିଣ୍ଡା ପାଛିଆ ଖଣ୍ଡିକରେ କଂସା ଦି’ଖଣ୍ଡି ପକାଇ କଳସୀଟାଏ କାଖରେ ଧରି ବାହାରିପଡ଼େ ନଈକୁ । ନଈକୁ ଫେରି ସେଇ କାଳିଆ ହାଣ୍ଡିଟାରେ ପାଣି ମୁନ୍ଦାଏ ଢାଳି ଚାଉଳ ଦିଓଟି ସିଝାଇ ପକାଏ । ସେତିକିବେଳେ ମାଆକୁ ତା’ର ମନରେ ପକାଇ ଆଖି ଦୁଇଟି ଟିକିଏ ଦଳି ଦିଏ । ମା’ ତା’ର ଦୁଇ ବର୍ଷ ହେଲା ସବୁ କାମର ଭାର ଏଇ ପନ୍ଦର ବର୍ଷର ଝିଅଟି ଉପରେ ଲଦିଦେଇ ପାଖ ତେନ୍ତୁଳି ଗଛ ମୂଳରେ ଚିରଦିନ ପାଇଁ ଲୁଚି ଯାଇଛି-। ସେଇ ଗଛ ମୂଳରେ ଗୋଟିଏ ବଡ଼ ପଥର ଆଡ଼କୁ ଶାରଦୀ ଜଳ ଜଳ କରି ଚାହିଁ ରହେ-!

 

ଶାରଦୀର ଘର ସାମନାରେ ଧାନ କିଆରୀ । ସେଇ କିଆରୀର ହିଡ଼ ମୁଣ୍ଡରେ ମନୁଆ ଯେତେବେଳେ ଲଙ୍ଗଳଟା କାନ୍ଧରେ ପକାଇ ହଳିଆ ଦି’ଟା ଅଡ଼ାଇ ନଈ ଆଡ଼କୁ ଚାଲିଯାଏ–ଶାରଦୀ ତାକୁ ବାଉଁଶ ତାଟି ଫାଙ୍କରୁ ଦେଖେ । ଦେହଟା ତା’ର କାହିଁକି ଅଜାଣତରେ ନାଚି ଉଠେ । ବାହାରଆଡ଼ୁ କବାଟ ଶିକୁଳିଟା ଲଗାଇ ଦେଇ ସେ ମନୁଆର ପଛ ଧରେ । ମନୁଆ ଗୋରୁ ଦି’ଟା ନଈକୂଳକୁ ଅଡ଼ାଇ ଦେଇ ଲଙ୍ଗଳଟା କାନ୍ଧରୁ ଓହ୍ଲାଇ ପଥର ଉପରେ ଯାଇ ବସେ-ଗୋଡ଼ ଦି’ଟା ପାଣି ଉପରେ ଖେଳାଇ ଖେଳାଇ । ଶାରଦୀ ଚୁପ୍‌ ଚୁପ୍‌ ଯାଇ ଛିଡ଼ା ହୁଏ ମନୁଆର ପଛରେ ପଥରକୁ ଲାଗି । ମନୁଆ ସେଇ ନେଳି ପାହାଡ଼ଟା ଆଡ଼କୁ ଚାହିଁ ଗାଏ ‘ଜଗତ ପାଳନକାରୀ ହେ ଭଗବାନ, କରୁଣାନିଦାନ...’ । ଠିକ୍‌ ତା’ର ଗୀତ ସରିଲାବେଳକୁ ଶାରଦୀ ପଛ ପାଖରୁ ଚିମୁଟିଦେଇ ‘ହିହି’ କରି ହସିଉଠେ–ମନୁଆ ଚମକିପଡ଼େ ।

 

‘‘ମନୁଆ’’—

 

‘‘ଶାରଦୀ’’—

 

‘‘କ’ଣ ?’’

 

‘‘ତୁ ଭାରି ଦୁଷ୍ଟ !’’

 

‘‘ହଁ...ଭାରିତ ! ସବୁ କାମ ଛାଡ଼ିଦେଇ କେବଳ ତୋ ସାଥିରେ ଦି’ପଦ କଥା ହେବାକୁ ଦଉଡ଼ି ଆସିଲି ଯେ ମୁଁ ହେଲି ଦୁଷ୍ଟ ! ଆଉ ତୁ...’’

 

ମନୁଆ ଶାରଦୀ ମୁହଁରେ ହାତ ଦେଇ ତାକୁ ଆହୁରି ପାଖକୁ ଟାଣିନିଏ । ମୁଣ୍ଡର ଅଲରା ବାଳଗୁଡ଼ିକ ସାଉଁଳୁ ସାଉଁଳୁ ତାକୁ ଛାତି ଉପରକୁ ଆଉଜାଇ ନେଇ କହେ—‘‘ଆଚ୍ଛା ଶାରଦୀ କହନା, ତୁ କାହିଁକି ମୋତେ ଦେଖିଲାଖିଣି ଛୁଟିଆସୁ ଏମିତି ? ତୋ ବାବାର ତ ଆମେ ଦୁଷ୍ମନ୍‌ ! ସେଥିରେ ତୁ କାହିଁକି ଏତେ ଭାବ ରଖୁଛୁ ମୋ ସାଥିରେ ?’’

 

ଶାରଦୀ ତା’ କୋଳରେ ମୁଣ୍ଡ ରଖି କହେ–‘‘ସତରେ ମନୁଆ ତୋତେ ଦେଖିଲେ ମୋତେ କାହିଁକି ଭାରି ଆନନ୍ଦ ଲାଗେ ତୋ ସାଥିରେ ନାଚିବାକୁ ମନ ହୁଏ । ତୋର ସେଇ ଯେଉଁ ଉଡ଼ିଆ ଗୀତଟା ତ ମୋତେ ପାଗଳ କରିଦିଏ । ତୋର ‘କିରା’ରେ (ରାଣ), ମୋତେ କିପାଇଁ ତୋର ପାଖ ଛାଡ଼ିବାକୁ ମନ ହୁଏନାହିଁ । ବାକି ଦେଖ, ତୋର ବାବା ଯେପରି ମୋ ବାବା ନିକଟରେ ଏକଥା ନ କହେ,–ତା ନ ହେଲେ ବାବା ମୋତେ ହାଣି ଦି’ଖଣ୍ଡ କରିଦେବ । ଭାରି ରାଗୀ ମଣିଷ ସେ–ତୁ ମର ଉପରେ ତା’ର ରାଗ ଆହୁରି ବେଶୀ, ଜାଣୁ ତ ? ପୁଣି ସେଇ ବିହାରୀବାବୁଟା ଶିଖାଇ ଦେଇଛି ଯେ ତୁମେ ଉଡ଼ିଆ ଘରେ କାମ କରି, ଉଡ଼ିଆ ପଢ଼ି ଜାତି ମାରିଛ-ଉଡ଼ିଆ ହୋଇଛ,–ଆଉ ଆମେ ବିହାରୀ । ତୁମେ ଆମର ପକ୍‌କା ଦୁଷ୍ମନ ! ଆଚ୍ଛା ମନୁଆ, ତୋର ବାବା ଆଉ ମୋର ବାବା ଏତେ କଳି କରନ୍ତି କାହିଁ କିରେ ? ଆମ ଭିତରେ ତ ବେଶ୍‌ ଭାବ ଅଛି ।’’

 

ମନୁଆ ଏ ସବୁ କଥା ଶୁଣି ନ ଶୁଣିଲା ପରି ଧୀରେ ଧୀରେ ଏକ ଦୀର୍ଘ ନିଶ୍ୱାସ ଟାଣି କହେ,–‘‘ଶାରଦୀ, ତୋତେ ଦେଖିଲେ ମୁଁ ଦୁନିଆର ସବୁ ଭଲମନ୍ଦ ଭୁଲିଯାଏରେ । ମନେହୁଏ କେବଳ ତୋରି କୋଳଭିତରେ ମୁଣ୍ଡ ରଖି ଯୁଗ ଯୁଗ ଧରି ସପନ ଦେଖେ ଖାଲି ତୋହରି ଛବି । ସତରେ ଶାରଦୀ, ତୋର ଏ ଟଣା ଟଣା ଆଖି ଦି’ଟାକୁ ଚାହିଁଲେ ସବୁ ଦୁଃଖ ପାଶୋରି ଯାଏ ମୁଁ ।’’

 

ଶାରଦୀ ଏ ସବୁ କଥାର ଅର୍ଥ ବୁଝିପାରେ ନାହିଁ । କେବଳ ହସରେ ଭୁଲାଇ ଦିଏ ମନୁଆର ବ୍ୟର୍ଥତା-ଆଉ ତାକୁଇ କେନ୍ଦ୍ର କରି କେତେ କଳ୍ପନାର ଜାଲ ବୁଣିଯାଏ ।

 

ମନୁଆ କୋଡ଼ିଏ ବାଇଶ ବର୍ଷର ଯୁବକ । ଗଲାବର୍ଷ ଓଡ଼ିଆ ସ୍କୁଲରୁ ଅପାରପ୍ରାଇମେରି ପାଶ୍‌ କରିଛି । ବଳିଷ୍ଠ ଶ୍ୟାମଳ ଚେହେରା ମଧ୍ୟରେ କି ଅପୂର୍ବ ତା’ର ମୁହଁ, ଆଖିର ଜ୍ୟୋତି ! ବାପ ତା’ର ଭାରି ଭଲ ମଣିଷ । ବିପଦ ଆପଦରେ ପରର ଉପକାର କରିବା ତା’ର ଚିରକାଳର ସ୍ୱଭାବ-। ଶାରଦୀର ବାପ ସାଥିରେ ମଧ୍ୟ ତା’ର ଭାବ-ଦୋସ୍ତି ଥିଲା ଖୁବ୍‌ । କିନ୍ତୁ ଯେଉଁଦିନୁ ସେ ନିଜ ପିଲାକୁ ଉଡ଼ିଆ ପଢ଼ାଇଲା ଆଉ ପାଖଆଖ ଗାଁର ‘ହୋ’ ପିଲାଙ୍କୁ ଉଡ଼ିଆ ପଢ଼ିବାକୁ ଶିଖାଇଲା–ପୁଣି ନିଜେ ଯାଇ ପଣ୍ଡିତ ଅଚାର୍ପିଙ୍କ ଘରେ କାମ କଲା–ସେଇଦିନୁ ଘନିଆ ମୁଣ୍ଡା ସାଥିରେ ତା’ର ଅପଡ଼ । ସେଇ ମନାନ୍ତର ଦିନେ ହଠାତ୍‌ ରୂପ ଧରି ଛିଡ଼ାହେଲା ସାମାନ୍ୟ ଗୋଟିଏ ଧାନ ବିଲର ହୁଡ଼ା ପାଇଁ-। ସେଦିନ ଦୁଇ ଜଣଙ୍କର କି ଭୀଷଣ କଳି ! ସେଇଦିନୁ ଏକ ଅଜ୍ଞାତ ଆଶଙ୍କାରେ ଶାରଦୀର ବୁକୁ ଭିତରଟା ଭୟରେ କମ୍ପି ଉଠେ ଦୂରୁ ଦୂରୁ ହୋଇ । କିଏ ଜାଣେ, ତା’ର ହୁଣ୍ଡା ବାବା ଯଦି ରାଗର ଚୋଟରେ କାନ୍ଥର ସେଇ ରକ୍ତପିପାସୁ ଟାଙ୍ଗିଟା ନେଇ ବସାଇ ଦିଏ ମନୁଆର ବାପର ବେକ ଉପରେ ! ସେ ତା’ର ବାପକୁ ଭଲକରି ଚିହ୍ନେ । ବାପ ତା’ର ଫେରି ଚାହିଁଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା’ର ଭୟରେ ଶିତେଇ ଉଠେ ।

 

ଆଜି ରବିବାର । ଘନିଆ ଖାଇପିଇ ବାହାରିଯାଇଛି ସହରରୁ ଦଶମାଇଲ ଦୂର ‘ଜୋଡ଼ାପୋଖରୀ’କୁ ତା’ର ହାକିମ କାମରେ । ଆଜି ଫେରିବା ଅସମ୍ଭବ । ଯଦିବା ଫେରେ ତା ହେଲେ ଖୁବ୍‌ ଡେରିରେ ଫେରିବ—ପ୍ରାୟ ରାତିରେ ।

 

ଶାରଦୀର ମନ ଆଜି ବଡ଼ ବ୍ୟାକୁଳ ହୋଇଉଠିଲା । ସେ ଆଜି କେବଳ ମନୁଆକୁ ତା ନିକଟରେ ଚାହେଁ । ତା’ର ଗଭୀର ଦୁଃଖଭରା ଛଳ ଛଳ ଆଖି ଦୁଇଟି ମନୁଆର ଘର ଉପରେ କେତେଥର ଯେ ବୁଲି ଆସିଲାଣି–ତା’ର ଆଉ କଳନା ନାହିଁ । ମାତ୍ର ଆଜି ମନୁଆର ଘର କବାଟ ବନ୍ଦ । ଆଜି ଯେ ରବିବାର । ସେ ଆଜି ନିଶ୍ଚୟ ଯାଇଥିବ ‘ଲୁପୁଙ୍ଗୁଟୁ’ ଝରକୁ ତା’ର ଲୁଗା ସଫା କରିବାକୁ । ଶାରଦୀର ମନ ଏଥର ଚଞ୍ଚଳ ହୋଇଉଠିଲା । ସେ ମଧ୍ୟ ଲୁଗା ଦିଓଟି ଧରି ଛୁଟି ଚାଲିଲା–‘ଲୁପୁଙ୍ଗୁଟୁ’ ଝର ଉଦ୍ଦେଶ୍ୟରେ । ମଝି ରାସ୍ତାରେ ତା’ର ସ୍ମୃତିପଟରେ ଭାସି ଉଠିଲା ତା’ର ବାପର ରୁକ୍ଷମୂର୍ତ୍ତି ଆଉ କର୍କଶବାଣୀ,—ସେ ଦିନ ମନୁଆର ବାପକୁ ଲକ୍ଷ୍ୟ କରି କହୁଥିଲା–‘‘ଫେର ଯଦି ତୋର ମନୁଆ ମୋର ଶାରଦୀ ସାଥିରେ ମିଶିଛି, ତେବେ ଜାଣି ରଖ, ମୋର ଟାଙ୍ଗିଟା ମନୁଆର ଗର୍ଦ୍ଦନଟାକୁ ତଳେ ଗଡ଼େଇ ଦେବ ।’’ ମୁହୂର୍ତ୍ତକପାଇଁ ତା’ର ପାଦର ଗତି ସ୍ଥିର ହୋଇଗଲା-। ସେ ଉପରକୁ ଚାହିଁ କ’ଣ ଭାବିଲା । ତା ପରେ ସେ ତା’ର ‘ମାରାଂ-ବୁରୁ’ ନିକଟରେ ଆକୁଳ ପ୍ରାର୍ଥନା ଜଣାଇଲା,–‘‘ହେ ଦେବତା, ବାବା ମୋର ଯେପରି ସନ୍ଧାନ ନ ପାଏ— ମୁଁ ଥରକ ପାଇଁ ମନୁଆକୁ ଦେଖିଆସେ ।’’ –ପାଗଳ ପରି ସେ ଧାଇଁ ଚାଲିଲା ସେହି ଛାୟାଭରା, କୁଞ୍ଜଦୋରା ‘ଲୁପୁଙ୍ଗୁଟୁଝର’ଆଡ଼କୁ ।

 

ଚତୁର୍ଦ୍ଦିଗରେ ବୃକ୍ଷଲତାର ସମାବେଶ ସ୍ଥାନଟିକୁ ବେଶ୍‌ ସୁନ୍ଦରରୂପେ ସଜାଇ ଦେଇଛି । ନିକଟରେ କେଇଟି ଗଛମୂଳରୁ ମାଟି ତରଳି ଖୁବ୍ ଜୋରରେ ଝର ଫୁଟି ବାହାରୁଛି । ସହରର ବଡ଼ଲୋକେ ସେଇଠି ପକା ବାନ୍ଧି ଝରମୁହଁରେ ନଳ ଖଞ୍ଜି ଦେଇ ଅଛନ୍ତି । ସେଇ ନଳ ଭିତର ଦେଇ ମୂଷଳଧାରାରେ ପାଣି ଝରିପଡ଼ୁଛି । ସାମନାରେ ଏକ ସୁସଜ୍ଜିତ ଫୁଲ ବଗିଚା–ସରକାର ତରଫରୁ ତିଆରି ହୋଇଛି ସହରର ବାବୁମାନେ ବଣଭୋଜୀ କରିବାକୁ ସମୟେ ସମୟେ ଏଠାକୁ ଆସନ୍ତି । ଠିକ୍‌ ସେଇଠି ପହଞ୍ଚିଲାମାତ୍ରକେ ସହସା ତା’ର ବୁକୁଭେଦ କରି କିଏ ଯେପରି ଡାକିଲା–‘‘ଶାର...’’,...ଶାରଦୀ–ମୁଁ ଯେ ଏଇଠି । ମୁହୂର୍ତ୍ତକ ମଧ୍ୟରେ ଶାରଦୀ କୁଞ୍ଜ ଭିତରେ ଲୁଚିଯାଇ ମନୁଆର ଆବେଗ ପ୍ରସାରିତ ଭୁଜ ବନ୍ଧନରେ ବନ୍ଦୀ ହୋଇ ତା’ର ବୁକୁଉପରେ ଢଳି ପଡ଼ିଲା । ଧୀରେ ଧୀରେ ମନୁଆ ଶାରଦୀକୁ ତା’ର କୋଳ ଉପରେ ଶୁଆଇ ତା’ର ସୁନ୍ଦର ମୁଖମଣ୍ଡଳ ଉପରେ ବିକ୍ଷିପ୍ତ ବାଳଗୁଡ଼ିକୁ ସଜାଡ଼ିବାକୁ ଲାଗିଲା ।

 

—‘‘ମନୁଆ !’’

 

—‘‘କ’ଣ ?’’

 

—‘‘ମୁଁ ଯଦି ତୋ’ର କୋଳ ଉପରେ ଏମିତି ଶୋଇ ରହି ମରିଯାଆନ୍ତି ତାହାହେଲେ ବେଶ୍‌ ଭଲ ହୁଅନ୍ତା, ନାହିଁ ?

 

ମନୁଆର ଆଖି ଦୁଇଟି ଛଳ ଛଳ କରି ଉଠିଲା । ଦୁଇଟୋପା ତାତଲା ଲୁହ ଗଡ଼ିପଡ଼ିଲା ଶାରଦୀର କପାଳ ଉପରେ । ଶାରଦୀ ତା’ର ପ୍ରିୟତମର ଅଶ୍ରୁର ତପ୍ତ ପରଶରେ ଚମକି ଉଠିଲା–‘‘ମନୁଆ, ତୁ କାନ୍ଦୁଛୁ ?’’

 

ମନୁଆ ତା’ର ଅଶ୍ରୁ ସଜଳ ଦୃଷ୍ଟି ଶାରଦୀର ଟଣା ଟଣା ଆଖି ଦୁଇଟି ଉପରେ ରଖି କହିଲା—କେତେଦିନ ପରେ ଆଜି ତୋତେ ଏକାକୀ ବୁକୁ ଉପରେ ପାଇଛି, ଶାର୍ଦ୍ଦି । ଆଜିପରା ଦିନରେ ତୁ ବି ମୋତେ କନ୍ଦାଇବୁ । ମୋର ଆଖିରେ ଲୁହ ଦେଖିଲେ ତୋତେ ଭାରି ଖୁସି ଲାଗେ, ନା ?’’

 

ଶାରଦୀର ଅନୁତପ୍ତ ପ୍ରାଣ ଗୁମୁରି ଗୁମୁରି କାନ୍ଦିଉଠିଲା–ପାଟିରୁ ତା’ର କଥା ବାହାରିଲା ନାହିଁ । ସତରେ ଥଟ୍ଟା କରିବାକୁ ଯାଇ ପ୍ରିୟତମକୁ ଯେ ତା’ର ଦାରୁଣବ୍ୟଥା ଦେଇଛି !

 

ମନୁଆ ଶାରଦୀର ମୁଣ୍ଡ ଉପରେ ହାତ ରଖି ଦୂରରୁ ସେହି ନେଳି ପାହାଡ଼ଟାଆଡ଼କୁ ଚାହିଁ ରହିଥାଏ—ସମ୍ମୁଖରେ ସବୁଜ ଧାନଖେତ । ଦୂରରେ ମାଛରଙ୍କାଟାଏ ବିଲ ମଝିରେ କେଉଁଠି ତା’ର ଆଧାର ଦେଖି ଥଣ୍ଟଟା ତଳକୁ ଦେଇ ଉଡ଼ି ବୁଲୁଥାଏ । ବେଳେ ବେଳେ ଗୋଟାଏ ଝାମ୍ପ ମାରି ପୁଣି ଉପରକୁ ଉଠି ଯାଉଥାଏ । ଦୂରରେ ନେଳି ଆକାଶତଳେ ଦୁଇଖଣ୍ଡି ଧଳା ରଙ୍ଗୀନ ମେଘ ଧୀରେ ଧୀରେ ଅଗ୍ରସର ହୋଇ ପରସ୍ପରକୁ ଚୁମ୍ବନ କଲେ– ତା’ପରେ ଦିଓଟିଯାକ ଗୋଟିଏ ହୋଇ ଦୋହଲି ଦୋହଲି ଭାସି ଚାଲିଲେ–ଅସୀମ ପଥରେ... । ଦି’ଟା ବଗ ଚଢ଼େଇ ଆଖି ଆଗରେ ତା’ର ସେଇ ନେଳି ପାହାଡ଼ର ବୁକୁ ଉପର ଦେଇ ଉଡ଼ିଗଲେ ଆଉ ଲୁଚିଗଲେ ଠିକ୍‌ ସେଇ ମେଘ ତଳରେ । ଅଜାଣତରେ ମନୁଆର ବୁକୁ ଭିତର ସ୍ପନ୍ଦନଟା ଦ୍ରୁତ ହୋଇଉଠିଲା । .....ମେଘଖଣ୍ଡିକ ତା’ର ଦୃଷ୍ଟିପଥରେ ଭାସି ଚାଲିଥାଏ– ଯେପରି ହସି ଉଠୁଥାଏ ତା’ର ସାର୍ଥକତାର ମହାନନ୍ଦରେ... ।

 

ଶାରଦୀ ଏତେବେଳକେ ତା’ର ବାହୁଲତାରେ ମନୁଆର ଗଳା ଭିଡ଼ିଧରି ପଚାରିଲା– ‘‘ରାଗିଲୁ ସତେ, ଏତେ କ’ଣ ଭାବୁଛୁ ?’’

 

ଦେଖୁଛୁ ନା, କି ସୁନ୍ଦର ଏହି ମେଘଖଣ୍ଡିକ ଉଡ଼ିଯାଉଛି । ଥିଲା ଦିଇଟା, ଦିହେଁ ଦୁଇଆଡ଼ୁ ଆସି ହେଲେ ଗୋଟାଏ...ତା’ପରେ କେମିତି ଆନନ୍ଦରେ ମାତାଲ ହୋଇ ଆପଣାକୁ ଭୁଲିଯାଇ ନାଚି ନାଚି ଉଡ଼ି ଯାଉଛନ୍ତି ।’’ ମନୁଆ ଶାରଦୀକୁ ତା’ର ଆହୁରି ନିକଟକୁ ଭିଡ଼ି ଆଣିଲା । ମନୁଆର କପାଳ ଉପରେ ଶାରଦୀର ଦୃପ୍ତ କେଶରାଶି ପବନର ହିଲ୍ଲୋଳରେ ଖେଳିଉଠିଲା । ତା’ର ନଗ୍ନବକ୍ଷର ଦ୍ରୁତ ସ୍ପନ୍ଦନ ମନୁଆର ବୁକୁତଳ ସ୍ପନ୍ଦନ ସହିତ ମିଶିଯାଇ ଦ୍ରୁତତର ହୋଇଉଠିଲା । ମନୁଆର ଆଖି ଆଗରେ ପ୍ରକୃତିର ଦୃଶ୍ୟ ଆଉଥରେ ଆଦର୍ଶ ହୋଇ ଖେଳିଉଠିଲା–ମୁହଁଟି ତା’ର ଶାରଦୀର ମୁହଁଉପରକୁ ଝୁଙ୍କି ପଡ଼ିଲା...ଦୁଇଟି ତୃଷାତୁର ଅଧର ଏକତ୍ରିତ ହେଲା—ଦୁଇଟି ବିଭିନ୍ନ ପ୍ରାଣ ଏକ ହେଲା ।

 

ସନ୍ଧ୍ୟାର ଅନ୍ଧକାର ସେତେବେଳେ ସୁଦ୍ଧା ଘନାଇ ଆସିନାହିଁ—ଉଚ୍ଚବୃକ୍ଷର ଚୂଡ଼ାରେ ଅସ୍ତଗାମୀ ସୂର୍ଯ୍ୟର ରଙ୍ଗିନ୍‌ ପରଶ ଖେଳି ଉଠୁଥାଏ । ‘ଶାରଦୀ’ ‘ଶାରଦୀ’—ଘନିଆର ଡାକରେ ଗାଁଆଟି କମ୍ପି ଉଠିଲା—ଧାନଗଛର ଶୀଷରେ ଶୀଷରେ ତା’ର ପ୍ରତିଧ୍ୱନି ଖେଳିଗଲା । ଘର, ବାହାର, ନଈକୂଳଠୁ ଆରମ୍ଭ କରି ପାଖ ପଡ଼ିଶା ଘରମାନଙ୍କରେ ଘନିଆ ଖୋଜି ଆସିଲା ଶାରଦୀକୁ ତା’ର । ଦେଖିଲା ଶାରଦୀର ଲୁଗା ଦି’ଟା ନାହିଁ ଆଉ ମନୁଆର ଘରଟା ବି ବନ୍ଦ ଅଛି । ‘ଆରେ ଆଜି ଯେ ରବିବାର—ମନୁଆର ଲୁଗା ସଫାକରିବାର ପାଳି ।’ ତା’ପରେ ହଠାତ୍‌ ତା’ର ମନେ ହେଲା ଟାଙ୍ଗିଟାର କଥା । ସେଇଟା ପାଇଁ ତ ସେ ବାଟରୁ ଫେରି ଆସିଛି । ଏତେ ବାଟକୁ ଯିବ–ଲାଠି ବଦଳରେ ସେଇଟା ତ ତା’ର ପ୍ରଧାନ ସଖା । ସେଇଖଣ୍ଡିକ ନେବାକୁ ତ ସେ ଫେରିଛି କେବଳ । କ’ଣ ଭାବି ଦଣ୍ଡେ ଛିଡ଼ା ହେଲା । ତା ପରେ କାନ୍ଥରୁ ଟାଙ୍ଗି ଖଣ୍ଡିକ ନେଇ ସେ ଛୁଟିଲା ‘ଲୁପୁଙ୍ଗୁଟୁ’ ଝର ଆଡ଼କୁ ଶାରଦୀର ସନ୍ଧାନରେ ।

 

–ଶାରଦୀ !’

 

ମୁହୂର୍ତ୍ତକେ ଦୁଇଜଣ କମ୍ପି ଉଠିଲେ ଘନିଆର ବିଷମ ଉତ୍ତେଜନାମୟ କଣ୍ଠସ୍ୱରରେ । ଭୁଜ ବନ୍ଧନ ଶିଥିଳ ହୋଇଗଲା ତାଙ୍କର । କଣ୍ଠସ୍ୱର ଅନୁସରଣ କରି ଆଖି ଫେରାଇବାମାତ୍ରକେ ଶାରଦୀର ମୁହଁ ଶୁଖିଗଲା–ତା’ର ଦସ୍ୟୁପିତା ଯେ ମନୁଆକୁ ଲକ୍ଷ୍ୟକରି ତା’ର ଟାଙ୍ଗି ଖଣ୍ଡିକ ଫିଙ୍ଗିଲା-। ‘ମନୁଆ ‘ମନୁଆ ଶାରଦୀ ମନୁଆକୁ ପଛକୁ ଠେଲିଦେଇ ତା’ ଆଗରେ ଛିଡ଼ା ହୋଇଗଲା-। ତୀକ୍ଷଣ ଟାଙ୍ଗିଖଣ୍ଡିକ ନିର୍ମମ କଠୋରତାରେ ଶାରଦୀର କୋମଳ ବୁକୁଟିକୁ ବିଦୀର୍ଣ୍ଣ କରି ବସି ରହିଲା । ତା’ପରେ ସବୁ ନିଶ୍ଚଳ ନିସ୍ତବ୍‌ଧ ! କେବଳ ଦୁଇଟି କଥା,–‘ମନୁଆ—‘ବାବା-ତା’ପରେ ଶାରଦୀର କମ୍ପିତ ଅଧର ଦୁଇଟି ଚିରକାଳ ପାଇଁ ନୀରବ ନିସ୍ପନ୍ଦ ହୋଇଗଲା ।

 

ସେତିକିବେଳେ ସେହି ‘ଲୁପୁଙ୍ଗୁଟୁର’ ନିସ୍ତବ୍‌ଧତା ବିଦୀର୍ଣ୍ଣ କରି ଦଳଛଡ଼ା ବଗୁଲାଟାଏ ଡାକିଗଲା...ଜ...ର୍‌ ର୍‌ ର୍‌.–କ...ଅ-ର୍‌ ର୍‌ ର୍‌ !

Image

 

ସ୍ମୃତିର ଢେଉ

 

ବହୁଦିନ ତଳର କଥା ।

 

ସେଥର ସାଇକେଲରେ ସିଂହଭୂମି ବୁଲୁଥାଏ । ଦିନେ ଚକ୍ରଧରପୁରରୁ ସଢ଼େଇକଳା ଅଭିମୁଖରେ ଚାଲିଥାଏ-ରାସ୍ତା ମଝିରେ ଜୁଟିଲା ଭୀଷଣ ଝଡ଼ ଆଉ ବର୍ଷା । ନିକଟରେ ଗୋଟିଏ ‘ହୋ’ ପଲ୍ଲୀ । ପଲ୍ଲୀ ପ୍ରାନ୍ତରରେ ଗୋଟିଏ ଛୋଟ ‘ରେଷ୍ଟ ହାଉସ୍‌’ । ସାଇକେଲ ନେଇ ରେଷ୍ଟ୍‌ ହାଉସ ବାରଣ୍ଡାରେ ଯାଇଉଠିଲି । ସେହି ବଙ୍ଗଳାର ରକ୍ଷକ ‘ହୋ’ ଜାତିର ବୁଢ଼ାଟିଏ । ଖୁବ୍‌ ଭଲ ମଣିଷ । ମୋର ଆଦର ଯତ୍ନ ନେଲା ଖୁବ୍‌ । ଖଣ୍ଡିଏ ଭଙ୍ଗା ଖପରାରେ ନିଆ ଜାଳି ଆଣି ଆସିଲା । ଖଣ୍ଡିଏ ଦଉଡ଼ି ଟାଙ୍ଗି ମୋ ଭିଜା ଲୁଗାପଟା ଦି’ ଖଣ୍ଡି ଶୁଖାଇ ଦେଇ ମୋ ଖିଆପିଆର ବ୍ୟବସ୍ଥା କ’ଣ ହେବ ପଚାରି ଉତ୍ସୁକ ନୟନରେ ମୋତେ ଚାହି ରହିଲା ।

 

‘‘ମୋର ସେମିତି ବାଛ ବିଚାର ନାହିଁ, ମୁଁ ତମଘରେ ଖାଇବି ।’’

 

ମୋ’ରି ପାଖରୁ ଏତକ ଶୁଣି ବୁଢ଼ା ଏକାବେଳେକେ ଚାହିଁ କରିରହିଲା । କେତେବେଳେକେ କହିଲା–‘‘ଆମ ଘରେ ଖାଇବେ ବାବୁ ? ଆମେ ପରା ‘ହୋ’ ଜାତି, ଆମ ହାତରେ କିପରି ଖାଇବେ ?’’

 

ମୁଁ ତା’ର ଏ କଥା ପଦକ ଶୁଣି ବ୍ୟସ୍ତହୋଇ ପଡ଼ିଲି, କହିଲି ଆରେ ତମେ ମଣିଷ ତ ! ମୁଁ ନିଜେ ମଣିଷ; ଏଣୁ ମୁଁ ମଣିଷ ଜାତି ଭିତରେ ରକ୍ତର ପାର୍ଥକ୍ୟ ଦେଖେ ନାହିଁ । ଯା ।’’ ବୁଢ଼ା କୃତଜ୍ଞତାର ମୁଣ୍ଡ ନୁଆଇଁ ଚାଲିଗଲା ।

 

ମୁଁ ବସି ବସି ପାଖରେ ଥିବା ଗୋଟିଏ ପୁରୁଣା ସହକାର ଧରି ତା’ ଉପରେ ଆଖି ବୁଲାଇ ଆଣୁଥାଏ । ଠିକ୍‌ ସେହି ସମୟରେ ଏକ ଶ୍ୟାମଳୀ ‘ହୋ’ ତରୁଣୀ ଆସି ପାଖ ଘରକୁ ଖାଇବାକୁ ଡାକିଲା । ସଲଜ କଣ୍ଠରେ କହିଲା–‘‘ବାବୁ ଡେରି କରିବ ନାହିଁ ।’’

 

ମୋତେ ଭୋକ ବି ଲାଗୁଥିଲା ଖୁବ୍‌ । ତେଣୁ ଆଗ୍ରହ ଥିଲେ ମଧ୍ୟ ତରୁଣୀଟି ସହିତ ଦି ପଦ କଥା ମଧ୍ୟ ହୋଇ ପାରିଲିନାହିଁ । ତା’ ପଛେ ପଛେ ଯାଇ ଖାଇବାକୁ ବସିଗଲି । ଏତକ ପଚାରି ବୁଝିଲି ଯେ ସେ ହେଉଛି ବୁଢ଼ାର ଝିଅ ।

 

ପରଦିନ ସକାଳୁ ସେଇ ସୁନ୍ଦରୀଟି ଚା’ ଆଣି ଟେବୁଲ ଉପରେ ଥୋଇଲା । ‘ଚା’ ଖାଇବା ଆଗରୁ ତା’ ହାତରେ କିଛି ବକ୍‌ସିସ୍‌ ଗୁଞ୍ଜିଦେଲି । ପ୍ରକୃତରେ ସେତେବେଳକୁ ସେହି ମାତୃହୀନା ସରଳା ‘ହୋ’ ରମଣୀଟି ମୋ ପରି ଏକ ତରୁଣ ମନରେ ପ୍ରେମଠାରୁ ସହାନୁଭୂତିଟାକୁ ହିଁ ବିଶେଷ ରୂପେ ଜାଗ୍ରତ କରିପାରିଥିଲା ।

 

ଚା’ପାନାଦି ପରେ ପୁଣି ସାଇକେଲ ଚଳାଇ ଚାଲିଲି ସଢ଼େଇକଳା ପଥରେ ।

 

ତା’ପରେ ଅନେକ ବର୍ଷ ବିତିଯାଇଛି । ସଂସାରର ଦୁର୍ବିସହ ଦୁଃଖ ଜଞ୍ଜାଳରେ ପଡ଼ି ସେହି ‘ହୋ’ ବୁଢ଼ାଟି କିମ୍ବା ତା’ର ଫୁଟନ୍ତା ଗୋଲାପ ଫୁଲପରି ସୁନ୍ଦରୀ କନ୍ୟାଟିକୁ ଏକାବେଳେକେ ଭୁଲିଯାଇଛି । ଆଜି ଠିକ୍‌ ମନେପଡ଼ୁନି, ହଠାତ୍‌ କାହିଁକି ପୁଣିଥରେ ସେହି ରେଷ୍ଟ୍‌ ହାଉସରେ ରହିବାକୁ ପଡ଼ିଥିଲା ମୋତେ । ସେଦିନ ଦେଖିଲି ଅନେକ ପରିବର୍ତ୍ତନ ହୋଇଯାଇଛି, ଘରଗୁଡ଼ିକ କିପରି ଅପରିଷ୍କାର ମନେହେଲା । ଯେପରି ଏକ ଶ୍ରୀହୀନ ଭାବ । ଟିକିଏ ପରେ ସେଇ ‘ହୋ’ ବୁଢ଼ାଟି ଆସି ପହଞ୍ଚିଲା । ପ୍ରଥମେ ବୁଢ଼ାକୁ ଦେଖି ଚିହ୍ନି ହେଲାନାହିଁ । ଗାଲ ଦି’ଟା ଏକାବେଳକେ ବସି ଯାଇଛି, ଆଖି ଦି’ଟା କୋଟର ଭିତରକୁ ବହୁତ ପଶି ଯାଇଛି । ଶିଥିଳ ହାତ ଦୁଇଟିରେ ତା’ର ନୀଳ ମୋଟା ଶିରାଗୁଡ଼ିକ ଫୁଟି ଦିଶୁଛି । ଏଇ କେଇଟା ବର୍ଷ ଭିତରେ ‘ହୋ’ ବୁଢ଼ାର ଏଇ ପରିବର୍ତ୍ତନ ଦେଖି ଅବାକ୍‌ ହେଲି । ଶେଷରେ କହିଲି–‘‘ଚିହ୍ନି ପାରୁଛ ?’’

 

ଉତ୍ତର ଦେଲା, ‘‘ନାହିଁ ।’’

 

ମୁଁ ଯେ ଥରେ ବର୍ଷା ପାଗରେ ଆସି ଏଠାରେ ରହିଯାଇଥିଲି ।’’

 

‘‘ତା’ ଆସିଥିବେ । ରାସ୍ତା କଡ଼ରେ ବଙ୍ଗଳା । ଅନେକ ହୁଏତ ଥରେ ଛାଡ଼ି କେତେଥର ଆସିଛନ୍ତି, ସମସ୍ତଙ୍କୁ କ’ଣ ମନେରଖିଛି ?’’

 

କଥାଟା ଏକାବେଳକେ ଠିକ୍‌ । କିନ୍ତୁ କଥା କହିବାର ଭଙ୍ଗିଟା ଦେଖି ଯେପରି ନୂଆ ନୂଆ ମନେହେଲା । ବୁଢ଼ା ମୋ ସାଥିରେ ନିହାତି ଦରକାରୀ କଥା ବ୍ୟତୀତ ଆଉ କଥା ପକାଇବାକୁ ନାରାଜ । ହଠାତ୍‌ ସେହି ଯୁବତୀ ଝିଅଟି କଥା ମୋର ମନେପଡ଼ିଲା । କାହିଁ ସେ ଏତେବେଳଯାଏ ତ ଆସି ନାହିଁ । କୌତୁହଳ ଲାଗିଲା, ପଚାରିଲି-‘‘ତୁମର ଝିଅ କୁଆଡ଼େ ଯାଇଛି ?’’

 

ସ୍ପଷ୍ଟ ଦେଖିଲି, ବୁଢ଼ାର ମୁହଁ ଉପରେ କାଳିମାର ରେଖା ଖେଳିଗଲା । ସେ ଯେପରି ମୋର ପ୍ରଶ୍ନ ଶୁଣିପାରି ନାହିଁ ସେହିପରି ଭାବରେ ବସି ରହିଲା । ବୁଝିବାକୁ ମୋର ଡେରି ହେଲାନାହିଁ–ମୁଁ ତା’ର ଗୋପନ କ୍ଷତରେହିଁ ଆଘାତ ଦେଇଛି । ଭାବିଲି ତାକୁ ଆଉ କିଛି ପଚାରିବି ନାହିଁ, କିନ୍ତୁ ମନର କୌତୂହଳ ମେଣ୍ଟାଇବା ପାଇଁ ମୁଁ ତାକୁ ଆହୁରି ଥରେ ଦି’ଥର ସେ ଝିଅଟି ବିଷୟରେ ପଚାରିଲି । ଶେଷରେ ସେ ନିରୂପାୟ ହୋଇ ମୋତେ ତା’ର ଝିଅର ଅନୁପସ୍ଥିତିର କାରଣ ଜଣାଇଲା ।

 

ବାହାରେ ସେତେବେଳକୁ ଖୁବ୍‌ ଜୋରରେ ଥଣ୍ଡା ପବନ ବହୁଥିଲା । କେତେବେଳେ କିମିତି ଭଙ୍ଗା ଝରକା ଭିତର ଦେଇ ଥଣ୍ଡା ପବନ ଘର ଭିତରକୁ ବୋହି ଆସି ଏକ ହିମ ପ୍ରଦେଶର ସୃଷ୍ଟି କରୁଥିଲା । ଟେବୁଲ ଉପରର ଦୀପଟା ମରଣ–ଭୀରୁ ଚକ୍ଷୁ ପରି ଥରି ଥରି ଉଠୁଥିଲା । ମୁଁ ଚୁଲି ପାଖକୁ ଚୌକିଟା ଟାଣିନେଇ ଟିକିଏ କାଶି କହିଲି,–‘‘ଆଚ୍ଛା, କୁହ ତ’’

 

ବୁଢ଼ା ମୋ ମୁହଁକୁ ଚାହିଁ ଧୀରେ ଧୀରେ କଥା ଆରମ୍ଭ କଲା–‘‘ସେଦିନ ଠିକ୍‌ ଏହିପରି କାକର ପଡ଼ୁଥିଲା । ସନ୍ଧ୍ୟାର ଟିକିଏ ଆଗରୁ ଗୋଟିଏ ଯୁବକ ଆସି ପହୁଞ୍ଚିଲା । ତା’ର ବେଶଭୂଷା ଦେଖି ଅନୁମାନ କଲି ଯେ ସେ କାଳିମାଟିରେ କାମ କରେ । ସେ ଏଠାରେ ଆସି ବଙ୍ଗଳାରେ ରହିଲା । ସେ ମୋ ସାଥିରେ ଏପରି କଥାବାର୍ତ୍ତା ସବୁ ଆରମ୍ଭ କଲା । ଯେପରି ମୁଁ ତାକୁ ବାଧ୍ୟ ବାଧକତା କରି ଏଠାରେ ଅଟକାଇ ରଖି ତା’ର କାମର କ୍ଷତି କରିଅଛି । ଖାଲି ମିଛଟାରେ ସେ ମୋତେ ଅନେକ ଖରାପ କଥା ମଧ୍ୟ କହିଲେ । ସେ ଖାଇପିଇ ସାରିଲାରୁ ମୁଁ ତାଙ୍କୁ ଶୋଇବାକୁ କହି ସାଇଆଡ଼କୁ ଟିକିଏ ଅନ୍ୟ କାମରେ ଗଲି । ଟିକିଏ ପରେ ଫେରି ଆସି ଦେଖେ, ସେ ମୋ ଝିଅ ସାଥିରେ ବେଶ ଗପ ଆରମ୍ଭ କରିଦେଇଛି । ଆପତ୍ତି କଲି ନାହିଁ । ଏମିତି ଗପ ଅନେକେ ତ କରିଥାଆନ୍ତି । ସେ ରାତିରେ ତା’ର ଦେହ କ’ଣ ଖରାପ ହେଲା—ସକାଳୁ ତା’ର ଯିବାର ବନ୍ଦ ହେଲା-। ୟା’ପରେ ଦୁଇଦିନ ଯାଏ ସେ ବିଛଣା ଛାଡ଼ିଲା ନାହିଁ । ଝିଅ ମୋର ଦିନରାତି ତା’ର ସେବା କରିବାରେ ଲାଗିପଡ଼ିଥାଏ । ଦିନେ ଦିନ ଦିପହରେ ସେ ଯିବାକୁ ବସିଲା । ଗୋଟିଏ ବଳଦ ଗାଡ଼ି ଠିକ୍‌ ହେଲା । ଗାଡ଼ି ଆସି ବଙ୍ଗଳା ସାମନାରେ ପହଞ୍ଚିଲା ବେଳକୁ ଦେଖିଲି ଝିଅ ମୋର ସଫା ଲୁଗାଟିଏ ପିନ୍ଧି ମୁଣ୍ଡର ବାଳ ସଜାଡ଼ୁଛି ।

 

‘‘ହଠାତ୍‌ ସେ ଯୁବକ କହି ବସିଲା—‘ଦେଖ ବୁଢ଼ା, ତମର ଝିଅ ମୋର ବହୁତ ସେବା କରିଛି । ତମର ଉପକାର ଶୁଝିପାରିବି ନାହିଁ । ମୋ ଦିହ ଏଯାକେ ଭଲ ଲାଗୁନାହିଁ । ସୁତରାଂ ତମ ଝିଅ ଯଦି ମୋ ସାଥିରେ ‘ଆମଦା’ ଷ୍ଟେସନଯାଏ ଯାଇ ଛାଡ଼ିଦେଇ ଆସନ୍ତା ବଡ଼ ଉପକୃତ ହୁଅନ୍ତି । ଫେରିଲାବେଳେ ଏହି ଗାଡ଼ିରେ ଚାଲି ଆସିବ ସେ । କ’ଣ ତମର ଆପତ୍ତି ଅଛି ?’

 

‘‘ଆପତ୍ତି କରିବାର କିଛି ନ ଥିଲା, ତେଣୁ ଆପତ୍ତି କଲି ନାହିଁ । ଝିଅ ମଧ୍ୟ ମୋର ଗାଡ଼ିରେ ବସି ତା’ ସାଥିରେ ଚାଲିଲା । କ୍ରମେ ସନ୍ଧ୍ୟା ହେଲା । ଯେଉଁ ଗାଡ଼ି ଷ୍ଟେସନକୁ ଯାଇଥିଲା, ସେ ମଧ୍ୟ ଫେରିଆସିଲା; କିନ୍ତୁ ଝିଅର ମୋର ଦେଖା ନାହିଁ । ଶେଷରେ ଅନ୍ଧକାର ଘନାଇ ରାତ୍ରିରେ ପରିଣତ ହେଲା—ଭୟ ଓ ଦୁଶ୍ଚିନ୍ତାରେ ମୋର ହାତ ପାଦ ଆଉ ଚଳିଲା ନାହିଁ । ଯେଉ ଶଗଡ଼ିଆ ଶଗଡ଼ ନେଇ ଯାଇଥିଲା ତାକୁ ଯାଇ ପଚାରିଲି, ସେ କହିଲା—‘ବାବୁ ତ ତୋ ଝିଅ ସାଥିରେ ରେଳରେ ବସି କାଳିମାଟି ଗଲେ ।’ ମୁଁ ସେଇଠି ମୁଣ୍ଡରେ ହାତ ଦେଇ ବସି ପଡ଼ିଲି ।

 

‘‘ଦୁଇ ତିନିମାସ ପରେ ଖବର ନେଇ କାଳିମାଟି ଯାଇ ତାଙ୍କ ପାଖରେ ପହୁଞ୍ଚିଲି । ଯୁବକଟି ମୋତେ ଦେଖି ରାଗି ଉଠିଲେ । ମୋ ହାତରେ ଟଙ୍କା କେଇଟା ଗୁଞ୍ଜିଦେଇ କହିଲେ–‘ଏଥର ଯାଅ, ଆମ ସୁଖରେ ବାଧା ଦିଅ ନାହିଁ ।’’ ତା’ପରେ ଜୋର କରି ଆପଣା ରାସ୍ତା ଧରିବାକୁ କହିଲେ ।

 

‘‘ରାଗ, ଦୁଃଖ ଓ ଘୃଣାରେ ମୋ ଶୁଖିଲା ଆଖିରୁ ପାଣି ଠପ୍‌ ଠପ୍‌ ଖସିପଡ଼ିଲା । ହାତର ଟଙ୍କା କେଇଟା ରାସ୍ତା ଉପରେ ବିଞ୍ଚିଦେଇ ଭାବିଲି,—ଝିଅ ମୋର ଗଲା କାହିଁ, ତାକୁ ତ ଦେଖିବାକୁ ପାଇଲି ନାହିଁ ।

 

‘‘ରାସ୍ତା ଉପରେ ଥାଇ ଦେଖିଲି, ସେହି ଯୁବକଟି ତାଙ୍କର ବସାରୁ ବାହାରି ସାଇକେଲରେ ବସି ଚାଲିଗଲେ । ସେ ଯେଉଁ କୋଠା ନିକଟରେ ଯାଇ ଓହ୍ଲାଇଲେ, ମୁଁ ଲୋକଙ୍କ ନିକଟରେ ମିଥ୍ୟା ପରିଚୟ ଦେଇ ସେହି କୋଠା ଦୁଆରେ ଯାଇ ହାଜର ହେଲି । ପ୍ରକାଣ୍ଡ ଦୁଇ ମହଲା କୋଠା । ଦୁଆର ମୁହଁରେ ଜଣେ ଦି’ଜଣ ବାବୁ ବାସନା ରୁମାଲରେ ନାକ ପୋଛୁଥାଆନ୍ତି ଆଉ ଧୀରେ ଧୀରେ ପଦଚାରଣ କରୁଥାନ୍ତି । ସେମାନଙ୍କୁ ମଧ୍ୟ ଠକି ଭଣ୍ଡିକରି ମୁଁ ପାଖ ଘରର ସିଢ଼ିଦେଇ ଉପର ଘରେ ଯାଇ ପହୁଞ୍ଚିଲି । ସ୍ପଷ୍ଟ ଦେଖିଲି, ସେହି ଯୁବକଟି ଗୋଟିଏ ଗଦିପକା କୁରୁଚି ଉପରେ ବସିଅଛି– ଆଉ ତା’ରି ପାଖରେ ମୋର ଝିଅ । ଯାହାକୁ ମୁଁ ପନ୍ଦରଟି ବର୍ଷ କାଖରେ କୋଳରେ କରି ବଢ଼ାଇ ଆଣିଥିଲି, ତାକୁ ଦେଖି ଚିହ୍ନିବାର ଉପାୟ ଆଉ ନାହିଁ । ଦେହରେ ଖୁବ୍‌ ଦାମୀ ପୋଷାକ, ହାତରେ ତା’ର ମୁଦି ଜକ୍‌ଜକ୍‌ କରୁଛି । ଆହୁରି କେତେ ଯେ କ’ଣ ତା’ ଦେହରେ ଭର୍ତ୍ତି ହୋଇଥିଲା ଆଜି ମୋର ଠିକ୍‌ ମନେନାହିଁ । ଯୁବକ ମୋତେ ଦେଖି ଅବାକ୍‌ ହୋଇଗଲେ । ଶେଷରେ ଝିଅ ମୋର ଯେତେବେଳେ ମୋତେ ଚିହ୍ନିଲା ସେ ସେତେବେଳେ ହଠାତ୍‌ ଚିତ୍କାର କରି ଅଜ୍ଞାନ ହୋଇପଡ଼ିଲା । ତା’ପରେ କ’ଣ ହେଲା ମୋର ମନେନାହିଁ । ମୁଁ ମଧ୍ୟ କାଠ ପାଲଟି ଯାଇଥିଲି । ଯେତେବେଳେ ଚେତନା ଆସିଲା, ସେତେବେଳେ ଦେଖିଲି ଯେ ମୁଁ ବିଚ୍‌ ବଜାରର ରାସ୍ତା କଡ଼ରେ ଶୋଇଛି । ତା’ପରେ ଏହି କେତେ ବର୍ଷ ବିତିଯାଇଛି, ମୁଁ ଆଉ ତା’ର କୌଣସି ଖବର ଜାଣେ ନାହିଁ । ସତରେ ବାବୁ, ଝିଅ ମୋର ଯଦି ମରିଯାଇଥାନ୍ତା ।

 

ବୁଢ଼ା ଦୀର୍ଘ ନିଃଶ୍ୱାସଟାଏ ପକାଇ ଚୁପ୍‌ ହୋଇଗଲା । ମୁଁ ମଧ୍ୟ ନୀରବରେ ବସି ରହିଲି, କିଛି କହିଲି ନାହିଁ । ପରଦିନ ପ୍ରଭାତରୁ ପୁଣି ମୋର ଯାତ୍ରା ଆରମ୍ଭ ହେଲା ।

 

ଆଉ ବର୍ଷ କେତେ ପରେ ଓଡ଼ିଆ ସ୍କୁଲ ଦେଖିବା ଅଭିପ୍ରାୟରେ ସେହି ରାସ୍ତାରେ ଯାଉଁ ଯାଉଁ ସେଇ ‘ହୋ’ ବୁଢ଼ାଟି କଥା ମନେପଡ଼ିଲା । ସେଦିନ ବେଳବୁଡ଼ ସରିକି ଯାଇ ସେହି ବଙ୍ଗଳାରେ ଉଠିଲି । ଭିତରକୁ ଯାଇ ବୁଢ଼ାର ନାମ ଧରି ଥରେ ଦି’ଥର ଡାକିଲି, କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । କିଛି ସମୟ ପରେ ଜଣେ ପ୍ରୌଢ଼ା ସ୍ତ୍ରୀଲୋକ ବାହାରକୁ ଆସି ମୋର ପାଦରୁ ମୁଣ୍ଡଯାକ ଥରେ ଚାହିଁଗଲେ, ତା’ପରେ ପଚାରିଲେ–‘‘ତମେ କାହାକୁ ଖୋଜୁଛ ? ସେଇ ବୁଢ଼ା କୋହ୍ଲକୁ ? –ସେ ତ ଆଜକୁ ଦୁଇବର୍ଷ ହେଲା ମରିଯାଇଛି । ବର୍ତ୍ତମାନ ମୋର ସ୍ୱାମୀ, ଏହି ବଙ୍ଗଳାର ଚୌକିଦାର । ତମେ କ’ଣ ଏଠାରେ ରହିବ ?’’

 

କହିଲି, ‘‘ରହିବି ନାହିଁ ଯେ, ମୋର ଜଣେ ଲୋକ ଦରକାର ।’’

 

ବୁଝିପାରିଲା ନାହିଁ ପରା ସେ ! ମୋ ଆଡ଼କୁ ଚାହିଁ ରହିଲା କେବଳ ।

 

ପୁଣି ମୁଁ କହିଲି–‘‘ମୋର ଗୋଟିଏ ଲୋକ ଦରକାର-ସେଇ ‘ହୋ’ ବୁଢ଼ାଟିକୁ ଯେଉଁଠି ପୋତିଛନ୍ତି ସେହି ସ୍ଥାନଟି ଦେଖାଇଦେବ ।’’

 

‘‘ଆପଣ ଟିକିଏ ଅପେକ୍ଷା କରନ୍ତୁ’’–କହି ସେ ଚାଲିଗଲା ।

 

କିଛିକ୍ଷଣ ପରେ ଗୋଟିଏ ବାଳକ ସହିତ ମୁଁ ସେହି ‘ହୋ’ ବୁଢ଼ାର ସମାଧି ଦେଖିବାକୁ ଚାଲିଲି । ରାସ୍ତାରେ ସେଇ ବାଳକଟି କେତେ କ’ଣ ଗପି ଯାଉଥାଏ—ବିଚାରା ସେ କୋହ୍ଲ ବୁଢ଼ାଟି ଭାରି ଭଲ ଲୋକ ଥିଲା । ସେ ମଲାପରେ ମଧ୍ୟ କେତେ ଲୋକ ଆସି ତାକୁ ଖୋଜିଛନ୍ତି । ଏଇ ତ ସେଦିନ ଗୋଟିଏ ମଟରଗାଡ଼ି ନେଇ ଛୁଆପିଲା ଚାକର ବାକର ଧରି ଜଣେ ସୁନ୍ଦରୀ ବାବୁଆଣୀ ଆସି ମୋ ମାଆକୁ ପଚାରିଲେ–‘ସେଇ ବଙ୍ଗଳା ଚୌକିଦାର ଅଛି ?’ ମା’ ତାଙ୍କୁ ଯେମିତି ‘ନାହିଁ’ କହିଛନ୍ତି–ସେ ଲୋକଟିର କି କାନ୍ଦ ! ଆମେ ତ ଅବାକ୍‌ ! ତା’ପରେ ସେଇ ବୁଢ଼ାର ସମାଧି କେଉଁଠି ଦିଆହୋଇଛି ପଚାରିଲେ । ମା’ ସ୍ଥାନଟାର ନାମ କହି ଲୋକ ସାଥିରେ ଦେବାକୁ କହିବାରୁ କହିଲେ–ନା, ଦରକାର ନାହିଁ, ମୋର ଜଣାଶୁଣା ଜାଗା । ସେ ସେହି ସମାଧି ଆଡ଼କୁ ଚାଲିଗଲେ । ମୁଁ କିନ୍ତୁ ପଛେ ପଛେ ଯାଇ ଦେଖିଲି ସେ ସେହି ସମାଧି ପଥର ଉପରେ ପଡ଼ି କାନ୍ଦୁଛନ୍ତି । ମୁଁ ତାହା ଦେଖି ଅବାକ ହୋଇଗଲି । ସେ ଯାହାହେଉ ଲୋକ କିନ୍ତୁ ଭାରି ଭଲ । ଗଲାବେଳେ ମୋତେ କିଛି ବକ୍‌ସିସ୍‌ ଦେଇଗଲେ ।’’

 

ବୁଝିବାକୁ ମୋର ବିଳମ୍ବ ହେଲା ନାହିଁ ଯେ–ସୁନ୍ଦରୀଟି କିଏ ?

 

ନୀରବରେ ଆଉ କିଛିଦୂର ଯାଇ ଗୋଟିଏ ବଡ଼ ତେନ୍ତୁଳିଗଛ ମୂଳରେ ସେଇ ବୁଢ଼ାର ସମାଧି ପାଖରେ ଆସି ପହଞ୍ଚିଲି । ଦେଖିବା ଭଳି କିଛି ନ ଥିଲା । ଗୋଟିଏ ମାଟିକୁଦ ଉପରେ ବଡ଼ ପଥରଟିଏ ଥୁଆ ହୋଇଛି । ମୁଁ କିଛିକ୍ଷଣ ସ୍ଥାଣୁ ପରି ବସି ରହିଲି; ସେଇ ବୁଢ଼ାର ଶେଷ କଥାପଦକ ମୋର ମନେପଡ଼ିଗଲା ‘ଝିଅ ମୋର ଯଦି ମରିଯାଏ ତା’ ପଛକେ ଭଲ, ମାତ୍ର ମୁଁ’–କଥା ସେ ଶେଷ କରିପାରିନଥିଲା ।

 

ମୁଁ ତାକୁ ସାନ୍ତ୍ୱନା ଦେଇ କହିଥିଲି,– ‘‘ଏମିତି ଚିନ୍ତା କର ନାହିଁ । ଏ ତ ଭାଗବାନଙ୍କର ଖେଳ ! ସୃଷ୍ଟିର ନିୟମ ! ତୁମେ କ’ଣ କରିବ ?’’

 

କାହିଁକି ଜାଣେ ନା, ସେଦିନ ମୋର ମଧ୍ୟ ଦୁଇଟି ଆଖିରେ ଅଶ୍ରୁ ଭରି ଉଠିଲା । ସେଇ ପଥର ପାଖରେ ଛିଡ଼ାହୋଇ ଭଗବାନଙ୍କ ନିକଟରେ ଜଣାଇଥିଲି–‘‘ହେ ପ୍ରଭୁ, ଜୀବନରେ ଯେବେ ଯଦି କିଛି ପୁଣ୍ୟ କରିଥାଏ, ତେବେ ତା’ର ପୁରସ୍କାର ସ୍ୱରୂପ କେବଳ ଏହି ପ୍ରାର୍ଥନା–ଯେପରି ଏହି ହତଭାଗ୍ୟ ବୁଢ଼ା ପରଲୋକରେ ସୁଖରେ ରହେ ।’’

 

ତା’ପରେ କେତେ ବର୍ଷ ବିତିଗଲାଣି ।

 

କେଉଁଠି ବା ସେଇ ବଙ୍ଗଳା ରକ୍ଷକ ‘ହୋ’ ବୁଢ଼ା, ଆଉ କେଉଁଠି ବା ତା’ର ଝିଅ ? କାହାକୁ ଆଉ ମନେପଡ଼େ ନାହିଁ । ତେବେ ଗୋଟିଏ ପଦାର୍ଥ ମୋ ଆଖି ସାମନାରେ ବେଳେବେଳେ ନାଚିଉଠେ—ତାହା ସେହି ତେନ୍ତୁଳି ଗଛମୂଳରେ ଏକ ମାଟିକୁଦ ଉପରର ବଡ଼ ପଥର ଖଣ୍ଡିକ ! ତା’ରି ଭିତରେ କେତେ ବ୍ୟଥାର ଅଶ୍ରୁଳ ରାଗୀଣି ଯେ ବାଜି ଚାଲିଥିଲା—ଜନମନର ଅଜ୍ଞାତରେ କିଏ ଜାଣେ !

Image

 

ଅଭିଶପ୍ତ

ସାରାଜୀବନର ଦାନ

 

‘‘ବାପା, ଗୋଟିଏ ପଇସା–ବାପା !’’

 

ଛଅଟା ବାଜି ଯାଇଥାଏ । ଉତ୍କଳ ଏସୋସିଏସନରେ ଗୋଦାବରୀଶବାବୁ ବକ୍ତୃତା ଦେବେ–ଓଡ଼ିଆ ସ୍ୱାର୍ଥରକ୍ଷା କମିଟି ଓ ସିଂହଭୂମି ସମସ୍ୟା ବିଷୟରେ । –ତା’ କଥାରେ କାନ ନ ଦେଇ ଆଗକୁ ବଢ଼ି ଚାଲିଲି ।

 

‘‘ବାପା, ଶୁଣିଲ ନାହିଁ ? ଖାଲି ଗୋଟିଏ ପଇସା ! ପୁଣି ସେଇ କରୁଣ ସ୍ୱର ।

 

ଏଥର କିନ୍ତୁ ତା’ ଆକୁଳ ପ୍ରାର୍ଥନା ଶୁଣି ଚମକି ଉଠିଲି । ପଇସେ ଅଧଲେ ଥାଇପାରେ ମନେକରି ପକେଟ ଭିତରେ ହାତ ଭର୍ତ୍ତି କଲି । ମାତ୍ର ପକେଟ ଥିଲା ଖାଲି–ଏକାବେଳେକେ ଝାଡ଼୍‌ଝୁଡ଼୍‌ ।

 

ପକେଟରେ ମୋତେ ହାତ ଭର୍ତ୍ତି କରିବା ଦେଖି ସେ ମୋର ପାଖକୁ ଲାଗି ଆସିଲା । ଓଠରେ ମୋର ହାତ ମାରିଦେଇ କହିଲା–‘‘ଆହା–ହା...ହା, ଧନଟା ମୋର,–ଜଗନ୍ନାଥେ ତୋତେ ଅଧିକରୁ ଅଧିକ କରନ୍ତୁ ବାପ !’’ ତା’ର କୋଟରାଗତ ଦୁଇଟି ବୁଭୁକ୍ଷୁ ଚକ୍ଷୁର ତୀକ୍ଷ୍‍ଣ ଦୃଷ୍ଟି ମୋର ପକେଟ୍‌ ଭିତରର ହାତ ଉପରେ ନ୍ୟସ୍ତ ଥିଲା ।

 

ମୁଁ ଟିକିଏ ଇତଃସ୍ତତ ହେଲି–ଛାତି ଭିତରଟା ମୋର କମ୍ପି ଉଠିଲା । ସେ ଏକ ବିରାଟ ଆଶା ଘେନି ମୋ ନିକଟରେ ହାତପତାଇ ଛିଡ଼ା ହୋଇଛି; ଆଉ ମୁଁ ଦାନବୀରରୂପେ ପକେଟ୍‌ ଭିତରେ ହାତ ଭର୍ତ୍ତିକରି ଛିଡ଼ାହୋଇଛି । ଏଣେ ପକେଟରେ ପଇସାଟିଏ ବି ନାହିଁ । ମୋ ନିକଟରେ ଏହା ଏକ ଗୁରୁତର ସମସ୍ୟା ହୋଇଉଠିଲା ।

 

ମୁଁ ତା’ର ହାତ ଦୁଇଟି ଧରିପକାଇ କହିଲି—‘‘ମା !’’ । ଲଜ୍ଜାରେ ମୁଁ ଲାଲ ହୋଇଗଲି ! ସେ କିନ୍ତୁ ଅସ୍ପଷ୍ଟ ସ୍ୱରରେ ଆପେ ଆପେ କହି ଉଠିଲା–‘‘ହଉ ବାପା !’’ –ମୁଣ୍ଡ ମୋର ତଳକୁ ନଇଁଗଲା ।

 

ସେ କିନ୍ତୁ ମୋର ହୃଦୟର ଭାବ ପରିଷ୍କାର ବୁଝିପାରିଲା ଭଳି ଏତିକି କହିଲା-‘‘ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ ବାପା !’’ –ଆଉ ବାଡ଼ି ଠୁକୁ ଠୁକୁ କରି ଆଗକୁ ଚାଲିଲା ।

 

ମୁଁ ସେଇଠି କାଠଭଳି ଛିଡ଼ା ହୋଇରହିଲି–ତା’ର ଗତିପଥକୁ ଚାହିଁ । ବତିଖୁମ୍ବ ପାର ହୋଇ ସେ ସଡ଼କ ଭିତରେ ଲୁଚିଗଲା । ମୁଁ ଯନ୍ତ୍ର-ଚାଳିତବତ୍‌ ଉତ୍କଳ ଏସୋସିଏସନ ହତା ଭିତରକୁ ପଶିଲି ।

 

ମଣିଷ ତା’ ଜୀବନରେ କେତେ କ’ଣ ସୁନାଲି କଳ୍ପନା ନେଇ ନିତି ବ୍ୟସ୍ତ ଥାଏ । କିନ୍ତୁ ତା’ର ସେଇ କଳ୍ପନା ଯେ ଖୁବ୍‌ କ୍ୱଚିତ ଫଳବତୀ ହୁଏ ଏଥିରେ ସନ୍ଦେହ ନାହିଁ–କିମ୍ବା ପାରିପାର୍ଶ୍ୱିକ ପରିସ୍ଥିତି ନେଇ ଶେଷରେ ସେ ଆପଣା ଛାଏଁ ବାଧ୍ୟ ହୋଇ ସେଇ ସବୁ କଳ୍ପନାକୁ ଚିରଦିନ ପାଇଁ ହୃଦୟ ଭିତରୁ ପୋଛିଦିଏ ।

 

ମୋର ଭାଗ୍ୟରେ ଠିକ୍‌ ସେଇ ଦଶା ଘଟିଥିଲା । ଯେତେବେଳେ ମୁଁ ସ୍କୁଲରେ ପଢ଼େ, ମନେ ମନେ କେତେ ଭାବିଛି—ଯେତେବେଳେ ଏମ.ଏ. ଆଉ ବି.ଏଲ, ଦି’ଟାଯାକ ଉପାଧି ହାସଲ କରିବି, ଭଲ ଚାକିରୀଟାଏ ତ ନିଶ୍ଚୟ ମିଳିବ ଅନ୍ତତଃପକ୍ଷେ ଗୋଟିଏ ଦିପୋଟି । ମାସକୁ ପାଞ୍ଚ ଶହ ଟଙ୍କା ତ ଥୁଆ ! କିନ୍ତୁ ଯେତେବେଳେ ମୁଁ ବାସ୍ତବରେ ବି.ଏ.ପାଶ କଲି, ସେତେବେଳେ ଦେଖିଲି ମୋର ଚତୁର୍ଦ୍ଦିଗ-ଘୋର ଅନ୍ଧକାର-ଦାରିଦ୍ର୍ୟ ! ତା’ ଉପରେ ପୁଣି ସେହି ମହାସଂକ୍ରାମକ ବ୍ୟାଧି ‘ବେକାର’ ମୋ ପରି ଡିଗ୍ରୀଧାରୀମାନଙ୍କୁ ଦେଖି ବିରାଟ ମୁଖବ୍ୟାଦାନ କରି ଅଟ୍ଟହାସ କରୁଥିଲା–ତୀବ୍ର ଅଟ୍ଟହାସ ।

 

ମୁଁ ଚମକି ଉଠିଲି । ଏ ପୁଣି କ’ଣ ହେଲା ? ମୋର ସବୁ ସୁନାଲି କଳ୍ପନା ପାଣି ଫୋଟକା ପରି ମିଳାଇଗଲା ରଙ୍ଗିନ ସ୍ୱପ୍ନର ବିରାଟ ସ୍ତମ୍ଭ ମୋର ବେକାର-ବନ୍ୟାର ପ୍ରଚଣ୍ଡ ଆଘାତରେ ଭାସି ଚାଲିଗଲା । ଶେଷରେ ମୋତେ ବାଧ୍ୟ ହୋଇ ଜାମସେଦପୁରର ବିରାଟ ଯନ୍ତ୍ର-ଦାନବ ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିଲା–ମାସକୁ ଚାଳିଶ ଟଙ୍କା ବେତନର କିରାଣୀଗିରି-

 

ସେ ଦିନ ଅଫିସ କାମସାରି ବସାକୁ ଫେରୁଥାଏ,—ନାରଭିରାମ୍‌ ଦୋକାନ ପାଖରେ ସାଇକେଲ ଚକଟାରୁ ପବନ ବାହାରିଗଲା । ବାଧ୍ୟ ହୋଇ ଚାଲି ଚାଲି ଫେରୁଥାଏ । ରିଗେଲ୍‌ ସିନେମା ପାଖରେ ମୋର ପରିଚିତ ଏକ କବିବନ୍ଧୁଙ୍କ ସହ ଦେଖାହେଲା । ଫୁଟ୍‌ପାଥ୍‌ ଉପରେ ଛିଡ଼ାହୋଇ ଦିହେଁ କେତେ ଗପ ଆରମ୍ଭ କରିଦେଲୁଁ । ପ୍ରାୟ ଦଶ ବାର ମିନିଟ୍‌ ପରେ ସେ ମୋଠାରୁ ବିଦାୟ ନେଇ ଅଳ୍ପଦୂର ଯାଇଥାଆନ୍ତି—ପଛରୁ ହଠାତ୍‌ ଶୁଣିଲି–‘‘ବାପା, ଗୋଟିଏ ପଇସା ।’’

 

ମୁଁ ଟିକିଏ ଥମିଗଲି; ପୁଣି ସାଇକେଲ ଠେଲି ଆଗକୁ ଚାଲିଲି । ଭାବିଲି—ଏ ଦୁର୍ବଳତା ମୋର କାହିଁକି ? ଏ ତ ସଂଘର୍ଷମୟ ଜଗତ ! ଏ ସଂଘର୍ଷରେ କେତେ କେତେ ଲୋକଙ୍କର କେତେ ମହାପରିବର୍ତ୍ତନ ଘଟୁଛି—‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର !’ –ୟା’ରି ପରି ତ ଆହୁରି କେତେ ଭିକାରୀ ପଡ଼ି ରହିଛନ୍ତି—ତାଙ୍କୁ କିଏ ପଚାରୁଛି ! ଚାରିପାଖରୁ କେବଳ ଆବେଗଭରା ସହସ୍ର କରୁଣ ନିବେଦନ—‘‘ବାବୁ ଦିଅ–ବାବୁ ଦିଅ ।’’ କାହାକୁ କେତେ ଦେବ ? ଏକୁ ଆରେକ ମହାଦୁଃଖୀ !

 

କେତେ କ’ଣ ଭାବି ତା’ଆଡ଼କୁ ନ ଚାହିଁ ମୁଁ ଆଗକୁ ଚାଲିଲି । ପୁଣି ତା’ର ଆକୁଳ ପ୍ରାର୍ଥନା କାନ ପାଖରେ ମୋର ଗୁଞ୍ଜରି ଉଠିଲା–‘ବାପା, ଚାଲି ଯାଉଛ ? ପଛକୁ ଫେରି ଚାହିଁଲ ନାହିଁ ?’ ଆଉ ମୋର ହୃଦୟ ଭିତରେ ସତେ ଯେପରି କିଏ ଚିତ୍କାରକରି ଉଠିଲା-‘ଆରେ ସେ ବି ତ ତୋରି ପରି ଜଣେ ମଣିଷ ! ମଣିଷ ତ ! ଆଉ ତୁ ତାକୁ ଟିକିଏ ଫେରି ଚାହିଁବାକୁ ବି ନାରାଜ ! କି ବିରାଟ ଅସମ୍ମାନ ! ଏହି ପରା ତୋର ମାନବିକତା ପ୍ରତି ଉପଯୁକ୍ତ ଅଭ୍ୟର୍ଥନା ଧିକ୍‌ ପାଷାଣ ।’ ମୋର ପାଦ ଯେପରି ସତକୁ ସତ ପଥର ପାଲଟି ଗଲା । ମୁଁ ଆଗକୁ ଯାଇପାରିଲି ନାହିଁ, ସେଇଠି ଫେରି ଦେଖିଲି, ସେ ଦିନର ସେହି ଦୈନ୍ୟ ଦୁର୍ଦ୍ଦଶାଗ୍ରସ୍ତ ବୁଢ଼ୀ ଭିକାରିଣୀ, ଅର୍ଦ୍ଧନଗ୍ନ ଶରୀର, ମୁଣ୍ଡରେ ତା’ର ଝୋଟ ପରି ନୁଖୁରା ଧଳା ବାଳ ଫୁରୁ ଫୁରୁ ହୋଇ ଉଡ଼ୁଛି–ଶତଚ୍ଛିନ୍ନ ମଇଳା ଲୁଗା ଖଣ୍ଡିକ, ତା’ ଉପରେ ବି ସହସ୍ର ତାଳି ଲାଗିଛି । ନିଷ୍ପ୍ରଭ କୋଟରାଗତ ଚକ୍ଷୁ, ହାଡ଼ ଉପରେ ଯେପରି ଚମଡ଼ା ଛାଆଣି ହୋଇଛି କେବଳ ! ଏକ ଜୀବନ୍ତ ନର କଙ୍କାଳ !

 

ସେଇ ବୁଢ଼ୀ ଭିଖାରିଣୀ ଆଡ଼କୁ ଚାହିଁଲାମାତ୍ରକେ ମୁଁ ତା’ର ଆଖିର ମୂକ ଭାଷା ବୁଝିପାରିଲି । ହାତ ମୋର ଯନ୍ତ୍ରଚାଳିତବତ୍‌ ପକେଟ୍‌ ଭିତରେ ଭର୍ତ୍ତି ହେଲା । ସୁଉକିଟିଏ କେବଳ ଥିଲା; ମୁଁ ସେଇ ସୁଉକିଟି ନେଇ କମ୍ପିତ ହସ୍ତରେ ବୁଢ଼ୀର ହାତ ଉପରେ ରଖିଦେଲି ।

 

ଆହା-ହା-ହା-ବାବା, ଜଗନ୍ନାଥେ ତୋତେ ଅଧିକରୁ ଅଧିକ କରନ୍ତୁ ବାପ, ଆହା-ହା-ହା...ଆଃ’ କହି ସୁଉକିଟିକୁ ଖୁବ୍‌ ଯତ୍ନ ସହକାରେ କାନିରେ ଗଣ୍ଠାଇ ଅଣ୍ଟାରେ ଖୋସି ବୁଢ଼ୀ ଯେଉଁ ରାସ୍ତା ଧରି ଆସିଥିଲା ବାଡ଼ି ଠୁକୁ ଠୁକୁ କରି ପୁଣି ସେହି ରାସ୍ତାରେ ଚାଲିଲା ।

 

ମୁଁ କିନ୍ତୁ ସେଇ ଫୁଟ୍‌ପାଥ୍‌ ଉପରେ ନିର୍ଜୀବ ପ୍ରତିମା ପରି ଛିଡ଼ାହୋଇ ରହିଲି । ମୋ ମନରେ ଏକ ବିଚିତ୍ର ବିଚାରଧାରା ଖେଳି ଉଠିଲା । କେତେ ଲୋକ ଏହି ହତଭାଗ୍ୟ ବୁଢ଼ୀକୁ ଧିକ୍କାର କରୁନଥିବେ ! କେହି କେହି ମଧ୍ୟ ପୁଣ୍ୟ ପ୍ରାପ୍ତିର ଗର୍ବ ନେଇ ଅଧଲାଏ ପଇସାଏ ତା’ ସାମନାରେ ଫିଙ୍ଗି ଦେଉଥିବେ–ତାଚ୍ଛଲ୍ୟରେ ! କିନ୍ତୁ ଭଗବାନ କ’ଣ ତାକୁ କେବଳ ଦୁଃଖ ସହିବାକୁ ଜନ୍ମ ଦେଇଛନ୍ତି ? —ନା ତାକୁ ପେଟପୁରା ମୁଠାଏ ଖାଇବାକୁ ମିଳୁଛି,–ନା ଶୋଇବାକୁ ଟିକିଏ ଯାଗା,–ନା ପିନ୍ଧିବାକୁ ଖଣ୍ଡିଏ କନା ? ଓଃ, ମଣିଷ ଜୀବନର କ’ଣ ଏହି ପରିଣତି ! ମାନବ ହୃଦୟର ଏଇୟା କ’ଣ ଚରମ ଦୁର୍ଗତି ! ଭୀଷଣ ! ହତାଶ୍‍ମୟ !

 

—ଅନ୍ୟମନସ୍କ ଭାବରେ ମୁଁ ଯେତେବେଳେ ବସାରେ ପହଞ୍ଚିଲି ସେତେବେଳେ ହୃଦୟ ମୋର ସେହି ପ୍ରପୀଡ଼ିତ ଦୀନସମାଜ ପ୍ରତି ସମବେଦନାରେ ଭରି ଉଠିଥାଏ ।

 

କିଛିଦିନ ପରେ—

 

ସେଦିନ ଥାଏ ଶନିବାର ଅଫିସରୁ ଫେରି ଆଶ୍ୱସ୍ତିର ନିଶ୍ୱାସ ମାରି ବାରନ୍ଦାରେ ବସି ଚା’ ପିଉଥାଏ । କେତେ ଅସଂଲଗ୍ନ ଚିନ୍ତା ମସ୍ତିଷ୍କରେ ମୋର ଖେଳି ଉଠୁଥାଏ– ତା’ର କଳନା ନାହିଁ । କାଲି ରବିବାର—ଅନ୍ୟ ଦିନ ପରି ଆଠଘଣ୍ଟା ଖଟଣିର ଆଶଙ୍କା ନାହିଁ । କାଲି ଦିନଟା ଭିତରେ କ’ଣ କ’ଣ କରିବାକୁ ହେବ ? ଅନ୍ତତଃ ସେଇ ପଖାଳଖିଆ ଛୋକରା ସାଇବଟାକୁ ଟିକିଏ ସଲାମ ବଜାଇ ଆସିବାକୁ ହେବ—ତା’ ନ ହେଲେ ଯେ ବଡ଼ବଡ଼ିଆଙ୍କ ପାଖକୁ ଯିବା ରାସ୍ତା ଆମର ବନ୍ଦ ! ତା’ପରେ ‘ରହସ୍ୟମୟୀ’ର ପାଣ୍ଡୁଲିପିଟା ନେଇ ଆମ ତ୍ରିପାଠୀଙ୍କ ପାଖକୁ ଟିକିଏ ଯିବାକୁ ହେବ । ଏଣେ ପୁଣି ସନ୍ଧ୍ୟାକୁ ଉତ୍କଳ ଏସୋସିଏସନରେ ସୋସାଇଟିର ମିଟିଂ ଅଛି । ବଜାରରୁ ସପ୍ତାହକ ପାଇଁ ଘରର ସଉଦା କିଣିବାକୁ ହେବ । ଏମିତି ଆହୁରି କେତେ ! ଅଫିସ ଛୁଟି ହେଲେ ମଧ୍ୟ ବସାରେ ତ କାମ ଭରି ରହିଛି ! ଦିନ ଗୋଟିଏ ମଧ୍ୟ ବିଶ୍ରାମ ନାହିଁ ! ଓଃ କି ଜଞ୍ଜାଳ—

 

ଏତିକିବେଳେ ଚିତ୍କାର ଉଠିଲା—‘‘ବାବୁ, ଗୋଟିଏ ପଇସା ମିଳୁ ।’’

 

ମୁଁ ତା’ଆଡ଼କୁ ଫେରି ଦେଖିଲି–‘ଏଇ ଯେ ଏ ତ ସେହି ଭିଖାରିଣୀ ବୁଢ଼ୀ । ଆ, ଆ, ଏଇଠି ବସ’—ଅତର୍କିତରେ ଏତକ ମୋ ମୁହଁରୁ ବାହାରି ପଡ଼ିଲା ।

 

ସେ ବାରଣ୍ଡା ଉପରେ ଉଠି ବସିଲା ଆଉ ଆଶ୍ୱସ୍ତିର ନିଶ୍ୱାସଟିଏ ଛାଡ଼ି ଧୀର ସ୍ୱରରେ କହିଲା—‘ଗୋଟିଏ ପଇସା ମିଳିଯାଉ ବାବୁ !’ ମୋ ଆଖି ଆଗରେ ବୁଢ଼ୀର ଜୀବନ ସ୍ପଷ୍ଟ ହୋଇଉଠିଲା—ତା’ର କୋଟରାଗତ ଚକ୍ଷୁ ଦୁଇଟିରେ ଦୟାର ଯାଚଜ୍ଞା ଭରି ରହିଛି, ସ୍ୱରରେ ହୃଦୟସ୍ପର୍ଶୀ କମ୍ପନ ପରିସ୍ଫୁଟ ହୋଇଉଠୁଛି !

 

‘ଗୋଟିଏ ପଇସା ଜମା ?’ ମୁଁ ପଚାରିଲି । ସେ ମୋତେ ଚାହିଁ ମୁଣ୍ଡଟି ଥରାଇ ଧୀରକରି ହସିଦେଲା ଆଉ ମୁଣ୍ଡଟି ତା’ର କୃତଜ୍ଞତାରେ ନଇଁ ପଡ଼ିଲା ।

 

‘ଆଚ୍ଛା ବୁଢ଼ୀ–ମୋଟ କେତେ ପଇସା ପାଇଲୁଣି ?’ –ମୁଁ ହସିକରି ପଚାରିଲି ।

 

‘ପାଞ୍ଚୋଟି ପଇସା ମିଳିଛି ବାବୁ’—ବୁଢ଼ୀ, ତା’ର ଛିନ୍ନ ଲୁଗା ଗଣ୍ଠିରୁ ପଇସା ବାହାର କରି ମୋ ଆଗରେ ଗଣିଦେଲା ।

 

‘ପାଞ୍ଚ ପଇସା ଜମା ? —ଆଚ୍ଛା ବୁଢ଼ୀ, ତୋ ଘରେ କେତେ ପ୍ରାଣୀ କୁଟୁମ୍ବ ?’

 

‘ଘର ?’ ‘ପ୍ରାଣୀ ?’ ବୁଢ଼ୀ ବିକଟ ଅଟ୍ଟହାସ କରି ଉଠିଲା । ତା’ର ସେହି ଅଟ୍ଟହାସରେ ବସା ମୋର କମ୍ପିଉଠିଲା । ଚାକରଟା ମୋର ଘର ଭିତରୁ ଦଉଡ଼ି ଆସିଲା, ଆଉ ଭିଖାରିଣୀଟାଏ ଗୋଳ କରୁଛି ଦେଖି ମନେ ମନେ ରାଗିଉଠିଲା।

 

ମୁଁ ନିଜର ଭୁଲ ବୁଝିପାରିଲି—ଭିଖାରୁଣୀର ପୁଣି ଘର କାହିଁ ? ତା’ର ତ ରହିବାର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ । ଯେଉଁଠି ରାତିଟାଏ ବିତାଇ ଦେଲା, ସେଇ ହେଉଛି ତା’ର ଘର । କିନ୍ତୁ କୁଟୁମ୍ବ ? କେହି ହେଲେ ତା’ର ଆପଣାର ଥିବେ–ପୁଅ ଝିଅ କି ନାତି ନାତୁଣୀ ।

 

ମୁଁ ପୁଣି ମୋ କଥାକୁ ବାଗେଇ କହିଲି —‘ଆରେ ବୁଢ଼ୀ ଘର ସିନା ନାହିଁ–କିନ୍ତୁ ତୋର ଆପଣାର ହୋଇ କେହି ଥିବେ ତ ?’’ ସେ ତାଚ୍ଛଲ୍ୟ ସହ ଟିକିଏ ହସି ଦେଲା ଆଉ ମୁଣ୍ଡ ହଲାଇ କହିଲା—‘କେହି ନାହିଁ ବାବା, କେହି ନାହିଁ ।’ ଗୋଟିଏ ଦୀର୍ଘ ନିଶ୍ୱାସ ବୁଢ଼ୀର ପଞ୍ଜରାକାଠି ଥରାଇ ବାହାରି ଆସିଲା । ହୃଦୟ ମୋର ବ୍ୟଥାରେ ଆତୁର ହୋଇ ଉଠିଲା । ହଁ, ଜଗତରେ ଏହିପରି ତ ଅନେକ ଲୋକ ଅଛନ୍ତି,—ନା ଅଛି ତାଙ୍କର ଘର, ନା ଆପଣାର ବୋଲି କେହି ! ସଙ୍ଗେ ସଙ୍ଗେ ମୁଁ ଚାକରକୁ ଆଲନାରୁ ମୋର ପଞ୍ଜାବୀଟା ଆଣିବାକୁ କହିଲି । ପକେଟରେ ଗୋଟାଏ ଟଙ୍କା ଥିଲା, ଟଙ୍କାଟି ନେଇ ବୁଢ଼ୀର ହାତ ଉପରେ ଧୀର କରି ରଖିଦେଲି ।

 

ଟଙ୍କାଟିଏ ! ବୁଢ଼ୀର ଆଖି ଝଲସିଗଲା । ତା’ର ସେଇ ନିଷ୍ପ୍ରଭ ଆଖି ଦୁଇଟିରେ ପ୍ରସନ୍ନତା ଆଉ ଆଶୀର୍ବାଦର ଛାୟା ନାଚି ଉଠିଲା । ଦଣ୍ଡେ ମୋ ଆଡ଼କୁ ଚାହିଁଲା, ଆଉ ‘ଜଗନ୍ନାଥ ତୋତେ ବଡ଼ କରନ୍ତୁ ବାପା’—ଏହା କହି ରାସ୍ତା ଉପରକୁ ଓହ୍ଲାଇ ଆନନ୍ଦରେ ଚାଲିଲା–ବାଡ଼ି ଠୁକୁଠୁକୁ କରି । ‘‘ଆଜ୍ଞା, ଏଇ ମାଗିଖାଇ ବୁଢ଼ାଟାକୁ ଟଙ୍କାଟାଏ ଦେଇ ପକାଇଲେ ? ବୁଢ଼ୀ ଚାଲିଯିବା ସଙ୍ଗେ ସଙ୍ଗେ ଚାକର ଟୋକା ଅବାକ୍‌ ହୋଇ ପଚାରିଲା ।

 

‘‘ଆଃ ! ଥାଉ ବେଚାରି ଗରିବ ବୁଢ଼ୀଟା !’ କହି ବିଛଣାରେ ଯାଇ ପଡ଼ିଲି, ସେହି ଦିନଠାରୁ ମୁଁ ଯେତେବେଳେ ଯେଉଁଠି ବୁଢ଼ୀକୁ ପାଏଁ, ତା’ ହାତରେ କିଛି ନା କିଛି ରଖିଦିଏ ନିଶ୍ଚୟ–କେବେ ଦୋଅଣୀ, କେବେ ସୁଉକି, କେବେ ଦୁଇ ଚାରି ପଇସା ମଧ୍ୟ ।

 

ଭିଖାରିଣୀ ବୁଢ଼ୀର ହୃଦୟରେ ମଧ୍ୟ ମୋ ପ୍ରତି ଏକ ଆକର୍ଷଣ ଆସି ଯାଇଥିଲା । ସେଥିପାଇଁ ବୁଢ଼ୀ ନିତି ଆସେ, କେତେ କଥା ଗପେ । ତା’ ଭିତରେ ନିଜ ଦୁଃଖ କଥା ବେଶି କହେ–ବାବୁ ଏ ଯେଉଁ ସହର, ଆମ ଓଡ଼ିଆ ଲୋକେ ଖୁବ୍‌ କମ୍‌ ଅଛନ୍ତି—ଆଉ ତ ସବୁଯାକ ବଙ୍ଗାଳି, ସାଇବ, ଖୁରୁଣ୍ଟା, ତେଲଙ୍ଗୀ, –ବାବୁ, ସେମାନେ ଯଦି ଗୋଟାଏ ପଇସା ଦିଅନ୍ତେ ! ଛି, ଛି, ଦେଖିଲେ ଆହୁରି ମାରି ଗୋଡ଼ାନ୍ତି । ଆମ ଓଡ଼ିଆ ଲୋକେ ଆହୁରି ପଇସେ ଅଧଲେ କି ତୋରାଣୀ ମନ୍ଦାଏ ହେଲେ ଦିଅନ୍ତି । ଆଛା ବାବୁ, ଏ ପରା ଆମ ଓଡ଼ିଆ ମୂଲକ ଥିଲା–ସେମାନେ କ’ଣ ଲଢ଼ାଇ କରି ଆମଠୁ ନେଇଛନ୍ତି ?’ ଶେଷରେ ‘ଜଗନ୍ନାଥେ ତୋତେ କୋଟି ପରମାୟୁ ଦିଅନ୍ତୁ, ଆହା-ହା-ହା’ କହି ବୁଢ଼ୀ ତା’ର ଯାତ୍ରା ପଥରେ ପାଦ ଚଳାଏ ।

 

ସେଦିନ ଥିଲା ରବିବାର । ଅଫିସ ଛୁଟି, କିନ୍ତୁ ଦିନଟାଯାକ ବସାର କାମରେ ବ୍ୟସ୍ତ ଥିଲି-। ସନ୍ଧ୍ୟାବେଳେ ଟିକିଏ ମନ ଆନନ୍ଦରେ ବୁଲି ବାହାରିଲି । ଟି; ଆର୍‌ ଟାଇପ, କଦ୍‌ମା, ରାଣୀକୁଦା ସ୍ଳୋପ ହୋଇ ବିଷ୍ଣୁପୁର କ୍ରସିଂ ନିକଟରେ ପହୁଞ୍ଚି ଦେଖିଲି ରିଗେଲ୍‌ ସିନେମାର ଫୁଟ୍‌ପାଥ ଉପରେ ଅନେକ ଲୋକ ରୁଣ୍ଡ ହୋଇଅଛନ୍ତି । କୁତୁହଳ ବଶତଃ ମୁଁ ମଧ୍ୟ ସେଇଆଡ଼କୁ ଚାଲିଲି । ‘କଥା କଣ’ ଏଇ ପ୍ରଶ୍ନ ମୋର ହୃଦୟରେ ସ୍ୱାଭାବିକ ରୂପ ପାଇ ଛିଡ଼ା ହେଲା; ଆଉ ମୁଁ ଭିଡ଼ ଠେଲି ଭିତରେ ପହୁଞ୍ଚି ଯାହା ଦେଖିଲି ସେଥିରେ ମୋର ହୃତ୍‌ସ୍ପନ୍ଦନ ଦ୍ରୁତ ହୋଇଉଠିଲା । ଏ ଯେ ସେହି ଭିଖାରିଣୀ ବୁଢ଼ୀ ମୂର୍ଚ୍ଛିତ ହୋଇପଡ଼ିଛି, ମୁଣ୍ଡରୁ ତା’ର ରକ୍ତଧାର ଛୁଟିଛି ।

 

‘‘କ’ଣ ହେଲା ?’’ –ମୁଁ ପାଖ ଲୋକଙ୍କୁ ପଚାରିଲି ।

 

‘‘ମୋଟର ଚକତଳେ ପଡ଼ିଗଲା ।’’ କିଏ ଜଣେ କହିଲା ।

 

‘‘ଇସମେ ଶାଲୀ ବୁଢ଼ୀକା ହି ଗଲ୍‌ତି ହୈ’’–ଜନତା ମଧ୍ୟରୁ ଆଉ ଗୋଟାଏ କିଏ କହିଲା-

 

‘‘ନା, ନା ଏ ବେଚାରୀର ଦୋଷ ନାହିଁ—ଦୋଷ ମାତାଲ ଡ୍ରାଇଭର୍‌ର !’’ କେହି ତୃତୀୟ ବ୍ୟକ୍ତି ତା’ର ଜବାବ୍‌ ଦେଲା ଖୁବ୍‌ ଦୃଢ଼ତା ସହକାରେ ।

 

ମୁଁ ବଡ଼ ମର୍ମାହତ ହେଲି ସେ ଦୃଶ୍ୟ ଦେଖି, ଆଉ ଠିକ୍‌ ସେତିକିବେଳେ ଭିଖାରିଣୀ ବୁଢ଼ୀ ଆଖି ଖୋଲି ଶୂନ୍ୟ ଦୃଷ୍ଟିରେ ଥରେ ଚାରିଆଡ଼କୁ ଚାହିଁଲା—ଆଉ ତା’ର ଦୃଷ୍ଟି ମୋ ଉପରେ ପଡ଼ିବାମାତ୍ରକେ ସ୍ଥିର ହୋଇଗଲା । ତା’ର ସେହି ନୀରସ ଆଖି ଦୁଇଟିରୁ ଦୁଇଟୋପା ଲୁହ ଖସିପଡ଼ିଲା ।

 

ବଡ଼ କଷ୍ଟରେ ସେ ମୋ ଆଡ଼କୁ ଚାହିଁ ପଦିଏ କଥା କହିଲା, ‘‘ବାପା’’ । ପୁଣି ଆଖି ଦୁଇଟି ତା’ର ବନ୍ଦ ହୋଇଗଲା । ମୁଁ ବିହ୍ୱଳ ହୋଇଉଠିଲି । ତା’ପାଇଁ କ’ଣ ପ୍ରତିକାର କରିବି ହଠାତ୍‌ କିଛି ସ୍ଥିର କରିପାରିଲି ନାହିଁ । ଅବଶେଷରେ ଗୋଟିଏ ଟେକସି ଭଡ଼ା କରି ସେଥିରେ ତାକୁ ନେଇ ବସାକୁ ମୋର ଆଣି ଆସିଲି ।

 

ତାକୁ ବିଛଣାରେ ଶୁଆଇ ଡାକ୍ତରଙ୍କୁ ଖବର ଦେଇ ମୁଣ୍ଡର ଆଘାତ ସ୍ଥାନରୁ ତା’ ରକ୍ତ ଧୋଇବାକୁ ଲାଗିଲି । କିଛି ସମୟ ପରେ ସେ ଆଖି ଖୋଲିଲା—‘‘କିମିତି ଲାଗୁଛି ମା’ ?’’ ମୁଁ ପଚାରିଲି ।

 

ସେ କିନ୍ତୁ କୌଣସି ଉତ୍ତର ଦେଲା ନାହିଁ; କେବଳ କମ୍ପିତ ହସ୍ତରେ ତା’ର ଶତଗ୍ରନ୍ଥି ବିଶିଷ୍ଟ ବୁଜୁଳାଟି ଖୋଲି ତା’ରି ଭିତରୁ ଗୋଟିଏ ଛୋଟ ପୋଟଳି ବାହାର କଲା । ସେଇଟି ମୋ ହାତରେ ଧରାଇ ଦେଇ ଖୋଲିବାକୁ ଇଙ୍ଗିତ କଲା । ମୁଁ କମ୍ପିତ ହସ୍ତରେ ପୋଟଳି ଖୋଲି ଦେଖିଲି– ତା’ରି ଭିତରେ ଅଛି ପଚିଶ ଟଙ୍କା ତେରଅଣା ପଇସା ! ପୁଣି ଫେରି ବୁଢ଼ୀକୁ ଦେଖିଲି—ଆଖିରୁ ତା’ର ଦି’ଧାର ଲୁହ ଗଡ଼ିପଡ଼ୁଥାଏ । ଶେଷରେ ସେ ବଡ଼ କଷ୍ଟରେ ଅସ୍ପଷ୍ଟ ସ୍ୱରରେ କହିଲା–‘‘ଏହା ମୋର ସାରାଜୀବନର ଅର୍ଜନ ବାବା ! ତୋତେ ଛାଡ଼ି ଏହା ମୁଁ କାହାକୁ ଦେବି ? ମୋର ଆପଣାର ହୋଇ କିଏ ଅଛି ଯେ ? ଲୋକ ମୁହଁରେ ଶୁଣିଛି ପଇସା ଖରଚ କଲେ କୁଆଡ଼େ ଏଇଟା ଆମ ଓଡ଼ିଆ ମୂଲକ ହେବ । ଆମ ଜାତି ସୁଖରେ ରହିବେ, ପରଠୁ ମାଡ଼ ଛାଟ ଖାଇ ହୀନସ୍ତା ହେବେ ନାହିଁ । ସତେ ବାପ, ଏମିତି ଯଦି ହୁଏ ମୋର ଏହି ଅର୍ଜନତକ ସେହି କାମରେ ଲଗାଇବୁ ବାପ । ମୋ ଜାତିଏ ସୁଖରେ ରହିବେ—ଏ ଯେ ମୋର ସାରାଜୀବନର ଦାନ ବାପ !’’ ବୁଢ଼ୀ ଆଉ କହିପାରିଲା ନାହିଁ, ପ୍ରକମ୍ପିତ ଶୁଷ୍କ ଅଧର ଦୁଇଟି ତା’ର ଥରି ଥରି ଉଠି ଚିରଦିନପାଇଁ ବନ୍ଦ ହୋଇଗଲା ।

 

ଠିକ୍‌ ସେତିକିବେଳେ ଦାଣ୍ଡଦୁଆରେ ଡାକ୍ତର ମିଶ୍ରଙ୍କ କାର୍‌ର ହର୍ଣ୍ଣ ବାଜି ଉଠିଲା ।

Image

 

ଅଶ୍ରୁ ତର୍ପଣ

 

ବଡ଼ବିଲ ଲୁହାଖଣିରୁ ପ୍ରାୟ ପାଞ୍ଚମାଇଲ୍‌ ଦୂରରେ କେନ୍ଦୁଝରର ଠାକୁରାଣୀ ପାହାଡ଼ । ଠିକ୍‌ ପାହାଡ଼ର ପାଦଦେଶରେ ଶ୍ୟାମବନ ଭିତରେ ଗୋଟିଏ ଛୋଟ ପଲ୍ଲୀ,–ଚାରିଆଡ଼ ପାହାଡ଼ ଘେରା, ନାଆଁଟି ତା’ର ସୁଣ୍ଡ୍ରା । ନିକଟରେ ଗୋଟିଏ ପାହାଡ଼ୀ ଝରଣା ଅବିରାମ ଗତିରେ ବୋହି ଚାଲିଛି କୁଳୁ କୁଳୁ ତାନରେ, ସେଇ ସବୁଜ ପଲ୍ଲୀଟିକୁ କେଉଁ ଅଜଣା ବିଶ୍ୱ ସଙ୍ଗୀତ ଶୁଣାଇ ।

 

ପ୍ରକୃତିର ସେଇ ନଗ୍ନ ସୌନ୍ଦର୍ଯ୍ୟ ମଧ୍ୟରେ ତାଙ୍କର ନଗ୍ନକୁଟୀରଗୁଡ଼ିକ ଛିଡ଼ା ହୋଇଛି ମୁଣ୍ଡଟେକି—କେଉଁ ଅଜଣା ଯୁଗରୁ । ଗୋରୁ, ପଣ୍ଡା, ଛେଳି ସାଥିରେ ତାଙ୍କର ନିତ୍ୟ କାରବାର...। ! ବଡ଼ ସରଳ, ବଡ଼ ଖୋଲା ତାଙ୍କର ପ୍ରାଣ । ପଲ୍ଲୀପ୍ରାନ୍ତରେ ଠିକ୍ ପାହାଡ଼ ତଳକୁ ଲାଗି ଖଣ୍ଡିଏ ଛାଇଭରା କୁଞ୍ଜ । ସଞ୍ଜ ହେଲେ ସେମାନେ ଗୀତ ଗାଇ ନାଚନ୍ତି ସେଇଠି–ମାଦଳର ପ୍ରତି ତାଳରେ ପାଦ ମିଳାଇ ।

 

ସେଇଠି, ସମସ୍ତେ ବସି ପ୍ରାଣଖୋଲି ଗାଆନ୍ତି କେଉଁ ଅପୂର୍ବ ଭାଷାର ମଧୁର ସଙ୍ଗୀତ, ମଝିରେ ଜଳୁଥାଏ ଶୁଖିଲା କାଠର ନିଆଁ । ସେଇ ଆଲୋକରେ ତାଙ୍କର ଆନନ୍ଦ । ସବଳ ସୁନ୍ଦର ନଗ୍ନ କଳାଦେହ ଉପରେ ଆଲୁଅର ରଶ୍ମି ପଡ଼ି ଆହୁରି ସୁନ୍ଦର ଦେଖାଯାଏ । ସେ ଉତ୍ସବରେ କେହି ବାଦ୍‌ ରହିନ୍ତି ନାହିଁ । ତରୁଣ-ତରୁଣୀ ଦଳ ମଧ୍ୟ ନାଚନ୍ତି, ଗାଆନ୍ତି—ଅବାଧରେ, ସରଳ ଓ ମୁକ୍ତ ପ୍ରାଣରେ ।

 

ଏହିପରି ଭାବରେ ତାଙ୍କର ଦିନ କଟିଯାଏ, ଦିନ ପରେ ଦିନ—ରାତି ପରେ ରାତି ।

 

ଦିନେ ବଣାଇ ସୀମାର ଏକ ପାହାଡ଼ୀ ଗାଁରୁ ଆସିଲେ ଆଉ ଦଳେ ସେଇ ‘ହୋ’ (କୋହ୍ଲ) ଜାତିର କେତେ ସ୍ତ୍ରୀ ଆଉ ପୁରୁଷ । ନିର୍ଜନ ପଲ୍ଲୀଟି ନୂତନ ଅତିଥିଙ୍କର ଆଗମନରେ କୋଳାହଳ-ମୁଖର ହୋଇ ଉଠିଲା ।

 

ସେଦିନ ରାତିରେ, ନୂତନ ଅତିଥିଗଣଙ୍କର ହେଲା ପୂର୍ଣ୍ଣ ଅଭ୍ୟର୍ଥନା । ‘ହାଣ୍ଡିଆ’ର ତୀବ୍ର ଗନ୍ଧରେ କୁଞ୍ଜଟି ମହକି ଉଠିଲା, ଆଉ ତାଙ୍କର ମାଦଳର ତାଳରେ ଓ ନୃତ୍ୟଗୀତର ଛନ୍ଦରେ ବନର ସେଇ ଶ୍ୟାମ ବୃକ୍ଷଲତାର ପତରେ ଏକ ଅପୂର୍ବ ଶିହରଣ ଖେଳିଗଲା । ...ଅପୂର୍ବ ଛନ୍ଦରେ ଦୋହଲି ଉଠିଲା ତାଙ୍କର ସୁସ୍ଥସବଳ ନଗ୍ନ କଳାଦେହଗୁଡ଼ିକ, ...ପ୍ରାଣତନ୍ତ୍ରୀରୁ ଝଙ୍କାରି ଉଠିଲା ତାଙ୍କର ଏକ ଅପୂର୍ବ ଭାଷାର ମଧୁର ସଙ୍ଗୀତ ।

 

‘ବିଜୟ ! ଏଇ ଚିର-ଶ୍ୟାମଳ ପ୍ରକୃତି ରାଜ୍ୟର ଶ୍ୟାମଳ ଯୁବକ, ନୀରବରେ ଗୋଟିଏ କୋଣରେ ଛିଡ଼ାହୋଇ ଦେଖୁଥିଲା—ନୂତନ ଅତିଥିଗଣଙ୍କୁ । କେଉଁ ଅଜଣା ଆନନ୍ଦରେ ତା’ର ସୁନ୍ଦର ଶ୍ୟାମଳ ଦେହଟି ଫୁଟି ଦିଶୁଥିଲା–ଆହୁରି ସୁନ୍ଦର ହୋଇ । ଲମ୍ବା, କୁଞ୍ଚକୁଞ୍ଚିଆ ବାଳ କାନ୍ଧ ଉପରେ ପଡ଼ିଛି । ମୁଣ୍ଡରେ ବନ୍ଧା ହୋଇଛି ଗୋଟିଏ ବଣୁଆ ସବୁଜଲତା,—ଆଉ ସମ୍ମୁଖରେ ସେହି ଲତା ଦେହରେ ଖୋସା ହୋଇଛି—ଭଦଳିଆ ଚଢ଼େଇର ଗୋଟିଏ ପର । ତା’ର ବାଁ ହାତରେ ଗୋଟିଏ ଧନୁ–ଆଉ ଆର ହାତରେ କେତୋଟି ତୀର ।

 

ସେଥର ଚମ୍ପୂଆ ଶିବରାତ୍ରି ଯାତ୍ରାକୁ କୃଷ୍ଣବାବୁଙ୍କ ଥିଏଟର ଆସିଥିଲା । ବିଜୟ ସେଇଠୁ ଗୀତ ପଦଟିଏ ଶିଖି ଆସିଥିଲା,—ଗାଇଲା,......

 

 

‘ଏହି ଲିଙ୍ଗରାଜଙ୍କ ଦେଉଳ–’

‘‘ଆମ ବାପ ଦାଦାଙ୍କର ବିନ୍ଧାଣି ପଣିଆ,

ଦେଖିଯାଆ, ଥରେ ଦେଖିଯାଆ ।’’

 

ସୁର ତା’ର ବଡ଼ ମଧୁର । ଆଖ ପାଖ ଗାଁରେ ତା’ପରି କେହି ଗାଇପାରନ୍ତି ନାହିଁ । ତେଣୁ ତାକୁ ସମସ୍ତେ ଭଲ ପାଆନ୍ତି–ଚିହ୍ନନ୍ତି ।

 

ବିଜୟର ହଠାତ୍‌ ଦୃଷ୍ଟି ପଡ଼ିଲା ସରଯୁ ଉପରେ । ସରଯୁ ସୁନ୍ଦରୀ, ତରୁଣୀ–ନୂତନ ଅତିଥିଙ୍କ ଦଳରେ ଆସିଛି–ଖଣିରେ କାମ କରିବ ବୋଲି । ବଡ଼ ସୁନ୍ଦର ନାଚେ । ମାଦଳର ତାଳେ ତାଳେ ତା’ର ଚଞ୍ଚଳ ଚରଣର ଲୀଳାୟିତ ଭଙ୍ଗୀ ଓ ଉନ୍ନତ ବକ୍ଷର ମୃଦୁ କମ୍ପନ ବିଜୟର ତରୁଣ-ପ୍ରାଣରେ ଏକ ନୂତନ ଅଜଣା ପରଶ ଆଣି ଦେଉଥିଲା ।

 

ସରଯୁର କୋମଳ ପ୍ରାଣ-ତନ୍ତ୍ରୀରେ ସେଇ ଶ୍ୟାମଳ ସୁନ୍ଦର ବଳିଷ୍ଠ ଯୁବକର ସଙ୍ଗୀତର ମୂର୍ଚ୍ଛନା ଝଙ୍କାରି ଉଠୁଥିଲା । ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା–ବିଜୟଆଡ଼କୁ । କିନ୍ତୁ ବିଜୟ ତାହା ଦେଖି ମୁହଁ ବୁଲାଇ ନେଲା । .......ସରଯୁ ତା’ପାଖକୁ ଚାଲି ଆସିଲା, ଆଉ ବିଜୟର ବଳିଷ୍ଠ ହାତ ଦୁଇଟିକୁ ଧରି କହିଲା–‘ନାଚିବୁ–ମୋ ସାଥିରେ !’

 

ବିଜୟ ବିରକ୍ତିରେ ହାତ ଛଡ଼ାଇ ନେଇ ‘ନାଇଁ, ମୁଇଁ ନାଚିବି ନାଇଁ’ କହି ଚାଲିଯାଉଥିଲା ସେଠାରୁ, ସରଯୁ ହଠାତ୍‌ ତା’ର ହାତଟି ଧରି ପକାଇ କହିଲା, ‘ଆମେ ଆଜି ଆସିଛୁ, କାଲି ଯିମୁ; ନାଇଁ କରୁଛୁ କିମ୍ପାଇଁ-ଆୟ ।’

 

ବିଜୟ ରାଜି ହେଲା ନାହିଁ, ହାତ ଛିଞ୍ଚାଡ଼ି ଦେଇ ଦୂରକୁ ଚାଲିଗଲା । ସରଯୁ ଫେରିଗଲା–ତା’ର ଚିକ୍‌କଣ କଳା ଚପଳ ଆଖି ଦୁଇଟିରେ ମୁକ୍ତା ପରି କେଇ ବିନ୍ଦୁ ତତଲା ଲୁହ ଧରି-। କିନ୍ତୁ ସେ ତ ଜାଣେ ନାହିଁ, –ବିଜୟ କିପରି କୌଣସି ସ୍ତ୍ରୀଲୋକ ସାଥିରେ ଆଦୌ ମିଳାମିଶା କରେନାହିଁ । ସେ କେବଳ ନିଜର ଧନୁ ଓ ତୀର କେଇଟି ଧରି ହରଡ଼ ଚଢ଼େଇ ଓ ଖେଡ଼ିଆ (ଶଶା) ଶିକାର କରିବାରେ ବ୍ୟସ୍ତ ଥାଏ ।

 

ପରଦିନ । ସରଯୁ ଝରଣା ବକ୍ଷରୁ ପାଣି ନେବାକୁ ଆସିଥାଏ । ତରଳ ଯୌବନର ପୂର୍ଣ୍ଣ ଶୋଭା ତା’ର ପ୍ରତି ଅଙ୍ଗପ୍ରତ୍ୟଙ୍ଗରେ ଫୁଟି ଉଠୁଛି । ଦେହରେ ପିନ୍ଧିଲା ଲୁଗାଟି ସବୁ ଅଣ୍ଟାରେ ବେଢ଼ାଇ ଦେଇଛି । ପ୍ରକୃତିର ଅନାବିଳ ରାଜ୍ୟର ନଗ୍ନକୁମାରୀ । କାହିଁକି ବା ସଂକୋଚ କରିବ ସେ, କାହାକୁ ବା କରିବ । ଆଜି ଯେପରି ସେ ସରଗର କୃଷ୍ଣ-ଅପ୍‌ସରୀ ପରି ଦିଶୁଛି । ହଠାତ୍‌ ସରଯୁ ବୁଲିପଡ଼ି ଦେଖିଲା– କିଛି ଦୂରରେ ବିଜୟ ମୁହଁ ଧୋଉଛି ।

 

ସରଯୁ କାଖରୁ କଳସୀଟି ଓହ୍ଲାଇ ବାଲି ଉପରେ ରଖିଦେଇ ବିଜୟ ପଛଆଡ଼େ ବସି ପଡ଼ିଲା ଯାଇ–ଗୋଟିଏ ଛୋଟ ପଥର ଉପରେ ଖୁବ୍‌ ଧୀରେ,...ପାଦ ଟିପି ଟିପି... ।

 

ବିଜୟ ପଛକୁ ଫେରି ଦେଖିଲା ସରଯୁ ।

 

ବିରକ୍ତିରେ ତା’ର ମୁହଁ ଲାଲ ହୋଇ ଉଠିଲା, ମୁଣ୍ଡର ବାଳଗୁଡ଼ିକ ସଜାଡ଼ୁ ସଜାଡ଼ୁ କହିଲା, ‘କିସ’ ସରଯୁ ହସି ହସି କହିଲା, ‘ତତେ ଦେଖିତେ– । ବିଜୟ କିଛି ନ କହି ଚାଲି ଯାଉଛି ଦେଖି, ସରଯୁ କହିଲା–‘ତୋର ନାଁ କିସ ?’

 

—‘ମୋର ନାଁ କିଛି ନାଇଁ –

 

—‘କି’ପାଇଁ, ନାଁଟା କହିଁଦେଲେ କି ତୋର ସରିଯିବ ।

 

‘ଆଚ୍ଛା, ଥରେ କହି ଦେଉଛି, ବାକି ଆଉ କେବେ କହିବି ନାଇଁ,–ବାଜାୟ (ବିଜୟ)’–

 

—‘ଏଃ ସତେ ତ ତୋର ନାଁଟା ବଡ଼ ସୁନ୍ଦର’ କହି ସରଯୁ ଉତ୍‌ଫୁଲ ହୋଇଉଠିଲା-

 

ବିଜୟ ଦୁଇଚାରି ପାଦ ଆଗେଇ ଆସିଲା । ତାହା ଦେଖି ସରଯୁ ଧାଇଁ ଗଲା ଛୋଟ ଚପଳା ବାଳିକାଟି ପରି–ହସି ହସି କହିଲା, ‘‘ବାଜାୟ, ତୁଇ ମୋର ନାଁ ଜାଣିବୁ ନାଇଁ ।

 

–‘ଦରକାର ନାଇଁ, ବାଟ ଛାଡ଼୍‌’... ।

 

ସରଯୁର କରୁଣ ଚାହାଣୀରେ ଏକ ବ୍ୟର୍ଥ ଆଶାର ଭାବ ଫୁଟି ଉଠୁଥିଲା । ସେ ପୁଣି ହସି କହିଲା, –‘ନାଇଁ ତୁମ ଯାଆ ନାଇଁ, ତୋତେ ମୁଇଁ ଛାଡ଼ିଦେବି ନାଇଁ –’

 

ବିଜୟ ବୁଲିପଡ଼ି ଛିଡ଼ାହେଲା । ସରଯୁ ହଠାତ୍‌ ତାକୁ ତା’ର ଚିକ୍‌କଣ କଳା ମୃଣାଳ କୋମଳ ବାହୁଲତାରେ ଭିଡ଼ିଧରି ଅତି ଧୀରରେ ଆଗ୍ରହାନ୍ୱିତ ହୋଇକହିଲା—‘ମୋର ନା’ଟା ଶୁଣିବୁ ନାଇଁ—’

 

କଥା ତା’ର ଶେଷ ହେଲାନାହିଁ, ବିଜୟ ତାକୁ ଠେଲିଦେଇ ଚାଲିଗଲା...ଆଉ ସରଯୁ, କେତୋଟି ବଣ ମଲ୍ଲୀଫୁଲ ଓ ପତର ଛିଣ୍ଡାଇ ମୁଣ୍ଡରେ ଖୋସିଲା ଓ ପରକ୍ଷଣରେ ସେଗୁଡ଼ିକ ଟାଣି ଟିକି ଟିକି କରି ଛିଣ୍ଡାଇ ଫୋପାଡ଼ି ଦେଲା । ଅଜାଣତରେ ତା’ର ବୁକୁର କେଉଁ ଗୋପନ ପ୍ରଦେଶରୁ ଏକ ବ୍ୟଥାଭରା ଦୀର୍ଘ ନିଶ୍ୱାସ ଆକୁଳିତ ହୋଇ ବାହାରି ପଡ଼ିଲା ।

 

ସେଇଦିନ ସନ୍ଧ୍ୟାରେ–ନାଟ ହେଉଥିଲା । ସରଯୁ ବିଜୟକୁ ସେଠାରେ ଖୋଜିଲା, ମାତ୍ର ପାଇଲା ନାହିଁ । ବିଜୟ ସେତେବେଳକୁ ପାହଡ଼ରେ ବସି ତା’ର କେଉଁକାଳିଆ ବାଉଁଶ ବଇଁଶୀଟି ବଜାଇ ଗୀତ ଗାଉଥାଏ । ସରଯୁ ଶୁଣିଲା ତା’ର ଗୀତ ପଦେ ପଦେ ଜୀବନ୍ତ ହୋଇ ଫୁଟି ଉଠୁଥିଲା ତା’ର ବୁକୁର ପ୍ରତି ହୃତ୍‌ସ୍ପନ୍ଦନରେ.... । ଗୀତ ବନ୍ଦ ହେଲା । ଆଖି ପୋଛି ସରଯୁ ‘ହି ହି’ ହୋଇ ହସି ଉଠିଲା, ଠିକ୍‌ ତାହାରି ପଛପାଖରେ ।

 

ବିଜୟ ରାଗି ନିଆଁ ହୋଇଗଲା । ସେ ଭାବିଲା ତା’ ନିକଟକୁ ସରଯୁ ବାରମ୍ବାର ଆସୁଛି କାହିଁକି ? ବିଜୟ ଏମିତି କ’ଣ କରିଛି ତା’ର ? ଯାହାପାଇଁ ସରଯୁ ସବୁବେଳେ ଚାଲିଆସେ ତା’ ପାଖକୁ କେବଳ ତାହାରି ମୁହଁରୁ କଥା ଦି’ପଦ ଶୁଣିବା ପାଇଁ ।

 

ସରଯୁ ବିଜୟର ପିଠି ଉପରେ ନଇଁ ପଡ଼ି ହସି ହସି କହିଲା, ଏଇଟା କ’ଣ ତୋର ଗୀତର ଠିକ୍‌ ସୁର—’’

 

‘ହୁଁ,—କିପାଇଁ– ?’

 

‘ଆଦୌ ଗାଇ ଜାଣିତେ ନାଇଁ– ।’

 

‘ତ, ସେଥିରେ ତୋର କି ଗଲା ? ତତେ ଏ କଥା କହିବାକୁ କିଏ ଡାକିଯାଇଥିଲା ?’’ କହି ବିଜୟ ଛିଡ଼ା ହୋଇ ପଡ଼ିଲା ।

 

ପଡ଼ୁ ପଡ଼ୁ ରହିଯାଇ ସରଯୁ ପୁଣି ହସି କହିଲା, —‘ନ ଡାକିଲେ କିସ ଆସିବାକୁ ମନା ଅଛି ?’

 

ସରଯୁ ତା’ର ମିନତିଭରା କରୁଣ ଚାହାଣୀ ଓ କମ୍ପିତ ଅଧର ଦୁଇଟି ତୋଳିଦେଲା ବିଜୟର ଆଖି ଆଗରେ । ବିଜୟର ଶୁଷ୍କପ୍ରାଣ କିନ୍ତୁ ଏ ସବୁ ବୁଝି ପାରିଲା ନାହିଁ,—ରାଗରେ ଗର ଗର ହୋଇ କହିଲା, —‘ଯା, ତୁ ମୋ ପାଖକୁ ଆଉ ଆସିବୁ ନାଇଁ, ତୁ ଆସିଲେ ଦିନଟାଯାକ ମୋର କିଛି କାମ ହୁଏ ନାହିଁ–ଶୀକାର ପାଏ ନାହିଁ ଆଦୌ ।’ —ବିଜୟ ଦେଖିଲା ସରଯୁ ଚାଲିଯାଉଛି ।

 

ସରଯୁ ଯାଇ ବସିଲା ପାହାଡ଼ର ଗୋଟିଏ କୋଣରେ । ତା’ର ଦୁଇଟି ସୁଗୋଲ କଳା ଗାଲ ଉପରେ ବୋହିଗଲା–ତପ୍ତ ଅଶ୍ରୁର ଦୁଇଟି କ୍ଷୀଣ ଧାରା ।

 

ସରଯୁ ଚାଲିଯିବାର ଦେଖି ବିଜୟ ପ୍ରାଣରେ କାହିଁକି ଏକ ଅଜଣା ଚୋଟ ଲାଗିଲା । ସେ କିଛି ବୁଝି ପାରିଲା ନାହିଁ,–ତା’ର ବୁକୁ ଯେପରି ସେହି ଅଜଣା ବ୍ୟଥାରେ ବ୍ୟଥାତୁର ହୋଇ ଉଠିଲା-। ସେ ଭାବିଲା–ଆଉ କ’ଣ ସରଯୁ ଆସିବ ନାହିଁ ତା’ ନିକଟକୁ !

 

ବିଜୟକୁ ଦିନ ବ୍ୟଥାରେ ଘନାଇ ଆସେ । ତରଳ ଅନ୍ଧକାର ଜମାଟ ବାନ୍ଧିଯାଏ ।

 

ବିଜୟ ଶେଷରେ ବାଧ୍ୟହୋଇ ଧରାଦେଲା ସରଯୁ ନିକଟରେ । କିନ୍ତୁ ସରଯୁର ମନେହେଲା, ସେ ଯେପରି ଧରାଦେଇ ମଧ୍ୟ ଧରାଦିଏ ନାହିଁ, –କିପରି ଏକ ଉଦାସଭାବ ତା’ର... । ସରଯୁ ତା’ ବୁକୁ ଉପରେ ମୁହଁ ରଖି କେତେ ପ୍ରାଣଖୋଲା କଥା କହିଯାଏ–ବିଜୟ ବାଧା ଦିଏ ନାହିଁ, କିନ୍ତୁ, ସରଯୁ ବେଳେ ବେଳେ ଦେଖେ ତା’ର ସାନ ସାନ ଆଖି ଦୁଇଟିରେ ପାଣି ଭରି ଉଠିଥାଏ—ଅକାରଣରେ । ସେ ବୁଝିପାରେ ନାହିଁ, କାହିଁକି ଏ ବ୍ୟଥା–ଏ ଶ୍ୟାମଳ ରାଜ୍ୟର ସ୍ୱାଧୀନ ବଳିଷ୍ଠ ତରୁଣର ?

 

ସେଦିନ ଶରତ ପୂର୍ଣ୍ଣିମା । ଭରା ଜୋଛନାରେ ପଲ୍ଲୀ ଗାଁ’ଟି ହସି ଉଠୁଥାଏ । ସବୁ ନୀରବ, ନିସ୍ତବ୍ଧ....କେବଳ ଧୁମୁସାର ତାଳ ଓ ଗୀତର ସ୍ୱର ଭାସି ଆସୁଥାଏ ସେଇ କୁଞ୍ଜଆଡ଼ୁ । ଏତିକିବେଳେ ସରଯୁ ଆସିଲା ବିଜୟର ବୁକୁର ନିଭୃତ ପ୍ରଦେଶକୁ–ସବୁଜ ବନର ପତ୍ର ଫୁଲରେ ସବୁଜରାଣୀ ସାଜି ।

 

ବିଜୟ କହିଲା, ‘‘ସରଯୁ ସତେ ତୁ ଏଡ଼େ ସୁନ୍ଦର ?’’

 

ସରଯୁ ତା’ କାନ୍ଧ ଉପରେ ଭରା ଦେଇ କହିଲା, ‘‘ତା’ କେବଳ ତୋରି ପାଇଁ–’’

 

ବିଜୟ ହଠାତ୍‌ ଚମକି ପଡ଼ି କହିଲା,—‘‘ନା, ନା, ତା’ ହୋଇପାରିବ ନାହିଁ ।’’

 

‘‘କ’ଣ ହେବ ନାହିଁ ବାଜାୟ—’’ କମ୍ପି ଉଠିଲା ସରଯୁର ଭୀତସ୍ୱର ।

 

‘‘ତୋତେ ବାହା ହେବା...’’

 

‘‘କିପାଇଁ ବାଜାୟ ? ସରଯୁ ଥରୁଥିଲା, ହଠାତ୍‌ ବିଜୟର ବୁକୁ ଉପରେ ମୁହଁ ରଖି କହିଲା, ‘‘କହିବୁ ନାହିଁ—’’

 

ବିଜୟ ତା’ର କପାଳର ବାଳଗୁଡ଼ିକ ସଜାଡ଼ୁ ସଜାଡ଼ୁ କହିଲା—‘‘ତୋତେ ବାହା ହେବା କଥା ସେଦିନ ବାବା ଆଉ ମା’କୁ କହିଲି; କିନ୍ତୁ ବାବା କ’ଣ କହିଲା ଜାଣୁ ସରଯୁ– ? ତୁମେ ପରା ଗୋତ୍ରରେ ଆମଠାରୁ ନୀଚ । ସେମାନେ ମୋତେ ଖୁବ୍‌ ବୁଝାଇଲେ ଖୁବ୍‌ ଗାଳି ଦେଲେ, – ଏ କ’ଣ-! ସରଯୁ....ସରଯୁ...’’

 

ବିଜୟ କାତର ସ୍ୱରରେ ଚମକି ଉଠି ସରଯୁ ତା’ର ଅଶ୍ରୁପୂର୍ଣ୍ଣ ଚକ୍ଷୁ ଦୁଇଟି ଧରି କହିଲା ‘ବାଜାୟ’—ତା’ର ଅଧର ଦୁଇଟି ଥରି ଉଠୁଥିଲା, ଗଳା ଧରି ଆସୁଥିଲା ।

 

‘‘କିସ, –କିସ କହୁଛୁ ସରଯୁ ?’’

 

‘‘ତେବେ ମୁଁ ଯାଉଛି– ବାଜାୟ !’’

 

ବିଜୟ ସେଇ ମୁହୂର୍ତ୍ତରେ ତାକୁ ବୁକୁ ଉପରେ ଭିଡ଼ି ଧରିଲା, ତା’ର ହାତ ଦୁଇଟି ନେଇ ଅଜସ୍ର ଚୁମ୍ବନରେ ଭରି ଦେଲା । ବ୍ୟାକୁଳ ହୋଇ କହିଲା, ‘‘ଶୁଣ୍‌ ସରଯୁ, ତେବେ ମଧ୍ୟ ଦମ୍ଭରେ ବାବାକୁ କହି ଆସିଛି ଯେ ମୁଁ ତୋତେ ବାହା ହେବି ।’’ –ସରଯୁ ଆଉ କିଛି କହି ପାରିଲା ନାହିଁ, ବିଜୟର ଏ ପଦକ କଥାରେ ତା’ର ହୃଦୟର ଗଭୀରତମ ପ୍ରଦେଶରୁ ଏକ ହତାଶ୍‍ ଆନନ୍ଦ ବାହାରି ପଡ଼ିଲା–ଅଶ୍ରୁରୂପରେ । ସେ କାନ୍ଦି କାନ୍ଦି ବିଜୟ କୋଳରେ ଶୋଇ ପଡ଼ିଲା ।’’

 

‘ସରଯୁ’–ବିଜୟ ପ୍ରକୃତିସ୍ଥ ହୋଇ ଡାକିଲା ।

 

‘ବାଜାୟ’–

 

ଦିହେଁ ଦିହିଁଙ୍କୁ ଚାହିଁ ହସି ପକାଇଲେ ।

 

ବିଜୟ କିନ୍ତୁ ବିବାହ କରିବା ଆଗରୁ, ସରଯୁ ପ୍ରଭୃତି ଚାଲିଗଲେ ସତର ମାଇଲ ଦୂରର ଲୁହାଖଣିକୁ—ନୁହାମୁଣ୍ଡିକୁ ସରଯୁ ଗୋଟିଏ ବଙ୍ଗାଳି ବାବୁ ଘରେ କାମ ପାଇଲା । ଯାହାର କାମ କରୁଥିଲା ସେ, ତା’ର ଆଉ କେହି ନାହିଁ–ବାବୁ ଏକୁଟିଆ । ସରଯୁ ଶ୍ୟାମଳି, କିନ୍ତୁ ସୁନ୍ଦରୀ ତରୁଣୀ । ବାବୁ ସରଯୁକୁ ଆପଣାର କରି ନେବାକୁ ଚାହେଁ–ସରଯୁ ତାହା ବୁଝିପାରେ—ନିଜକୁ ଧରାଦିଏ ନାହିଁ,—ଦୂରରେ ଥାଇ ଯତ୍ନ କରେ । ସରଯୁ ସୁଖରେ ଥାଏ । କେବେ କେବେ ମଝି ରାତିରେ ତା’ର ନିଦ ଭାଙ୍ଗିଯାଏ, ସେ ଯେପରି ବିଜୟର କରୁଣ ସଙ୍ଗୀତର ସ୍ୱର ଶୁଣିବାକୁ ପାଏ । ବ୍ୟଥାରେ ତା’ର ବୁକୁ ଆତୁର ହୋଇଉଠେ, ହୃତ୍‌ସ୍ପନ୍ଦନର ଗତି ଦୁଇଗୁଣ ବଢ଼ିଯାଏ । ବାହାରର ମୁକ୍ତ ନୀଳଆକାଶକୁ ଚାହିଁ ଭାବେ—‘ବିଜୟ ଏତେବେଳେ କ’ଣ କରୁଥିବ ସେ କ’ଣ ଭୁଲିଯାଇଛି ସରଯୁକୁ ?’ –ବିଜୟ ହୁଏତ ସାରାରାତି ଉଜାଗର ରହି ଭାବୁଛି ତାହାରି କଥା—ଠିକ୍‌ ତାହାରିପରି-। ପୁଣି ସେ ଶୋଇପଡ଼େ– କିନ୍ତୁ ତା’ର ପ୍ରାଣରେ ବିଜୟର କଥା–ବୁକୁ ଭିତରେ ବିଜୟର ଗୀତର ସୁର, ସ୍ମୃତିର ଶେଷ ପରଶଟିକ ପରି ଜାଗି ରହିଥାଏ ।

 

ଏଣେ ‘ସରଯୁହୀନ’ ବିଜୟ ପାହାଡ଼ର ରୁକ୍ଷବକ୍ଷରେ ଲକ୍ଷ୍ୟହୀନ ହୋଇ ବୁଲୁଥାଏ । ସାରାଦିନ ସରଯୁ ଯେଉଁଠି ବସୁଥିଲା, ସେଇଠାରେ ଯାଇ ବସେ । ସରଯୁର ଭାଷା ଯେପରି ଶୁଣିବାକୁ ପାଏ ସେଇଠି–ତା’ର ବିଶ୍ୱାସ, ସରଯୁ ପୁଣି ଫେରିଆସିବ ତା’ର ନିକଟକୁ-ଅତି ନିକଟକୁ–ବୁକୁ ଉପରକୁ । ବିଜୟର ଦୈନନ୍ଦିନ ଜୀବନ ମରୁମୟ ହୋଇ ଉଠିଲା–ସରଯୁ ନିକଟରେ ସେ ସମ୍ପୂର୍ଣ୍ଣ ଭାବରେ ଧରା ନ ଦେଇଥିଲେ ମଧ୍ୟ । କିନ୍ତୁ ସରଯୁ ତ ଚାହେଁ ବିଜୟକୁ–ନିଷ୍ଠୁରଭାବରେ ଚାହେ–ତା’ର ସମସ୍ତ– । ସରଯୁ ତାକୁ ପ୍ରଥମରେ ପାଇଲା ନି ସତ – ଶେଷରେ କିନ୍ତୁ ତାକୁ ପାଗଳ କରି ଦେଲା ।

 

ଦିନପରେ ଦିନ, ରାତି ପରେ ରାତି ପାଣି ସୁଅପରି ବୋହି ଚାଲିଗଲା । ସରଯୁ ଆଉ ଫେରିଲା ନାହିଁ ।

 

ବିଜୟକୁ ଆଉ କିଛି ଭଲ ଲାଗିଲା ନାହିଁ । ସେ ସ୍ଥିର କଲା ଯିବ ସରଯୁ ନିକଟକୁ, ତାକୁ ଫେରାଇ ଆଣିବ ଏହି ଚିରଶ୍ୟାମ ପାହାଡ଼ର କୋଳକୁ । ତରୁଲତାର ଛାୟାତଳେ କଟାଇ ଦେବେ ସାରାଦିନ–ଆଉ ରାତିଟି ଯାକ ସେମାନେ କଟାଇ ଦେବେ ପରସ୍ପରର ବୁକୁରେ ମୁହଁଟିମାନ ଲୁଚାଇ– ।

 

ବିଜୟ ଆସିଲା ନୁହାମୁଣ୍ଡିକୁ ତା’ର ବ୍ୟଥିତ ପ୍ରାଣ ଘେନି—ସରଯୁକୁ ଫେରାଇ ନେବାପାଇଁ-। କିନ୍ତୁ ଦୀର୍ଘଦିନର ବ୍ୟବଚ୍ଛେଦ ଫଳରେ ସରଯୁ ତାକୁ ଭୁଲ୍‌ ବୁଝିଥିଲା । ବିଜୟ ଆକୁଳ ଆବେଗରେ ଡାକିଲା–‘‘ସରଯୁ ! ଚାଲ୍‌-ଫେରି ଚାଲ୍‌’’

 

‘‘ତା’ ହେବ ନାହିଁ ବାଜାୟ,’’ ସରଯୁ କହିଲା ।

 

‘‘ଏ କ’ଣ ସରଯୁ, କାହିଁକି ହେବନାହିଁ ?’’ ବିଜୟ ଜାଣିବାକୁ ଆଗ୍ରହ ପ୍ରକାଶ କଲା ।

 

‘‘ତା’ ତୁ ଜାଣୁ’’—ସରଯୁ ଯେପରି ପଥର ପାଲଟି ଯାଇଥିଲା ।

 

‘‘ନା, ସରଯୁ,–ଆଉ କିଛି ହେବ ନାହିଁ—ମାଆକୁ ରାଜି କରାଇ ନେଇଛି, ତୁ ଚାଲ—’

 

ସରଯୁ ଗଭୀର ଅଭିମାନରେ କହିଲା, ‘‘ନା, ତୁ ଫେରିଯାଆ, ଆଉ କାହାକୁ ବାହାହେଇ ସୁଖରେ ରହ ।’’ ବିଜୟ ଆଉ କିଛି କହିଲା ନାହିଁ । ସେ ଫେରି ଚାଲିଗଲା ସେଇ ପାହାଡ଼ର କୋଳକୁ । ତା’ର ସଙ୍ଗୀତର ସୁର ଆହୁରି କରୁଣ ହୋଇ ଫୁଟି ଉଠିଲା । ଗଭୀର ରାତିରେ ହଠାତ୍‌ ଯଦି କାହାର ନିଦ ଭାଙ୍ଗେ, ବିଜୟର ଗୀତ ଶୁଣିପାରେ ସେ । ତା’ର ଭ୍ରମ ହୁଏ, ସତେ ଯେପରି କିଏ ତା’ର ପ୍ରିୟର ବିରହରେ କାନ୍ଦୁଛି । କେବଳ ଗୋଟିଏ ଦୀର୍ଘ ନିଶ୍ୱାସ ପକାଏ, କର ଲେଉଟାଇ ପୁଣି ଶୋଇପଡ଼େ ।

 

ଯେ ବିରହୀ ସେ କେବଳ ବସିଥାୟ ଗଭୀର ରାତିରେ ତା’ର ପ୍ରିୟାର ପ୍ରତ୍ୟାଗମନ ଆଶାରେ; ପ୍ରିୟା ତା’ର ଆସେ ନାହିଁ–ହୁଏତ ସେ ଭୋଗବିଳାସରେ ଥାଏ; ସହରର ଆନନ୍ଦରେ ଆତ୍ମହରା ହୋଇ– । ତା’ର ପ୍ରିୟର ବ୍ୟଥା ତାକୁ ସ୍ପର୍ଶ କରିପାରେ ନାହିଁ ।

 

ସେହି ସବୁଜବନର ଅନ୍ତରାଳରେ ମହାମାରୀ ରୂପରେ ଦେଖାଦେଲା ଏକ ଉତ୍କଟ ରୋଗ ‘ଘୁମା ଜର’ । ବିଜୟର ସରଯୁହୀନ ଜୀବନ-ପ୍ରଦୀପ ନିଭି ଆସିଲା ଧୀରେ ଧୀରେ ସେଇ ‘ଘୁମାଜର’ର ପ୍ରବଳ ଚାପରେ । ସରଗର ପୂଜାଫୁଲ ପୂଜାରେ ଲାଗିଲା ନାହିଁ–ସୁନ୍ଦର ହୋଇ ଯେଉଁ ଫୁଲଟି ଫୁଟିଉଠିଥିଲା ଅକାଳରେ ତାହା ନିଷ୍ଠୁର ଝଡ଼ରେ ଛିଡ଼ିଗଲା । ଖାଲି ତା’ର ଝରା ପାଖୁଡ଼ା କେଇଟି ପାହାଡ଼ର ବୁକୁରେ ପଡ଼ି ରହିଲା କେତେଦିନ– ।

 

ଖବର ପାଇ ସରଯୁ ଦୌଡ଼ି ଆସିଲା–ତା’ର ଚିର-ଭୁଲର ସଂଶୋଧନ ପାଇଁ । ସେତେବେଳେ ବିଜୟ ଆଉନାହିଁ । ବୁକୁଭାଙ୍ଗି ଚୂନା ହୋଇଗଲା ତା’ର । ପଥର ଉପରେ ସେ ନିସ୍ପନ୍ଦ ହୋଇ ବସି ରହିଲା । ସେତେବେଳେ ଜୋଛନାରେ ଚତୁର୍ଦ୍ଦିଗ ଉଦ୍ଭାସିତ,–ତା’ର ସେହି ଶରତ ପୂର୍ଣ୍ଣିମା ଦିନଟି କଥା ମନେ ପଡ଼ିଗଲା । ନୀଳ ଆକାଶ ଆଡ଼କୁ ଚାହିଁ କରୁଣ ସ୍ୱରରେ କହିଲା, ‘‘ଦଣ୍ଡେ ରହ, ମୁଁ ବି ଯାଉଛି–ପର ଜୀବନରେ ତୋର ସାଥୀ ହେବାପାଇଁ ଗୋଲ କଳା ଚିକ୍‌ଚିକିଆ ଗାଲଉପରେ ତା’ର ବୋହିପଡ଼ିଲା ମୁକ୍ତା ପରି କେତେବିନ୍ଦୁ ତପ୍ତ ଅଶ୍ରୁ ।

Image

 

ବିଦ୍ରୋହୀ ଶିଳ୍ପୀ

 

ଶ୍ୟାମରେଖା ଚିତ୍ରିତ ନୀଳ ସନ୍ଥୈଭଞ୍ଜ ପାହାଡ଼ଶ୍ରେଣୀଟି ଲମ୍ବିରହିଛି ପ୍ରାୟ ତିନି ଚାରି ମାଇଲଯାଏ । ପଲ୍ଲୀପ୍ରାନ୍ତଟିରୁ ଶୀତଦିନିଆ ସକାଳେ ପାହାଡ଼ଟିର ଦୃଶ୍ୟ ଯେ ଥରେ ଦେଖିଥିବ, ଭୁଲି ପାରିବ ନାହିଁ ସହଜେ ।

 

ବହୁଦିନ ତଳର କଥା, ସେତେବେଳେ ପାହାଡ଼ ଉପତ୍ୟକାଟି ଘନ ବନରେ ପୂର୍ଣ୍ଣଥିଲା । କେଉଁ ଯୁଗର ପୋଖରୀଟିଏ ଉପତ୍ୟକାର ଏକମାତ୍ର ସମ୍ପଦ ଥିଲା । ପାଣି ତା’ର ଦ୍ରାକ୍ଷାରସକୁ ସୁଦ୍ଧା ପଛକୁ ପକାଇ ଦେଇଥିଲା-ସ୍ୱାଦୁ ଗୁଣରେ । ସେହି ଶ୍ୱାପଦସଙ୍କୁଳ ଉପତ୍ୟକାର ପଶ୍ଚିମ ପ୍ରାନ୍ତରେ ନାତ୍ୟୁଚ୍ଚ ଶ୍ରେଣୀଟିଏ ଲମ୍ବିଯାଇଛି କିଛିଦୂର । ସେହି ଶ୍ରେଣୀଟିର ପ୍ରାୟ ଛଅଫୁଟ ତଳରେ ଗୋଟିଏ ବିସ୍ତୃତ ପ୍ରାକୃତିକ ଗୁହା–ପ୍ରକୃତିର ତାଜମହଲ !

 

ଏହି ନିର୍ଜନ ଗୁହାରେ ‘ସେ’ ତା’ର କାମ କରି ଚାଲି ଯାଉଥିଲା । ସେ ଥିଲା ଏକ ବିଶ୍ୱ-ଭାବୁକ ଓ କଳାଶିଳ୍ପୀ । ଭାବନା ତା’ର ଭାବି ‘ତାଜ’ ନିକଟରେ ଆବଦ୍ଧ । ତାହାର କାହାରିକୁ ଭୟ ଥିଲା ନାହିଁ–ଭୋକ, ଶୋଷ ସେ ଏକାବେଳକେ ଭୁଲିଯାଇଥିଲା । ତାହାର ଏ ପାହାଡ଼ି ଶରୀରରେ ଦିନକ ପାଇଁ ହେଲେ ମୁଣ୍ଡବ୍ୟଥା ଦେଖାଦେଇ ନ ଥିଲା । କେବଳ ତା’ର ଲୁହାର ଛେଣୀଟି ଗୋଟିଏ ଗତିରେ ନିରନ୍ତର ଚାଲିଯାଉଥିଲା–ଠିକ୍, ଠିକ୍, ଠିକ୍ ।

 

ମୁହୂର୍ତ୍ତକ ପାଇଁ ହେଲେ କେବେ ଏହି ଶବ୍ଦ ତାଳଭଙ୍ଗ ହୋଇନାହିଁ । ଏହି ଠିକ୍, ଠିକ୍ ଶବ୍ଦର ସଂଯତ ତାଳଥିଲା ତା’ର ଜୀବନର ଚିରପ୍ରବାହୀ ସଙ୍ଗୀତ—ଯହିଁରେ ସେ ଆପଣାକୁ ସୁଦ୍ଧା ହରାଇ ପକାଇଥିଲା । ଭୋକ ଲାଗୁଥିଲା ତ ବଣର ଫଳ ଅଭାବ ନ ଥିଲା । ଶୋଷ ହେଲେ ଉପତ୍ୟକାର ପୋଖରୀଟି ଥିଲା । ନିଦ ଆସୁଥିଲା ତ, ଦେଖାଇ ଦେଉଥିଲା ତା’ର କମନୀୟ କ୍ରୋଡ଼–ସେହି ପ୍ରକୃତିର ତାଜ୍ । ଯେତେବେଳେ ଜାଗ୍ରତ ହେଉଥିଲା, ତା’ର ସେହି ଚିରସାଥି ଛେଣୀ ଓ ହାତୁଡ଼ି ନେଇ ଅବିଳମ୍ବେ ନିଜର ସର୍ବପ୍ରିୟ କାମରେ ଲାଗିଯାଉଥିଲା —ଠିକ୍, ଠିକ୍, ଠିକ୍ । ତା’ର କଳା ବାଳ ଧଳା ହୋଇଗଲାଣି, ଦାନ୍ତ ଖସି ପଡ଼ିଲାଣି, ଚକ୍ଷୁର ଜ୍ୟୋତି କ୍ଷୀଣ ହେବାକୁ ଚାଲିଲାଣି–ତଥାପି ତା’ର ଛେଣୀଟି ସେହି ଏକ ଗତିରେ ଚାଲିଯାଉଥିଲା–ଠିକ୍, ଠିକ୍, ଠିକ୍ ।

 

ଦିନ ପାଣି ସୁଅ ପରି ବୋହିଗଲା । ପରିଶେଷରେ ଦିନେ ତା’ର ଇଚ୍ଛା ପୂର୍ଣ୍ଣହେଲା । ସେହି ପାର୍ବତ୍ୟ ଉପତ୍ୟକାରେ ଗୋଟିଏ ଭାବପୂର୍ଣ୍ଣ ମୂର୍ତ୍ତିର ବିକାଶ ହେଲା । ମୂର୍ତ୍ତିର ନେତ୍ରରୁ ଯେପରି ସୌମ୍ୟଭାବ ଝରି ପଡ଼ୁଥିଲା; ଆଉ ମୁଖମଣ୍ଡଳ ଉପରେ ଗମ୍ଭୀର ହାସ୍ୟ ନୃତ୍ୟ କରୁଥିଲା । ଜଣାଯାଉଥିଲା, ସତେ କି ଏ ମୂର୍ତ୍ତି ସଜୀବ ଅଟେ ।

 

ନୀରବ ଶିଳ୍ପୀ ଧନ୍ୟ ହେଲା, ତା’ର ହୃଦୟ ଆନନ୍ଦରେ ଭରିଉଠିଲା । ସେ ତା’ର ବୃଦ୍ଧାବସ୍ଥାକୁ ମଧ୍ୟ ଭୁଲିପାଇ, ଶୈଶବର ସରଳ ଉତ୍ସୁକତାରେ ସେହି ମୂର୍ତ୍ତିକୁ ନିର୍ନିମେଷ ଦୃଷ୍ଟିରେ ଚାହିଁରହିଲା । ମୂର୍ତ୍ତିରେ ଯେ ତା’ର କଳା ସଜୀବ ହୋଇ ଫୁଟି ଉଠିଛି !

 

ଦିନେ ତା’ର ଅନୁପସ୍ଥିତିରେ କେଇଜଣେ କାଠୁରିଆ ମୂର୍ତ୍ତିଟିକୁ ଆବିଷ୍କାର କଲେ । ମୂର୍ତ୍ତିଟିକୁ ବାରମ୍ବାର ଦେଖିସୁଦ୍ଧା ତାଙ୍କର ତୃପ୍ତି ଆସିଲା ନାହିଁ, ବରଂ ମନରେ ଭୟ ଓ ଭକ୍ତିର ସଞ୍ଚାର ହେଲା ।

 

କ୍ରମେ ଗ୍ରାମେ ଗ୍ରାମେ ରାଷ୍ଟ୍ର ହୋଇଗଲା, ସନ୍ଥୈଭଞ୍ଜ ପାହାଡ଼ରେ ବନଦେବୀ ଆବିର୍ଭୂତ ହୋଇଅଛନ୍ତି । ଯେ ଯେଉଁଠି ଶୁଣିଲା, କ୍ଷଣେ ଥକ୍‌କା ହୋଇ ଛିଡ଼ା ହୋଇଗଲା ।

 

ଗ୍ରାମେ ଗ୍ରାମେ ଭେଦା ଉଠିଲା । ଦେବୀଙ୍କ ତୁଷ୍ଟି ନିମନ୍ତେ ବୋଦା ସଂଗ୍ରହ କରାଗଲା । ଦିନେ କେତେକ ଗ୍ରାମର ଲୋକ ମିଳି ଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ଭୋଗରାଗ ଧରି ସେହି ବନସ୍ଥଳୀରେ ପହୁଞ୍ଚିଲେ ।

 

ଆଗନ୍ତୁକଗଣଙ୍କ କୋଳାହଳରେ ଆଜି ଚିରକାଳୀନ ଏକାନ୍ତ ନିର୍ଜନ ବନର ନୀରବତା ଭାଙ୍ଗିଲା । ବାଜା, ଶଙ୍ଖ, ଭେରୀ ସବୁ ଗମ୍ଭୀର ନାଦରେ ବାଜିଉଠିଲା । ବନସ୍ଥଳୀ କମ୍ପି ଉଠିଲା । ପକ୍ଷୀଗଣ ଭୟାକୁଳ ହୋଇ ମଧୁର କଳରବ ପରିବର୍ତ୍ତେ ଆର୍ତ୍ତଧ୍ୱନି କରି ଉଡ଼ି ଚାଲିଗଲେ । ସ୍ୱଚ୍ଛନ୍ଦ-ବିହାରୀ ମୃଗପନ୍ତି ବନରୁ ବନାନ୍ତରକୁ ଦୌଡ଼ି ପଳାଇଲେ । ଆଜି ଏହି ନିର୍ଜନ ବନରେ ହିଂସା ତାଣ୍ଡବନୃତ୍ୟ କଲା, କେବଳଭକ୍ତଙ୍କ ପାଇଁ ।

 

ମୂର୍ତ୍ତି ଉଦ୍ଦେଶ୍ୟରେ ପୂଜା, ଭୋଗ, ବଳି ଇତ୍ୟାଦି ଦିଆଗଲା । ନିରୀହ ପଶୁଗଣଙ୍କ ରକ୍ତରେ ପବିତ୍ର କଳା-ଉଦ୍ଭବ ସ୍ଥାନଟି ରଙ୍ଗିନ୍ ହୋଇଉଠିଲା । ଶିଳ୍ପୀ ଏସବୁ ଦୃଶ୍ୟରେ ବିଚଳିତ ହେଲା ସତ, କିନ୍ତୁ ବାର୍ଦ୍ଧକ୍ୟ ହେତୁ କମ୍ପିତ ହସ୍ତରେ ମନୁଷ୍ୟ ସମାଜ ବିରୁଦ୍ଧରେ ହାତୁଡ଼ି ଟେକି ପାରିଲିନାହିଁ ।

 

ସେ କେବଳ ସେହି ନିର୍ଜନ ଗୁହାରେ ବସି ଭାବେ, ମୂର୍ତ୍ତିର ଦର୍ଶନ ପାଇଁ ଏସବୁ କାହିଁକି-? ଜନତା ପୁଣି ୟାକୁ ପ୍ରଣାମ କରନ୍ତି କାହିଁକି ? ବାଜା, ଭେରୀ, ଶଙ୍ଖରଶବ୍ଦ କାହାପାଇଁ ? ଆରତି କାହିଁକି ? ମୂର୍ତ୍ତି ପାଦତଳେ ମୁଣ୍ଡ କଚାଡ଼ିବାକୁ ଏତେ ଆଡ଼ମ୍ବର ଓ ଭୋଗରାଗ କାହିଁକି ? ନିରୀହ ପଶୁଗଣଙ୍କର ଦୋଷ କ’ଣ? ମୂର୍ତ୍ତିର ହସ ହସ ମୁହଁଟି ଓ ପଦ୍ମଫୁଲ ପରି ଆଖି ଦୁଇଟି ସିନ୍ଦୁରରେ ଲୁଚାଇ ଦେଉଛନ୍ତି କାହିଁକି ? ହାୟରେ ଭକ୍ତ, ପୂଜକ ! ଧନ୍ୟ ତୁମ୍ଭର ଭକ୍ତି ! ନିରୀହ ପ୍ରାଣୀଙ୍କୁ ହତ୍ୟା କରି, କଳାର ଧ୍ୱଂସ ସାଧନ କରି, ତୁମେ କର ପୂଜା ?

 

ଦିନେ ସୂର୍ଯ୍ୟାସ୍ତ ପୂର୍ବରୁ ଜଣେ ଦର୍ଶକ ମୂର୍ତ୍ତି ନିକଟକୁ ଆସି ପୂଜା, ଭୋଗ, ବଳି ଇତ୍ୟାଦି ସାରି ସନ୍ଧ୍ୟାଗମନ ଦେଖି ତରତର ହୋଇ ଫେରିବାକୁ ବସିଥାଆନ୍ତି, ହଠାତ୍ ଜଣେ ଶ୍ମଶ୍ରୁଳ ବୃଦ୍ଧ ପହଞ୍ଚି ପଚାରିଲେ,–‘‘ତୁମେ କିଏ ?’’

 

‘‘ମୁଁ ଜଣେ ଭକ୍ତ ।’’

 

‘‘କଳାର ଭକ୍ତ ?’’

 

‘‘କଳା ! କଳା କ’ଣ ? –କଳା ଫଳା ମୁଁ କିଛି ଜାଣେ ନାହିଁ ।’’

 

‘‘ଆଚ୍ଛା, ତେବେ କାହାକୁ ଭକ୍ତି କରୁଅଛ ?’’

 

‘‘ଦେବତାଙ୍କୁ–’’

 

‘‘ଦେବତା କିଏ ? —ସେ କାହିଁ ?’’

 

ଦର୍ଶକ ବୃଦ୍ଧର ଏ ଧୃଷ୍ଟତାରେ ହଠାତ୍ ରାଗିଯାଇ କହିଲେ—‘‘କିରେ ବୁଢ଼ା ! ତୋତେ କ’ଣ ଅଦୃଶ୍ୟ ହେଲାଣି କି ? ଦେଖୁ ନାହୁଁ, ସମ୍ମୁଖରେ ତୋର ଦେବତା !’’

 

‘‘ସୁନ୍ଦର ମୂର୍ତ୍ତି...’’

 

‘‘କିଏ କହିଲା । –ଏତ ସ୍ୱୟଂ ବନଦୁର୍ଗା ମାତା !’’

 

‘‘ୟାକୁ ତ ମୁଁ ଗଢ଼ିଛି, ...ଏଇ ମୂର୍ତ୍ତି...!’’

 

ନାସ୍ତିକ ! ଏତ ସ୍ୱୟଂ ବନଦୁର୍ଗା । ପାପୀ ତୁ, ଚିହ୍ନିବୁ କାହୁଁ ? କ’ଣ କେହି ମଣିଷ ଏପରି ଦେବତା କେବେ ଗଢ଼ିପାରେ ? କଳିକାଳରେ ପଥର ପାଲଟିଛନ୍ତି ବୋଲି ସିନା ତୁ ଏତେ ବହପି ଯାଉଛୁ ! –ତୁଚ୍ଛା ପାଗଳ ତୁ !’’

 

ଶିଳ୍ପୀ କମ୍ପିତ ସ୍ୱରରେ କହିଲା, ‘‘–କ’ଣ, ମୁଁ ପାଗଳ, –ମୁଁ ପାପୀ ! ନିଶ୍ଚୟ, –ନିଶ୍ଚୟ !’’

 

ସେହି ରାତିରେ ତାକୁ ନିଦ ହେଲା ନାହିଁ । ସେ କେବଳ ଭାବୁଥିଲା–‘‘ସାରାଜୀବନ ମୋର ବଳିଦେଇ ମୁଁ କଲି କ’ଣ ? ନିରପରାଧ ପକ୍ଷୀଗଣଙ୍କୁ ଉଡ଼ାଇ ଦେଲି ! ପଶୁଙ୍କୁ ଘଉଡ଼ିଦେଲି-! ପ୍ରକୃତିର ସୌନ୍ଦର୍ଯ୍ୟ ଆଉ ବନଶ୍ରୀ ନଷ୍ଟ କଲି ! ନିରୀହ ପଶୁଗଣଙ୍କର ହତ୍ୟାକାରୀ ହେଲି !’’

 

‘‘ପକ୍ଷୀଗଣଙ୍କର କଳକୂଜନରେ ଶବ୍ଦାୟମାନ ଏହି ରମ୍ୟ ପ୍ରଦେଶକୁ ପ୍ରାନ୍ତର ଗଢ଼ାଇଲା କିଏ ? ମୂର୍ତ୍ତିର ଦର୍ଶନ ପାଇଁ ଏହି ଅଧିକାରୀ, ଅନଧିକାରୀ ମାନବ ଭେଦକୁ ସୃଷ୍ଟିକଲା କିଏ ? ଦେବତ୍ୱର ବିଶାଳ କଳ୍ପନା, ସଙ୍କୁଚିତ ରୂପରେ ପ୍ରକାଶିତ ହେବାର କାରଣ କିଏ ? ଏହି ସମସ୍ତ ବିଦ୍ରୋହ ମୂଳରେ କିଏ ? ମୁଁ...ମୁଁ !’’

 

ସେ ଉଠିଲା, ହାତୁଡ଼ିଟି ଦୃଢ଼ମୁଷ୍ଠିରେ ଧରି ସେହି ମୂର୍ତ୍ତିପାଖକୁ ଗଲା ।

 

ଆଜି ସେ ଆଉଥରେ ମୂର୍ତ୍ତିକୁ ନିର୍ନିମେଷ ଦୃଷ୍ଟିରେ ଦେଖିଲା । ପରମୁହୂର୍ତ୍ତରେ ପୁଣି ଘୃଣାରେ ମୁଖମଣ୍ଡଳ ତା’ର ସଙ୍କୁଚିତ ହୋଇଉଠିଲା । କିନ୍ତୁ ମୂର୍ତ୍ତି ତ ଚିର ବିକଶିତ ଶତଦଳପରି ପ୍ରଫୁଲ୍ଲ ସଜୀବ ଜଣାଯାଉଥିଲା । କିନ୍ତୁ ଶିଳ୍ପୀ ତା’ର ସର୍ଜକ, ପ୍ରତିଷ୍ଠାପକ, ଉପାସକ ଯେ, ସେ ଆଜି ତାକୁ ଶେଷଥର ପାଇଁ ଦେଖିବାକୁ ଆସିଛି ।

 

ବହୁ ସମୟ ଭାବି ଭାବି ସେ ତା’ର କଳ୍ପନା ଦୃଢ଼ କଲା । ହାତୁଡ଼ିଟି ଆହୁରି ଦୃଢ଼ମୁଷ୍ଠିରେ ଧରି ଉପରକୁ ଟେକିଲା । ପରକ୍ଷଣରେ ସେହି ବୃଦ୍ଧ ଶିଳ୍ପୀର ଏକ ସବଳ ଆଘାତ ମୂର୍ତ୍ତି ଉପରେ ପଡ଼ିଲା । ଗୋଟିଏ ଅଦ୍ଭୁତ ଶବ୍ଦ ଉଠି ବନସ୍ଥଳୀ କମ୍ପାଇ ଦେଲା ।

 

ମୂର୍ତ୍ତିର ମୁଣ୍ଡଟି ଭାଙ୍ଗି ତଳେ ପଡ଼ିଲା—ତା’ର ନିର୍ମାତା ଶିଳ୍ପୀକୁ ପ୍ରଣାମ କରିବାକୁ ।

 

ଘଟଣାର ପରଦିନ କେତେକ ଦର୍ଶକ ଆସି ଦେବତାଙ୍କ ଦୁର୍ଦ୍ଦଶା ଓ ନିକଟରେ ଗୋଟିଏ ହାତୁଡ଼ି ପଡ଼ିଥିବାର ଦେଖି, ଚିତ୍କାର କଲେ—‘‘କେଉଁ ପାପିଷ୍ଠ ଦେବତାଙ୍କ ଶ୍ରୀଅଙ୍ଗ ନଷ୍ଟକଲା ? ଠିକ୍ ପରମୁହୂର୍ତ୍ତରେ ଜଣେ ଦୀର୍ଘକାୟ ଶ୍ମଶ୍ରୁଳ ବଳିଷ୍ଠ ବୃଦ୍ଧ ଗୋଟିଏ ଗୁହାରୁ ବାହାରି ବଜ୍ର ଗମ୍ଭୀର ସ୍ୱରରେ—‘ମୂର୍ତ୍ତିର ସଂହାରକର୍ତ୍ତା ମୁଁ କିନ୍ତୁ ଦେବତାର ନୁହେଁ କହି ପୁଣି ଅଦୃଶ୍ୟ ହୋଇଗଲା । ଦର୍ଶକଗଣ ଭୀତ ଓ ତ୍ରସ୍ତ ହୋଇ ଫେରିଆସି ଗ୍ରାମରେ ସମସ୍ତ ବୃତ୍ତାନ୍ତ କହିଲେ ।

 

ସକାଳ ହେଲା । ଗ୍ରାମବାସୀଗଣ ଆସି, ଅତି ସାହସରେ ସେହି ଗୁହା ଭିତରେ ପଶି ଦେଖିଲେ—ଗୋଟିଏ ବୃଦ୍ଧ ବାବାଜୀର ଶବ ପଡ଼ିଛି, ଆଉ ତା’ ନିକଟରେ ଲୁହାର ଛେଣୀ, ଛୋଟ ହାତୁଡ଼ି ଏବଂ ଆଉ କେତୋଟି ଯନ୍ତ୍ରପାତି ଇତଃସ୍ତତ ବିକ୍ଷିପ୍ତ ହୋଇ ପଡ଼ିରହିଛି ।

 

ଆଜି ସେ ଶିଳ୍ପୀ, ସେ ଭକ୍ତ, ସେ ଉପାସକ ନାହିଁ କି ସେ ମୂର୍ତ୍ତି ନାହିଁ । କେବଳ ଗୁହାଟି ପଡ଼ିଛି ତା’ର ଚିରଉଦାର ବକ୍ଷ ଦେଖାଇ, ଆଶ୍ରୟହୀନଙ୍କୁ ଆଶ୍ରୟ ଦେବାପାଇଁ—ଆଉ ସେହି କୁଞ୍ଜ ଭିତରେ ମାଟି ଘୋଡ଼ାଙ୍କ ଗହଳରେ ଫୁଟେ କି ଦେଢ଼ଫୁଟ ଉଚ୍ଚର ଏକ ସୌମ୍ୟ ବୁଦ୍ଧମୂର୍ତ୍ତି ପଡ଼ିରହିଛି-। ଗାଁ ଲୋକେ କହନ୍ତି—‘‘ଯେଉଁ ବାବାଜୀ ଠାକୁରାଣୀ ସ୍ଥାପନା କରିଥିଲେ–ଏ ସେହି, କଳିଯୁଗରେ ପଥର ହୋଇ ଯାଇଛନ୍ତି ।’’

Image

 

ବରଦାନ ନା ଅଭିଶାପ

 

ଦୀର୍ଘ ଅବଗୁଣ୍ଠନ ତଳେ ଆକାଶର ସୁନୀଳ ଆଭା ଧୀରେ ଧୀରେ ଲୀନ ହୋଇ ଆସୁଥିଲା । ଆକାଶର ସେହି ଧୂସର ମେଖଳା ତଳେ ଧରିତ୍ରୀ ମାତା ଏକ ବିରହ-ବିଧୂରା ତରୁଣୀପରି ଉଦାସ ହୋଇଉଠୁଥିଲା । ଟିକିଏ ଟିକିଏ ଦମକା ବତାସ ସଙ୍ଗେ ସଙ୍ଗେ ଝିପିରି ଝିପିରି ହୋଇ ବର୍ଷା ଝରି ପଡ଼ୁଥିଲା । ଆଉ ସନ୍ଧ୍ୟାରାଣୀ ସେହି ବାରିବିନ୍ଦୁ ଗଳାରେ ବାହୁବେଷ୍ଟନ କରି ପଲ୍ଲୀ-ପ୍ରାଙ୍ଗଣରେ ଅଳସ ଗତିରେ ଅଗ୍ରସର ହେଉଥିଲେ । ଚତୁର୍ଦ୍ଦିଗରେ ଯେପରି ଏକ ଗଭୀର ତନ୍ଦ୍ରାବିରାଜିତ । ପଲ୍ଲୀପଥଗୁଡ଼ିକ ନିର୍ଜନ ହୋଇ ଉଠିଥିଲା—ବୃକ୍ଷ-ଶାଖାରେ ପକ୍ଷୀଗଣଙ୍କ ବିଚିତ୍ର କୂଳକୁଜନ ମୁଖରିତ ହୋଇଉଠିଥିଲା । ଦିବାଲୋକର ଶେଷ ରଶ୍ମିଟିକୁ ବିଦାୟ ଦେବା ନିମନ୍ତେ ଏହା ସତେ ଯେପରି ଏକ କରୁଣ ବିଳାପ କିମ୍ବା ଶ୍ରଦ୍ଧାପୂର୍ଣ୍ଣ ବନ୍ଦନାଗାନ ! କିଏ ଜାଣେ ପକ୍ଷୀ ହୃଦୟର ଏହା କେଉଁ ଗୋପନ କାହାଣୀ ।

 

ସେହି ଅନ୍ଧକାର ସମାଚ୍ଛନ୍ନ ସନ୍ଧ୍ୟାରେ ଲଖିଆ ବିଲ ରାସ୍ତାଧରି ଚାଲିଛି । ଦୁଇପାଖରେ କିଆବୁଦାର ଗହଳି ଅନ୍ଧକାରକୁ ଆଉ ଟିକିଏ ଘନିଭୂତ କରିଦେଇଛି । ହଠାତ୍ ଆଗରେ ଗୋଧିଟାଏ ସଡ଼ସଡ଼ ହୋଇ ଚାଲିଗଲା । ଲଖିଆ ଚମକିଉଠି ଅନ୍ଧାରଟାରେ ଆଗକୁ ଯିବ କି ନାହିଁ ଭାବିବାକୁ ଲାଗିଲା । କିନ୍ତୁ ତା’ର ସାନମାମୁର କଥାଗୁଡ଼ିକ ମନେ ପଡ଼ିଲାକ୍ଷଣି ପାଦ ତା’ର ଦି’ଗୁଣ ଉତ୍ସାହରେ ଆଗକୁ ଅଗ୍ରସର ହେଲା । ବାପ ତା’ର ରେଙ୍ଗାମ ଗଲେ ସେ ଭଲ ଲୁଗା ପିନ୍ଧିବ, ବାବୁ ପିଲାଙ୍କପରି ପାଠ ପଢ଼ିବ, ପୁଣି ମିଠାଇ ଖାଇବାକୁ ଯଥେଷ୍ଟ ପଇସା ପାଇବ । ସେମାନେ ଆଉ ଏପରି ଭୋକ ଉପାସରେ ରହିବେ ନାହିଁ ।

 

ସାନମାମୁ କଥା ଭାବୁଭାବୁ ସେ; ଦାସବନ୍ଧ ଉପରକୁ ଉଠିଲା । ବନ୍ଧହୁଡ଼ା ଉପର ଛିଡ଼ାହୋଇ ସନ୍ଧ୍ୟାର ଅନ୍ଧକାରାଚ୍ଛନ୍ନ ବିସ୍ତୃତ ସବୁଜ ଖେତ ଭିତରେ ସେ ତା’ର ବାପକୁ ଅନୁସନ୍ଧାନ କରିବାକୁ ଲାଗିଲା । ବିଲ ସେପାଖର ଗାଁ ଖଣ୍ଡିକ ନଡ଼ିଆ-କିଆବଣର ଘନଶ୍ୟାମଳିମା ଭିତରେ ତା’ର ଅସ୍ତିତ୍ୱ ହରାଇ ଦେଇଛି । ଝିପିରି ଝିପିରି ବର୍ଷାରେ ଲଖିଆର ତାଳିପକା ଲୁଗାଖଣ୍ଡିକ ତିନ୍ତିଗଲାଣି—ପାଦଦୁଇଟା କାଦୁଅରେ ଲଥପଥ ହୋଇଯାଇଛି ।

 

ଖେତ ମଝିରେ କେଉଁଠି ଜନମାନବର ଚିହ୍ନ ମଧ୍ୟ ନାହିଁ—ସନ୍ଧ୍ୟାରେ ପୁଣି ବିସ୍ତୃତ ଧାନଖେତ ଭିତରେ କୁଆଡ଼େ ଯିବ ଭାବିପାରିଲା ନାହିଁ–ତା’ର ବାଳକହୃଦୟ ଭୟରେ କମ୍ପିଉଠିଲା-। ଏଣେ ବାପ ତା’ର ଫେରିବାକୁ ବିଳମ୍ବ କଲେ ସବୁ ଭ୍ରଷ୍ଟ ହୋଇଯାଉଛି–ଘରେ କୁଣୁଆ ଉପସ୍ଥିତ, କୁଣୁଆ ବୋଲି କୁଣୁଆ, ଏକାବେଳକେ ସାନମାମୁ, ରେଙ୍ଗାମରେ ବାବୁ କାମ କରନ୍ତି । ଘରକୁ ଫେରିବା ଆଗରୁ ଯେ କୌଣସି ପ୍ରକାରେ ବାପକୁ ତା’ର ଏ ଖବରଟା ଦେବା ଦରକାର । ଘରେ ଖୁଦକଣାଏ ବି ନାହିଁ । ଏ ଅନାକାଙ୍‌କ୍ଷିତ ଦୁର୍ଦ୍ଦଶା ଯେ କେତେ ଲଜ୍ଜାଜନକ ଓ ଗୋପନୀୟ, ତାହା ବାଳକ ହେଲେ ମଧ୍ୟ ଆଜନ୍ମ-ଦରିଦ୍ର-ସନ୍ତାନ ଲଖିଆ ଭଲ କରି ବୁଝିଥିଲା ।

 

ବନ୍ଧର ଉଚ୍ଚ ହୁଡ଼ା ଉପରେ ଛିଡ଼ାହୋଇ ଲଖିଆ ଖେତ ଆଡ଼କୁ ପୁଣିଥରେ ତୀକ୍ଷ୍ଣଦୃଷ୍ଟି ପକାଇଲା । କୃଷ୍ଣ ଆକାଶ ବକ୍ଷରେ ତାରାଫୁଟି ଦିଶିଲାଣି—ଅନ୍ଧକାର ଘନାଇ ଆସିଲାଣି । ଲଖିଆ ଆଉ ଦମ୍ଭଧରି ରହିପାରିଲା ନାହିଁ । ‘ବାବା’—‘ବାବା’ ବୋଲି ଥରକେତେ କୁହାଟ ମାରିଲା । ଧାନଖେତର ବୁକୁ ଉପରେ ତା’ର କୁହାଟର ପ୍ରତିଧ୍ୱନି ଖେଳିଉଠିଲା—‘ବାବା,’ ‘ବାବା’ । କିଛିକ୍ଷଣପରେ ଉତ୍ତର ଆସିଲା–‘ଲଖିଆ କିରେ’’ । ଆଉ ସେହି ଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଲାଲ-ଜ୍ୟୋତିରେଖା ଉଜ୍ଜ୍ୱଳ ଓ ସ୍ତିମିତ ହୋଇ ହୋଇ ଆଗେଇ ଆସିଲା । ଲଖିଆ ବୁଝିପାରିଲା–ବାପ ତା’ର ଏଥର ଆସୁଛି–ତା’ର ହାତର ନିଆଁ ବିଣ୍ଡିଟା ଜଳିଉଠୁଛି ।

 

ଲଖିଆର ବାପ ମଦନା, ବୀର ବେହେରା ସହିତ ଦୁଃଖ ସୁଖ ହେଉ ହେଉ ବନ୍ଧ ହୁଡ଼ା ଉପରେ ଉଠିଲା । ମସିଆ ଗାମୁଛାଖଣ୍ଡିକ ମୁଣ୍ଡରେ ପାଗ ମରାହୋଇଛି, —କାନ୍ଧରେ କୋଦାଳ ଖଣ୍ଡିକ—ଆଉ ହାତରେ ନିଆଁ ବିଣ୍ଡିଟାଏ ପବନ ଲାଗି ଦପ୍ ଦପ୍ କରି ଉଠୁଛି । ଏଇ ସାଲୁରୁବାଲୁରୁ ପାଗରେ ପୁଣି ସଞ୍ଜ ଅନ୍ଧାରରେ ଲଖିଆକୁ ବନ୍ଧ ହୁଡ଼ାରେ ଦେଖି ମଦନା ରାଗି ଉଠିଲା–ୟାକୁ ଯେତେ କହିଲେ ବୋଲ ମାନିଲା ନାହିଁ, ଦେଖୁଛୁ ନା ବୀରଭାଇ, କେମିତି ବର୍ଷାଟାରେ ତିନ୍ତି ଝପଟିଛି ଏହି ଅନ୍ଧାରରେ–ଟିକିଏ ଡର ନାହିଁ । ଲଖିଆ ବୀରକୁ ଭଲକରି ଜାଣେ, ଆପଦ ବିପଦରେ ସେଇ ଏକା ୟାଙ୍କର ସାହାପଟ । ହେଲେ ମଧ୍ୟ ତା’ ଆଗରେ ସବୁ ଖୋଲିକହିବା ଉଚିତ କି ନା ଭାବୁଭାବୁ ଛେପ ଢୋକି ସେ କହିଲା–‘ବାବା, ସାନମାମୁ ଆସିଛନ୍ତି ?’

 

ମଦନା ଆଖି ଦୁଇଟା ଉପରକୁ ଟେକି ପଚାରିଲା–‘ଏଁ କ’ଣ କହିଲୁ–କିଏ ଆସିଛନ୍ତି-?’

 

ଲଖିଆ କିଛି ନ କହୁଣୁ ବୀର କହିଲା–‘ତମ ଶଳା ଆସିଛନ୍ତି ହୋ ! କିରେ ଲଖି, ରଙ୍ଗାମର ବିଶିକେଶନ ବାବୁ କି ?

 

ଲଖିଆ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା । ତା’ପରେ ପୁଣି ଥରେ ଛେପ ଢୋକି ବାପକୁ ତା’ର ଡାକିଲା । ମଦନା ସବୁ ବୁଝିପାରୁଥିଲା । ତା’ର ନିରୁତ୍ତର ଭାବ ଦେଖି ବୀର ବେହେରାକୁ ମଧ୍ୟ ବୁଝିବାକୁ କିଛି ବାକି ରହିଲା ନାହିଁ – କିନ୍ତୁ ମୁହଁ ଖୋଲି କେହି କିଛି କହିପାରିଲେ ନାହିଁ ।

 

ମଦନା ନୀରବରେ ଧୀରେ ଧୀରେ ବନ୍ଧ ହୁଡ଼ା ଉପରୁ ଓହ୍ଲାଇ କିଆବଣ ଭିତରେ ଗୋହିରୀ ଧରିଲା । ଖେତ ମଝିରେ ବୀର ଆଉ ସେ କେତେ ଦୁଃଖସୁଖ ହୋଇ ଆସୁଥିଲେ–ଏଇଲାଗେ କିନ୍ତୁ ଦୁହେଁଯାକ ନୀରବରେ ଆଉ ଆଗପଛ ହୋଇ କେବଳ ଅଗ୍ରସର ହେଉଥିଲେ । ଜଗନ୍ନାଥ ସଡ଼କ ବଡ଼ ବରଗଛ ମୂଳରେ ପହୁଞ୍ଚି ମଦନା ଫେରି ବୀର ଆଡ଼କୁ ଚାହିଁ କହିଲା—‘‘କ’ଣ କରିବି ବେହେରା ଭାଇ, ମୁଣ୍ଡରେ ବଜ୍ର ଛିଡ଼ି ପଡ଼ୁଛି । ଶଳାବାବୁ ଆସି ଘରେ—ଏଣେ ହାଣ୍ଡି ଶିକା ଉପରେ ! ଲୋକେ ବୁଝନ୍ତି ନାହିଁ—ଏଇ ମହରଗ କାଳରେ ମଧ୍ୟ କୁଣୁଆ ମଇତ୍ର ଖୋଜି ବୁଲନ୍ତି । ଏଇ କେଇଟା ଦିନ କିପରି ଯେ ଗୁଜୁରାଣ ମେଣ୍ଟାଇବି–ଜଗନ୍ନାଥ ଜାଣନ୍ତି !’’

 

ଶେଷର କଥାପଦକ ଲଖିଆକୁ ବଡ଼ ଖରାପ ଲାଗିଲା ।

 

ବିଶିମାମୁ କହୁଛନ୍ତି—ତା’ର ବାପକୁ ରାଙ୍ଗାମ ନେଇ ବଡ଼ ଚାକିରୀ କରାଇ ଦେବେ, ସେ ପୁଣି ଇସ୍କୁଲରେ ବାବୁ ପିଲାପରି ପାଠ ପଢ଼ିବ; ଗାଡ଼ିରେ ବସିବ ! ଆଉ ଖରାବର୍ଷା କାକରରେ ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ମଝିରେ କାଦୁଅଚକଟି ବୃଥାଟାରେ ବାପ ତା’ର ହଇରାଣ ହେଉଛି । ତେବେ ସୁଦ୍ଧା ପେଟପୂରା ମୁଠାଏ ଖାଇବାକୁ, ଅଣ୍ଟା ଲୁଚାଇ ଖଣ୍ଡେ ପିନ୍ଧିବାକୁ ମିଳୁନାହିଁ । ମା’ ତା’ର ମାମୁପାଖରେ କାନ୍ଦିକୁନ୍ଥାଇ କେତେ ନେହୁରା ହୋଇ କହିଛି—ମଦନାକୁ ଗୋଟେ କାମ ଯୁଟାଇ ଦେବାକୁ । ମାମୁ ତା’ର ହିଁ ଭରିଛନ୍ତି । ଆଉ ଏପରି ସୁଯୋଗ୍ୟ ମାମୁ ଉପରେ ତା’ର ବାପର ଏପରି ବିଦ୍ରୂପ । ମାମୁ ତା’ର କେଡ଼େ ବଡ଼ଲୋକ,–ହାତରେ ଟିକି ଟିକି କଳ (ଘଡ଼ି) ବନ୍ଧାହୋଇ ଚକଚକ କରୁଛି–ମୁଁହରେ ସାହାବପିକା (ସିଗାରେଟ୍‍) ଜଳୁଛି । ସେ ପିକାଧୂଆଁର ବାସନାରେ ଲଖିଆର ମନଟା ଛନ ଛନ ହୋଇ ଉଠେ, ପାଟିରୁ ଲାଳ ଗଡ଼ିପଡ଼େ । ମାମୁ ତା’ର ଏଡ଼େ ସୁନ୍ଦର ପିକାକୁ ମଧ୍ୟ ଦରଖିଆ କରି ଫିଙ୍ଗି ଦିଅନ୍ତି । ସଞ୍ଜ ଆଗରୁ ସେ ଦି’ଟା ସେହି ଖଣ୍ଡିଆ ପିକା ବାଡ଼ିପଛରୁ ଖୋଜିଆଣି ରଖିଛି–ଲୁଚିକରି ତା’ ଧୂଆଁ ଟିକିଏ ଟାଣି ଦେଖିବାପାଇଁ ।

 

ବୀର ମଦନାର ଅସହାୟ ଅବସ୍ଥା ଅନୁଭବ କରି ଦୀର୍ଘନିଃଶ୍ୱାସଟାଏ ପକାଇଲା । ଆଉ ସାଥିରେ ତା’ ଘରକୁ ଯିବାକୁ ଡାକି କହିଲା–‘ଆସ, ଘର କରିଥାଇଁ–ହେଳେ ହାବୁଡ଼େ ଏମିତି କ’ଣ ଅଚଳ ରହିଯିବ ।’ ମଦନା ଲଖିଆକୁ ଘରକୁ ଯିବାକୁ କହି ବୀର ସାଥିରେ ତା’ ଘରକୁ ଚାଲିଗଲା । ବୀର ପିଣ୍ଡା ଉପରେ କୋଦାଳୀ ଆଉ ମୁଣ୍ଡର ଝାମ୍ପିଟା ରଖିଦେଇ ଘରଭିତରକୁ ପଶିଗଲା ଆଉ ଭିତରୁ ହାଣ୍ଡିଟାଏ ବାହାର କରି ତହିଁରୁ ଚାଉଳ ଦିଓଟି ଆଉ ମାଠିଆ ଗୋଟାକରୁ ମୁଗଯାଇ ଦି’ଟା ଆଣି ମଦନାର ଗାମୁଛା କାନିରେ ବାନ୍ଧିଦେଲା, ଆଉ ଚାରୋଟି ଅଣା ପଇସା ତା’ ଅଣ୍ଟାରେ ଗୁଞ୍ଜିଦେଇ କହିଲା–‘‘କାଲି ପୁଣି ଦେଖାଯିବ—ବିଲ ଗହିର ମଝିରୁ ମାଗୁର ଗଡ଼ିଶ କରି ଦି’ଟା ଧରି ଆଣିବା,—ଏମିତି କ’ଣ ସତେ ଅଚଳ ରହିଯିବ !’’

 

ମଦନା ବୀର ବେହେରା ଘରୁ ବାହାରି ଗାଁ’ମୁଣ୍ଡ ପାଢ଼ୀଙ୍କ ଦୋକାନରୁ ଆଳୁସେରେ, ଲୁଣ ମସଲା କରି ଦି’ପଇସାର ଧରି ବାଡ଼ି ପଛପଟେ ଯାଇଁ ଧୀର କରି ଲଖିଆକୁ ଡାକିଲା । ଲଖିଆ କାନ ଡେରି ରହିଥିଲା—ବାପ ଡାକ ଶୁଣି ଦଉଡ଼ିଆସି ଗାମୁଛାଟା ନେଇ ରନ୍ଧାଘରେ ମା’ ପାଖରେ ଥିରକିନା ଥୋଇଦେଲା ।

 

ମଦନା ବୁଲିପଡ଼ି ଆଗପଟ ଦୁଆର ବନ୍ଧରେ କୋଦାଳୀଟା କାନ୍ଧରୁ ଓହ୍ଲାଇ ଢାଳେ ପାଣିନେଇ ଗୋଡ଼ ଦି’ଟା ଧୋଇ ପକାଇଲା ତିନ୍ତା ଲୁଗାଖଣ୍ଡିକ ପାଲଟି ପକାଇ ସାତହାତି ସଫା ଲୁଗା ଖଣ୍ଡିଏ ପିନ୍ଧି ଦୁଆରେ ବସି ଚୁନପତ୍ର ଟିକିଏ ଦଳି ପାଟିରେ ପକାଇଲା । ଲଖିଆର ମାମୁ ସେତେବେଳକୁ ସାଇବୁଲି ଯାଇଥାନ୍ତି—ଲଖିଆର ଲେଖାଯୋଖା ଦାଦି ଘରକୁ ।

 

ବିଶିକେଶନ ଫେରିଲାପରେ ନାନା ପ୍ରକାର ଦୁଃଖସୁଖ କଥା ପଡ଼ିଲା । ଗତ ଝଡ଼, ବନ୍ୟାରେ ଫସଲ କିପରି ନଷ୍ଟ ହୋଇଛି,—ସେ କଥା ମଧ୍ୟ ଉଠିଲା । ଶେଷରେ ବିଶିକେଶନ କହିଲା—ତୁମେ ମୋ ସାଙ୍ଗରେ ରେଙ୍ଗାମ ଚାଲ, ଭଲ ଚାକିରିଟିଏ କରାଇ ଦେବି । ଚାଉଳ ଗୋଦାମ ସାଇବ ସହିତ ମୋର ଭାରି ଦୋସ୍ତି–ତମକୁ ଭାରି ସୁବିଧାରେ କାମ ମିଳିଯିବ । ଏଇଠି ତୁଚ୍ଛାଟାରେ ପଡ଼ି ଏମିତି ଆଉ କେତେଦିନ କଷ୍ଟ ଭୋଗ କରିବ ?’

 

ବିଶିକେଶନର କଥାକୁ ଏକାବେଳକେ କାଟିଦେବା ମଦନାର ସାହାସ ନାହିଁ । କିନ୍ତୁ କଳ୍ପନାଲୋକର ଅଗୋଚର, ସେ କେଉଁ ସୁଦୂରରେ ସେହି ଆତଙ୍କଜନକ କୋଳାହଳ-ମୁଖର ସାତ ସମୁଦ୍ର ତେର ନଦୀ ପାରହୋଇ ରାଙ୍ଗାମ ମୂଲକକୁ ଯିବା ନିମନ୍ତେ ତା’ର ତିଳେବୋଲି ଇଚ୍ଛା ନ ଥିଲା । ଆଉ ଏଇ ଯେଉଁ ମାଟିଖଣ୍ଡିକ–ଯାହାର ମାୟା ତାକୁ ଚତୁର୍ଦ୍ଦିଗରୁ ସୁରକ୍ଷିତ କରି ରଖିଅଛି; ଯେଉଁ ମାଟିରେ ତା’ର ସାତପୁରୁଷର ପାଦଚିହ୍ନ ଅଙ୍କା ରହିଛି–ମଦନା ସେ ମାଟିର ମାୟା କାଟି କିପରି ଯେ ରେଙ୍ଗାମ ମୂଲକକୁ ପାଦ ବଢ଼ାଇବ–କଳ୍ପନା ମଧ୍ୟ କରିପାରିଲା ନାହିଁ । ଗ୍ରୀଷ୍ମର ଏଇ ପଲ୍ଲୀ-ପଥର ଧୂଳିରେ, ବର୍ଷାର ସ୍ନିଗ୍‌ଧ ଲତା-କୁଞ୍ଜରେ, ଶରତର ସବୁଜ ଧାନ କିଆରୀରେ, ହେମନ୍ତର ମାଣ୍ଡିଆ ଖେତରେ, ଶୀତର ପକ୍ୱ ଶସ୍ୟପୂର୍ଣ୍ଣ କ୍ଷୁଦ୍ର ଅଗଣାଟିରେ, ଆଉ ବସନ୍ତର ନବ-ପୁଷ୍ପ-ପଲ୍ଲବ-ମଣ୍ଡିତ ପଲ୍ଲୀ, ପ୍ରାନ୍ତର, ବନ ମଧ୍ୟରେ ପିଲାଟିଦିନରୁ କେତେ ସୁଖ ଦୁଃଖ ଭିତରଦେଇ ଏହି ପଲ୍ଲୀ ସହିତ ନିବିଡ଼ ଭାବରେ ସେ ପରିଚିତ । ଏହାରି ବୁକୁରେ ଜୈଷ୍ଠର ରଜପର୍ବର ଡୁଡୁ ଖେଳ, ଆଷାଢ଼ର ରଥ, ମାଘର ଅଗିରା ପୁନେଇଁର ନିଆଁଖେଳ, ଫଗୁଣର ଫଗୁ ଖେଳ, ଆଉ ଦିଅଁ ମେଳଣ, ଆଶ୍ୱିନର କୁଆଁର ପୁନେଇ ଗୀତର ସୁର, ତା’ର ରକ୍ତ ସହିତ ମିଶି ଏକାକାର ହୋଇଯାଇଛି । ଏସବୁ ଛାଡ଼ି ସେ ପୁଣି ସାତ ସମୁଦ୍ର ତେର ନଈ ପାରହୋଇ କେଉଁ ସରଗକୁ ଯିବ-? ମଦନା କିଛି ଭାବି ପାରିଲା ନାହିଁ—କେବଳ ଉପରକୁ ଚାହିଁ ଦୀର୍ଘ ନିଃଶ୍ୱାସଟାଏ ଛାଡ଼ିଲା-

 

ମାଳତୀ କିନ୍ତୁ ଏକଜିଦ୍ ଧରିଥାଏ । ତା’ ଭାଇ ଆଗରେ ମଦନା ବିଚାରା କେଡ଼େ ହୀନ ଆଉ ବେଢ଼ଙ୍ଗ ଦେଖାଯାଉଛି, ଭାବିଲାବେଳକୁ ତା’ ଦେହଟା ଶିତେଇ ଉଠୁଛି । ସେ ବି ତା’ ସ୍ୱାମୀକୁ ବିଶିକେଶନ ଭଳିଆ ବାବୁରୂପରେ ଦେଖିବାକୁ ଚାହେଁ । କେଡ଼େ ବଡ଼ ବଡ଼ ବାବୁ ସାଙ୍ଗରେ କଥା ହେବ । ସାହାବ-ପିକା ଖାଇବ-ହାତରେ ସୁନା ଘଡ଼ି ବାନ୍ଧିବ ! ସେ ତା’ର ସ୍ୱାମୀକୁ ଭର୍ତ୍ସନା ଦେଇ କହିଲା, ‘‘ଏଇଠି ଖାଲି ସକାଳୁ ସଞ୍ଜମାଟି ରାମ୍ପୁଡ଼ି ଦେହହାଡ଼ ମାଟି କଲେ ତ ଆଉ ଦୁଃଖ ନିର୍ବାହ ହେବ ନାହିଁ କି ଛୁଆଟା ଆପେ ଆପେ ମଣିଷ ହୋଇ ଯିବ ନାହିଁ । ତାହାହେଲେ ସେ ସାତପୁରୁଷର ମାଟିରେ ଲାଭ କ’ଣଟା ? ତମେ ତ ଯେମିତି ହେଲେ ଦୁଃଖକଷ୍ଟରେ କାଳ କଟାଇ ନେଉଛ–ଛୁଆଟା ତ ଆଉ ତମପରି ନିହାତି ହଡ଼ା ବଳଦ ହୋଇ ବିଲରେ ମାଟି ଚକଟିକ ନାହିଁ । ତାକୁ ଭଲା ଟିକିଏ ପାଠଶାଠ ପଢ଼ାଇ ମଣିଷ କର । ମଦନା ନୀରବରେ ସବୁ ଶୁଣିଗଲା । କିଛି ନ ହେଉ ପଛକେ ଛୁଆଟା କିପରି ଟିକିଏ ମଣିଷ ପଣିଆର ହେବ ଏତକ କାମନା ମଦନାର ବୁକୁରେ ବୁକୁରେ ସଞ୍ଚିତ ଥିଲା ।

 

ବିଶିକେସନ ବାବୁ ପରଦିନ ଯିବାକୁ ବସିବାରୁ ମାଳତୀ କନ୍ଦାକଟା ଆରମ୍ଭ କରିଦେଲା । ସେ ଜାଣେ ବିଶି ଚାଲିଗଲେ ମଦନା ଯିବା ନାମରେ ବାଡ଼ି ପକାଇବ । ଏଣୁ ସେ ବିଶିକୁ ଲଗାଇଲା ସଭିଙ୍କୁ ସାଙ୍ଗରେ ନେଇଯିବା ପାଇଁ । ସବୁତ ହେଲା, ଏଣେ ପଇସା କଉଡ଼ି ଆସୁଛି କାହୁଁ ! ମାଳତୀ ଘର ଡିହଖଣ୍ଡିକ ବିକି ଦେବାପାଇଁ ପରାମର୍ଶ ଦେଲା । ମାତ୍ର ବାପଗୋସାପର ପୁରୁଖା ! ମାଟିଖଣ୍ଡିକ ବିକ୍ରି କରିବାକୁ ମଦନା ଆଦୌ ରାଜି ହେଲା ନାହିଁ । —ସେ ନ ଆସିଲା ଯେ କ’ଣ ହେଲା,—ଲଖିଆ କି ତା’ ପୁଅ ଯିଏ ହେଲେ ଯେତେ ପୁରୁଷ ପରେ ହେଉ ପଛକେ–ତାରି ବଂଶର କିଏ ହେଲେ ତ ଆସି ଏଇଠି ତା’ର ସୁଖ ଦୁଃଖର ସଂସାର ବାନ୍ଧିବ—ଏ ଚିନ୍ତାଟିକୁ ସେ ଏକାବେଳେକେ ପୋଛି ଦେଇ ପାରିଲା ନାହିଁ । ଶେଷରେ ଚାଷଜମି ବିକ୍ରି କରିବାର କଥା ହେଲା । ସେ କଥା ଭାବିଲାବେଳକୁ ମଦନା ଆଖିରୁ ଝର ଝର କରି ଲୁହ ଝରିପଡ଼ିଲା । ବୈଶାଖର ମୁଣ୍ଡଫଟା ଖରାରେ ସେ ଯେଉଁ କିଆରୀର ମାଟି ଲଙ୍ଗଳ ମୁନରେ ଚିରି ବିହନ ବୁଣୁଛି,—ବର୍ଷାର ପ୍ରବଳ ଧାରାପାତ ମଧ୍ୟରେ ମୁଣ୍ଡ ପାତି ବେଉଷଣ କାମ କରିଛି, ବାଳୁଙ୍ଗ ଉପାଡ଼ୁଛି, କେତେ ଶରତର ପ୍ରଭାତରେ ଯେଉଁ ଧାନଖେତରେ ନବୀନ ମଞ୍ଜରୀ ଦେଖି ଆତ୍ମହରା ହୋଇ ଗୀତ ଗାଇଛି ଆଉ ଶରତରେ ପାଚିଲାଧାନର ବୋଝ ବୋହି ଆନନ୍ଦରେ ଘରକୁ ଫେରିଛି, ପୁଣି କାଲିସୁଦ୍ଧା ବୀର ବେହେରା ସାଙ୍ଗରେ ଯେଉଁ ଖେତରେ କାଦୁଅ ଚକଟି ବାଳୁଙ୍ଗା ଉପାଡ଼ିଛି—କେତେ ଅତୀତ ପ୍ରିୟ-ସ୍ମୃତି-ବିଜଡ଼ିତ ଏକାନ୍ତ ସମ୍ବଳ ସେଇ ଖେତକୁ ଆଜି ନିଦାରୁଣ ବନ୍ୟା ଓ ଦୁର୍ଭିକ୍ଷର ଅତ୍ୟାଚାରରେ ପର ହାତରେ ଟେକିଦେଇ କେତୋଟି ଟଙ୍କା ମାତ୍ର ସମ୍ବଳ ଧରି କୁଡ଼ିଆ ଦୁଆରେ କଞ୍ଚି ପକାଇ ଏକ ଅପରିଚିତ ଅସୀମ ପଥରେ ପାଦ ବଢ଼ାଇବ । ଛାତି ଭିତରଟା ମଦନାର କୋରି ହୋଇଗଲା ।

 

ମଦନା କିଛି ଭାବି ପାରିଲା ନାହିଁ । କେବଳ ଜଳ ଜଳ କରି ଚାହିଁ ରହିଲା । ମାଳତୀର ତୀବ୍ର ବାକ୍ୟବାଣ ବିରୁଦ୍ଧରେ କୌଣସି ଅଭିଯୋଗ ଆଣି ପାରିଲା ନାହିଁ—ସମ୍ମୁଖରେ ଯେ ବିଶିବାବୁ-। ଶେଷକୁ ଡରିମରି ଥିର ହୋଇ ରହିଲା ।

 

ଏଣେ ବିଶିବାବୁ ଯିବାକୁ ତରତର ହୋଇ ଉଠିଲେ । ସେ ତ ଆଉ ଏହି ହଳିଆ ମଳିଆଙ୍କ ପରି ନିକିମା ହୋଇ ବସି ରହିବେ ନାହିଁ । ସେ ଶେଷରେ ମାଳତୀକୁ ଲକ୍ଷ୍ୟ କରି କହିଲେ,—‘‘ମୁଁ ଏଇଲାଗେ ଚାଲିଯାଉଛି, ମାଳଅପା ! ତମେ ନ ହେଲେ ପରେ ସୁବିଧା କରି ଯିବ-।’’ ଏଣେ ବିଶିବାବୁଙ୍କ ଉପଯୁକ୍ତ ଖାଦ୍ୟର ଯୋଗାଡ଼ରେ ମଦନା ବେଲା କଂସା ଦି’ଖଣ୍ଡି ବନ୍ଧା ପକାଇଲାଣି । ମଦନା ଶେଷରେ କହିଲା—‘‘ବିଶିବାବୁ, ନ ହେଲେ ତମେ ଆଗେ ଯାଇ କାମଦାମ ଠିକ୍ କରି ଖଣ୍ଡେ ଚିଠି ଦେବ । ତମ ଚିଠି ପାଇଲେ ଯାଇ ଆମେ ଯିବୁ ।’’ ବିଶିବାବୁ ସାନନ୍ଦରେ ଏଥିରେ ରାଜି ହେଲେ କିନ୍ତୁ ମାଳତୀ କାନ୍ଦିକାଟି ଗାଳିଗୁଲଜ ଦେଇ ଶେଷରେ ଲଖିଆକୁ ଧରି ବାପଘରକୁ ବାହାରିଲା ।

 

କ୍ରମଶଃ ଘଟଣାର ଜଟିଳତା ଓ ବାସ୍ତବରୂପ ଦେଖି ମଦନା ବିବ୍ରତ ହୋଇ ଉଠିଲା । ସେ ତା’ର ସରଳ ବିଶ୍ୱାସରେ ଭାବିଥିଲା ଯେ ବିଶିବାକୁ ଗଲାପରେ କିଛିଦିନ ବିତିଗଲେ ମାଳତୀର ମନ ବଦଳି ଯିବ, ଆଉ ପିତୃପୁରୁଷର ଜମିଗୁଡ଼ିକ ସୁରୁଖୁରୁରେ ରହିଯିବ । କିନ୍ତୁ ମାଳତୀର ଏ ପ୍ରାବଲ୍ୟରେ ମଦନା ଗାମୁଛା ଖଣ୍ଡି ମୁଣ୍ଡରେ ଗୁଡ଼ାଇ ଗାଁମୁଣ୍ଡ ବରଗଛ ତଳକୁ ଚାଲିଲା । ଯାହାଙ୍କୁ ଘେନି ତା’ର ସଂସାର, ଏଇ ଖରାବର୍ଷା କାକରରେ ଯାହାଙ୍କ ପାଇଁ ତା’ର ଏତେ ପରିଶ୍ରମ—ସେଇ ଛୁଆ ମାଇପ ଯଦି ଚାଲିଯିବେ ତେବେ ସେ ଏକା ଏଇ ଜମିବାଡ଼ି ଘରଦୁଆର ଧରି କ’ଣ କରିବ ?

 

ଖେତରେ ଖାଲି ବୁଆଳି ସିନା ହୋଇଛି—ଫସଲ ଭଲ ହେବ କି ନା କିଏ ଜାଣେ ! ସୁତରାଂ ଅଳ୍ପ ଦାମ ମିଳିଲା । ମଦନା ପାଢ଼ୀଙ୍କ ଦୋକାନ ତଳେ ଅଧିକାରୀଙ୍କ ହାତରେ ଦୁବ-ଗୋଚର ଟେକି ଦେଇ ଦେଢ଼ଶହ ଟଙ୍କା ଅଣ୍ଟାରେ ଗୁଞ୍ଜି ତଳମୁହାଁ ହୋଇ ଫେରିଲା । ଅତି ନିକଟରେ ବୀର ବେହେରା ଘର ! ମୁହଁ ଫେରାଇ ଥରେ ବୋଲି ସେଆଡ଼କୁ ଚାହିଁଲା ନାହିଁ । ସେ ଭାବୁଥିଲା ଯେପରି ଏକ ଗୁରୁତର ଅପରାଧ କରି ଫେରୁଅଛି । ସନ୍ଧ୍ୟାର ଘନକୃଷ୍ଣ ଆକାଶ ବକ୍ଷରେ ତା’ର ସ୍ୱର୍ଗବାସୀ ପିତୃପୁରୁଷଗଣ ଯେପରି ରୋଷକଷାୟିତ ନୟନରେ ତାକୁ ତିରସ୍କାର କରୁଅଛନ୍ତି-! ତାଙ୍କର ଚକ୍ଷୁର ଦୀପ୍ତିରେ ଅଗଣିତ ତାରକାରାଶି ଜଳଜଳ କରି ଜଳି ଉଠୁଛନ୍ତି ପରା ! ସେଦିନ ରାତିରେ ମଦନାକୁ ଖାଇବାକୁ ଭାତ ରୁଚିଲା ନାହିଁ କି ଶୋଇବାକୁ ନିଦ ଆସିଲା ନାହିଁ ।

 

ପରଦିନ ସତ୍ୟବାଦୀରୁ ସଞ୍ଜ ଗାଡ଼ିରେ ସେମାନେ ଗୋପାଳପୁର ଯାକେ ଯାଇ ସେଇଠୁ ଇଷ୍ଟିମାରରେ ବସିଲେ । ଲଖିଆ କିଛିଦିନ ପରେ କିପରି ବାବୁ ହୋଇ ଫେରିବ ଏହା କହିବା ପାଇଁ ଖଣ୍ଡିଆ ସିଗାରେଟ୍‌ ଦିଓଟି ଧରି ତା’ର ସାଙ୍ଗସାଥିମାନଙ୍କ ପାଖକୁ ଯାଇଥିଲା । ମଦନାର ତ ଉତ୍ସାହ ଆଦୌ ନ ଥିଲା ବରଂ ସେ ଜଗନ୍ନାଥଙ୍କୁ ଡାକୁଥିଲା କିପରି ମାଳତୀର ମନ ବଦଳି ଯାଉ—ଆଉ ସେ ଧାଇଁ ଯାଇ ଅଧିକାରୀଙ୍କ ଟଙ୍କା କେଇଟି ଫେରାଇ ଦେଇ ଚାଷ ଜମି ଖଣ୍ଡିକ ଫେରାଇ ଆଣି ଚିରନ୍ତନ ସୁଖନେଇ ପୁଣି ସେଇ ମାଟି ଚକଟି ଜୀବନ ଗଢ଼ିବ । ଏଣେ କିନ୍ତୁ ମାଳତୀ ସବୁ ଜିନିଷପତ୍ର ବନ୍ଧାବନ୍ଧିରେ ଲାଗିପଡ଼ିଛି । କଣ’ଟା ବା ତାଙ୍କ ଘରେ ଅଛି ଯେ ! କଂସା ପିତଳ କେଇଖଣ୍ଡି ତ ପାଢ଼ୀଙ୍କ ଦୋକାନରେ ବନ୍ଧା ପଡ଼ିଛି—ଏ ଯାକେ ମୁକୁଳି ନାହିଁ । ହଡ଼ା ବଳଦ ତ ବଢ଼ି ଆଉ ଝଡ଼ରେ ଝଡ଼ିଛନ୍ତି । –ଆଉ ଯେଉଁ ଛିଣ୍ଡା କନ୍ଥା ପଟଆ ଦିଖଣ୍ଡି ଅଛି ସେତକ ମଧ୍ୟ ବିଶି ଆଗରେ ବାହାର କରିବାକୁ ମାଳତୀକୁ ସରମ ଲାଗୁଛି । ତେବେ ମଧ୍ୟ ସେ ସବୁଯାକ ବାନ୍ଧିଛନ୍ଦି ପେଡ଼ିଟାଏ ଆଉ ଗଣ୍ଠିରିଟାଏ ସଜ କଲା ।

 

ବେଳ ଆସି ମୁଣ୍ଡରେ ହେଲାଣି, ଆଉ ମଦନା ସେଇ ଯେଉଁ ବଡ଼ି ଅନ୍ଧାରରୁ ଉଠି ଚାଲିଯାଇଛି ଏଯାକେ ଦେଖା ନାହିଁ । ଏଆଡ଼େ ସେଆଡ଼େ ଧା ଦଉଡ଼ କରି ଲଖିଆ ଫେରିଲା, ଖିଆପିଆ ସରିଲା—ତେବେ ମଧ୍ୟ ତା’ର ବାପାର ଦେଖା ନାହିଁ । ବିଶିକେଶନ ବ୍ୟସ୍ତହୋଇ ଲଖିଆକୁ ସାଥିରେ ଘେନି ମଦନାକୁ ଖୋଜିବାକୁ ବାହାରିଲେ ।

 

ଗାଁ’ଟା ଯାକ ଦରାଣ୍ଡି ବୀର ବେହେରା ଘର ହୋଇ ମାମୁ ଭଣଜା ଦିହେଁ ବିଲ ଗହୀର ରାସ୍ତାରେ ଦାସବନ୍ଧ ହୁଡ଼ା ଉପରେ ଆସି ଉଠିଲେ । ବିଶି ଦେଖିଲେ, ବନ୍ଧତଳେ ମଦନା କାଦୁଅ ଲଟପଟ ହୋଇ ବୀର ବେହେରା ସହିତ ତା’ ଖେତରୁ ବାଳୁଙ୍ଗା ଓପାଡ଼ୁଛି—ଆଉ ଦୁଃଖସୁଖ ହେଉଛି । ସକାଳୁ ଏତବେଳଯାଏ କିଛି ଖାଇ ନାହିଁ । କାଲି ରାତିରେ ମଧ୍ୟ ଭଲକରି ଖାଇ ନାହିଁ । ମୁହଁଟା କେମିତି ସିଠାଳିଆ ଦେଖାଯାଉଛି । ଖରାରେ ମୁଣ୍ଡକାନ ଝାଳ ନାଳ ହୋଇ ପଡ଼ିଛି । ମୁଣ୍ଡରେ କେବଳ ଗାମୁଛାଟି ବନ୍ଧା ଯାଇଛି । ସେହି ଶୀର୍ଣ୍ଣ ଶୁଷ୍କ କ୍ଷୁଧିତ ରୂପ ଦେଖି ଲଖିଆ ଡାକିଲା–‘ବାବା’ !

 

ବିଶିବାବୁ ସେହି ମୁହୂର୍ତ୍ତରେ ରାଗି ଲାଲ ହୋଇଗଲେ–କିନ୍ତୁ ପାଖରେ ବୀର ବେହେରାକୁ ଦେଖି ତୁନି ପଡ଼ିଗଲେ । ମଦନା ବିଶିବାବୁଙ୍କୁ ହୁଡ଼ା ଉପରେ ଦେଖି ହସି ପକାଇଲା–‘‘ଆଉ କେବେ ଯେ ବିଲରେ ବସି ଏପରି ସୁଆଧିନ ଭାବରେ କାମ କରିବି—କିଏ ଜାଣେ । ସେଇଥି ପାଇଁ ଆଜି ବେହେରା ଭାଇ ସାଙ୍ଗରେ ଶେଷଥର ପାଇଁ ସାଙ୍ଗ ହୋଇ ଖେତଟା ଟିକିଏ ବାଛି ପକାଇଲି । ହଉ, ଚାଲ—ଚାଲ’’ କହି ଉଠି ଛିଡ଼ା ହେଲା ।

 

ମଦନାର ମତ ପରବର୍ତ୍ତନ ହୋଇନାହିଁ ଦେଖି ବିଶିବାବୁ ଖୁସି ହେଲେ । ବୀରର ଉପକାରର ପ୍ରତିଦାନରେ ତା’ ଜମିରେ କାମ କରିଦେବାଟା ବରଂ ତାଙ୍କୁ ଟିକିଏ ପସନ୍ଦଯୋଗ୍ୟ ହେଲା । ସେ ହସି କହିଲେ—‘‘ଏଇ ଅସନାଟା ଭିତରେ ପଶି ମଶା ମାଛି ବଣରେ ତମକୁ କାଦୁଅ ଚକଟିବାକୁ ଭାରି ଭଲ ଲାଗେ ମଦନା ଭାଇ, ନା ?’’

 

ମଦନା ଜିଭ କାମୁଡ଼ି କହିଲା—‘‘ଆହା, ଏମିତି କଥା ତୁଣ୍ଡରେ ଭାଖନ୍ତି ନା ! ଲକ୍ଷ୍ମୀମାତାଙ୍କ ଏଇସବୁ କାମଦାମ କେବେ ଅସନା ହୁଏ ! ଏଇ କାଦୁଅ ଚକଟି ତ ଆମର ଚଉଦ ପୁରୁଷ ବଞ୍ଚି ଆସିଛନ୍ତି । ଘରେ ଯଦି ଧାନ କାଣିଏ ନାହିଁ, ମୁଠା ମୁଠା ଟଙ୍କା ଅରଜି କ’ଣ ହେବ ବାବୁ !’’

 

ଖରାଟାରେ ବନ୍ଧ ହୁଡ଼ାରେ ଛିଡ଼ାହୋଇ ବୋକା ମଦନା ସାଥିରେ ତର୍କ କରିବାର ଇଚ୍ଛା ବିଶିବାବୁଙ୍କର ମୂଳହୁଁ ନ ଥିଲା । ଏଣୁ ସେ ମଦନାକୁ ଶୀଘ୍ର ଆସିବାକୁ କହି ଲଖିଆକୁ ଧରି ଘରମୁହାଁ ଚାଲିଲେ । ତାଙ୍କ ପଛେ ପଛେ ମଦନା ମଧ୍ୟ କମ୍ପିତ ପଦକ୍ଷେପରେ ଧୀରେ ଧୀରେ ଆଗେଇଲା—ଯେପରି ତା’ର ପିଣ୍ଡରରେ ପ୍ରାଣ ନାହିଁ । ସେ ସେହିପରି କାଦୁଅ ଲଟପଟ ହୋଇ ଗମ୍ଭୀର ମୁଖରେ କ୍ଷୁଧାକାତର ଶରୀର ନେଇ ଏକ ଅସୀମ ଗୁରୁବେଦନା ଧରି ଫେରିଲା—ଯେପରି କେଉଁ ଏକାନ୍ତ ଆତ୍ମୀୟର ଶବକୁ ଚିତାରେ ଆହୁତ ଦେଇ ଫେରି ଆସିଛି । ମାଳତୀର ଜୋର ଜବରଦସ୍ତିରେ ହାତଗୋଡ଼ ଧୋଇ ନାକେ କାନେ ଦୁଇଟା କ’ଣ ଗୁଞ୍ଜିଦେଲା । ଗୋଟିଏ ଖାରଧୁଆ ଲୁଗାପିନ୍ଧି ଗଞ୍ଜି ଖଣ୍ଡିକ ଦେହରେ ଗଳାଇ ଘର ଚାରିପାଖ ଥରେ ଅନାଇ ଆଣିଲା–ହୁହୁ ହୋଇ ଆଖିରୁ ତା’ର ଲୁହର ଝର ଫୁଟି ବାହାରିଲା । ବୀର ବେହେରା ସଅଳ ସଅଳ କାମସାରି ତାକୁ ଟେସନ ପାଖକୁ ନେଇ ଛାଡ଼ିବାକୁ ଭାରଟାଏ ଧରି ଆସିଛି । ମାଳତୀ ପେଡ଼ି ଆଉ ଗଣ୍ଠିରି ଖଣ୍ଡିକ ତା’ ଭାରରେ ଦେଇ ତାକୁ ଆଗେ ଆଗେ ଟେସନ ପଠାଇ ଦେଲା ।

 

କଳ୍ପନା-କୁଞ୍ଜରେ ଦୋଦୁଲ୍ୟମାନ ଲଖିଆ ମଧ୍ୟ ତୁଳସୀ ତଳେ ଦଣ୍ଡବତ କରିବାକୁ ଯାଇ କାନ୍ଦି ପକାଇଲା । ଏଇ ମାଟି ଖଣ୍ଡିକରେ ଯେ ତା’ର ଶୈଶବର ଚିର ପ୍ରିୟ ସ୍ମୃତିଗୁଡ଼ିକ ବିଜଡ଼ିତ ! କେବଳ ମାଳତୀ ଏକ ଭବିଷ୍ୟତର ରଙ୍ଗିନ ସ୍ୱପ୍ନରେ ମସ୍‌ଗୁଲ ରହିଲା । ସାଇପଡ଼ିଶାର ଯେତେକ ମାଇପୀ ତାକୁ ବିଦାୟ ଦେବାକୁ ଆସିଥିଲେ । ସମସ୍ତଙ୍କ ଆଗରେ ସେ ଯେପରି ପରମ ସୌଭାଗ୍ୟବତୀ ! ତା’ର ସ୍ୱାମୀ ମଦନା ବଡ଼ଲୋକ ହୋଇଛି । ତା’ର ହାତରେ ସୁନାର ଘଡ଼ି ବନ୍ଧା, ମୁହଁରେ ସିଗାରେଟ୍ ପିକାର ଧୂଆଁ—ପୁର ମହକାଇ ଦେଉଛି ।

 

ସଞ୍ଜୁଆ–ତାରା ଆକାଶରେ ଦେଖାଗଲାଣି । ଷ୍ଟେସନ ଯିବା ବାଟରେ ମଦନା ଶେଷଥର ପାଇଁ ଦାସବନ୍ଧ ହୁଡ଼ାରେ ଉଠି କିଛିକ୍ଷଣ ବିସ୍ତୃତ ସବୁଜ ଧାନକ୍ଷେତଆଡ଼କୁ ଚାହିଁରହିଲା–ତା’ପର ଦୀର୍ଘ ନିଶ୍ୱାସଟାଏ ପକାଇ ଗାମୁଛା କାନିରେ ଆଖି ପୋଛି ବନ୍ଧ ତଳକୁ ଓହ୍ଲାଇ ବାଟେ ବାଟେ ଚାଲିଲା । ସେତିକିବେଳେ ଠିକ୍ ତା’ର ପଛପଟୁ ବନ୍ଧହୁଡ଼ା ବରଗଛ ଉପରୁ ‘ହୁ ହାଁ’ ଚଢ଼େଇଟାଏ ଡାକି ଉଠିଲା—ହୁଁ—ହୁଁ ! ମଦନାର ଛାତିଟା ଥର ଥର କରି କମ୍ପି ଉଠିଲା ।

 

ବୀର ବେହେରାକୁ ବିଦାୟ ଦେଇ ସାକ୍ଷୀଗୋପୀନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟାଏ ମାରି ରେଳ ଉପରେ ବସିଲାକ୍ଷଣି ମଦନା କାନ୍ଦି ପକାଇଲା । ଟିକିଏ ପରେ ଲୁହ ପୋଛି ଦୀର୍ଘନିଃଶ୍ୱାସଟାଏ ପକାଇ ଗୁଣୁ ଗୁଣୁ ହୋଇ କହିଲା—‘‘ହେ ଗୋପୀନାଥେ, ମୋ’ ଉପରେ ଏ ତମର ବରଦାନ ନା ଅଭିଶାପ ?’’

 

ଅଭିଶପ୍ତ

 

ଧରମୁ—ଲୁହାଖଣିର କୁଲି ସେ !

 

ପେଟର ଦାଉରେ ପଡ଼ି ସେ ଘର ଦୁଆର ଛାଡ଼ି ଦୂର ପାହଡ଼ରେ ଆସି ଆଶ୍ରୟ ନେଇଛି-। ଗୁଆ ଲୁହାଖଣିର ସେ ଗୋଟିଏ କୁଲି । ବର୍ଷେହେଲା ଦେଶରୁ ଛୁଆ ମାଇପ ଆଣି ସେଇ ପାହାଡ଼ତଳେ ଘର କରି ରହିଛି । ଷ୍ଟେସନ ପାଖକୁ ଲାଗି ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ‘ଖାଦାନ ଠିକାଦାର’ଙ୍କ ବଙ୍ଗଳା–ବେଶ୍‌ ଧୋବଧାଉଳିଆ ହୋଇଛି । କୋଠା ସାମନାରେ ଗୋଟିଏ ସୁନ୍ଦର ଫୁଲ ବଗିଚା—କେତେ କିସମର ଫୁଲ ଫୁଟି ଉଜ୍ଜ୍ୱଳି ଉଠୁଛି । ତା’ର ଭିତରେ ଗୋଟିଏ ଲୁହାର ଦୋଳି ବସିଛି—ବେଳେ ବେଳେ ବଙ୍ଗଳାର ଖୋକା ଖୋକିମାନେ ସେଇଠି ଦୋଳି ଖେଳନ୍ତି-। ଆଉ ସେହି ବାବୁ ବଙ୍ଗଳାର ଅଦୂରରେ ଧାଡ଼ିଏ ‘ହାଟିଂ’ (ପଲ୍ଲା) ଘର–ବାବୁଙ୍କ ଗୋରୁ ଗୁହାଳଠାରୁ ମଧ୍ୟ ହୀନ ! ସେଇ ‘ହାଟିଂ’ ଘର ଭିତରୁ ଗୋଟିକରେ ଧରମୁ ରହେ—ପିଲା କବିଲା ଧରି ।

 

ସକାଳେ ଯେତେବଳେ ଇଞ୍ଜିନ ଘରର ବଂଶୀଟା ନିହାତି ନିଦାରୁଣ ସୁରରେ ବାଜିଉଠେ–ଧରମୁ ତର ତର ହୋଇ ପଖାଳ ଗଣ୍ଡାକ ନାକେ କାନେ ଗୁଞ୍ଜିଦେଇ ଚାଲିଯାଏ—ତା’ ବି କେଉଁଦିନ କଞ୍ଚାଲଙ୍କା ମରିଚଟାଏ ଦେଇ କେବେ ବା ସେମିତି ତୁଚ୍ଛା ବାସି ପଖାଳ ! ଯେତେବେଳେ ଶତଚ୍ଛିନ୍ନ ମସିଆ ଲୁଗାଖଣ୍ଡିକ ଅଣ୍ଟାରେ ଗୁଡ଼ାଇ ରଙ୍ଗ ବେରଙ୍ଗର ତାଳିପକା ଗଞ୍ଜିଖଣ୍ଡିକ ଦେହରେ ଗଳାଇ ପାହାଡ଼ ଉପରକୁ ଉଠିଯାଏ—ସେତେବେଳେ ସେହି ଠିକାଦାର ବାବୁଙ୍କ ଚାକର ଟୋକାଟା ତାକୁ ଦେଖି ବିଦ୍ରୂପ କରି ହସିଉଠେ–‘‘ବେହୁଦା ହୈ ।’’ ଧରମୁର ହାଡ଼ କଡ଼କଡ଼େଇ ଉଠେ, ମୁହଁଟା ତା’ର ଲାଲି ପଡ଼ିଯାଏ । ପୁଣି ପର ମୁହୂର୍ତ୍ତରେ ସେ ନିଜକୁ ସମ୍ଭାଳି ନେଇ ଚାକର ଟୋକାଆଡ଼କୁ ଚାହିଁ ଟିକିଏ ମୁରୁକି ହସିଦିଏ । କ’ଣ କରିବ—କପାଳଟା ତ ତା’ର ହୀନ ! ନ ହେଲେ ଗୋଟାଏ ଛତରା ଚାକର ଟୋକା ଏପରି ଥଟ୍ଟା କରନ୍ତା ନା ! ହେଇପରା ସେଦିନପରି କଥା ! ଖୋରଧା ଲଢ଼ାଇରେ ତା’ ଗୋସାପ ଧରଣୀଧର ବାହୁଭୂଜଙ୍ଗ ମହାପାତ୍ର ସାତଚୋଟ ଗୁଳି ଖାଇସୁଦ୍ଧା ଏକା ଏକା ଦେଢ଼ଶହ ପଲଟଣଙ୍କ ମୁଣ୍ଡ କାଟି ପକାଇଥିଲା । ଆଉ ଆଜି ତାରି ନାତି ଗୋଟାଏ ବାରବୁଲା ଆଭିଜାତ୍ୟହୀନ ଲୋକଙ୍କ ନିକଟରେ ଲାଞ୍ଛିତ ! ସେ ଦୀର୍ଘନିଃଶ୍ୱାସଟାଏ ପକାଇ ପାଦର ଗତି ଟିକିଏ ଚଞ୍ଚଳ କରିଦିଏ ।

 

ଧରମୁ କାମକୁ ଚାଲିଗଲା ପରେ ତା’ ସ୍ତ୍ରୀ ରତନୀ କୌଣସି ପ୍ରକାର ଛିଣ୍ଡା ଶାଢ଼ି ଖଣ୍ଡିକ ଅଣ୍ଟାରେ ଗୁଡ଼ାଇ, ବାସୀ ଆଡ଼ତିରେ ଲାଗିଯାଏ । ବରଷକର ଛୁଆଟା ତା’ର ଛିଣ୍ଡା କନ୍ଥାଟା ଉପରେ ପଡ଼ି ପଡ଼ି ହାତ ମୁଠାଟାକୁ ପାଟି ଭିତରେ ପୂରାଇ ‘ଚୁଁ ଚୁଁ କରି ଚୋଷି ପକାଏ–ରତନୀର ବକ୍ଷର ଶୁଷ୍କ ସ୍ତନ ତାକୁ ତୃପ୍ତ କରିପାରେ ନାହିଁ !

 

ରତନୀ ସାରାଟିଦିନ ଘରେ ବସି ବସି କେତେବେଳେ ତା’ ଛୁଆର ଛିଣ୍ଡା କନ୍ଥାଟା ଟିକିଏ ମରାମତି କରି ପକାଏ–କେତେବେଳେ ବା କେବଳ ଛୁଆକୁ କୋଳରେ ଧରି ବସିରହେ ଗେରସ୍ତର ବାଟ ଚାହିଁ—ଦୁଆର ଆଡ଼କୁ । ଧରମୁ ଦିନଟାସାରା ଖରାବର୍ଷାର ମାଡ଼ ସହି ପଥର ତାଡ଼ି ତାଡ଼ି ଚାରି ଛ’ ଅଣା ପଇସା କ’ଣ ଆଣିଲେ ଯାଇ ସିନା ଷ୍ଟେସନ ପାଖ ସେଠ ଦୋକାନରୁ ଡାଲି ଚାଉଳ କ’ଣ ଦି’ଟା ଆଣି ସେ ଚୁହ୍ଲିରେ ହାଣ୍ଡି ବସାଇ ଫୁଟାଇବ ଆଉ ଗେରସ୍ତ ଓ ଛୁଆକୁ ତା’ର ଖାଇବାକୁ ଦେବ ! ହଠାତ୍‌ ସାମନା ଠିକାଦାର ବଙ୍ଗଳାରୁ ଭାସିଆସେ ବିଳାସର ହାସ୍ୟଧ୍ୱନୀ–ଚିନ୍ତା ତା’ର କ୍ଷଣକ ପାଇଁ ଭାଙ୍ଗିଯାଏ । ସେ ତନ୍ମୟ ହୋଇ ଚାହିଁରହେ ସେହି ବଙ୍ଗଳାଆଡ଼କୁ । ଏକ ସୁକୁମାର ଶିଶୁକୁ କୋଳରେ ଧରି କୋଠା ଭିତରୁ ବାହାରି ଆସେ ଏକ ଛତିଶଗଡ଼ିଆଣୀ ଆୟା—ଆଉ ଶିଶୁଟିକୁ ଧରି ଦୋଳିରେ ବସି ଝୁଲି ଝୁଲି ଗାଇଉଠେ—‘ଝୁଲନ୍‌ ଝୁଲେ ମେରେ କାନାହିଁୟା ।’ ରତନୀ ଅପଲକ ଦୃଷ୍ଟିରେ ସେ ଦୃଶ୍ୟ ଦେଖେ ମୂକ ହୋଇ–ଆଉ କାନଡେରି ଶୁଣେ ବଙ୍ଗଳା ଭିତରର ହାସ୍ୟଧ୍ୱନୀ ! ପୁଣି ପରମୁହୂର୍ତ୍ତରେ ଛାତିଟାକୁ ତା’ର ଚାପିଧରେ ହୃତ୍‍ପିଣ୍ଡର ସ୍ପନ୍ଦନଟାକୁ ତା’ର ନିୟନ୍ତ୍ରିତ କରିବା ପାଇଁ । ହଠାତ୍‌ ଛୁଆଟା ତା’ର କାନ୍ଦିଉଠେ । ସେହି ହାସ୍ୟ ଓ କ୍ରନ୍ଦନର ଘୂର୍ଣ୍ଣିପାକରେ ପଡ଼ି ସେ ଭାବେ–‘ଏ ପୁଣି କେଉଁ ବିଧାତାର ଖେଳ !’

 

ଯେତେବେଳେ ମାଟି ଘରର ମାଟି ଚଟାଣ ଉପରେ ପଡ଼ି ଛୁଆଟି ତା’ର ଭୋକରେ ଆଉଟୁ ପାଉଟୁ ହୋଇ ଚିତ୍କାର କରି କାନ୍ଦି ଉଠେ—ସେତେବେଳେ ବାବୁବଙ୍ଗଳାର ବରନ୍ଦାରେ ଆୟା ‘ଖୋକନ୍‌’କୁ କୋଳରେ ଧରି ‘ଖୋକା ନ ଖାୟ୍‌ତ ତୋତା ମୈନା ଖାୟ୍‌—ଆୟ୍‌ ଆୟ୍‌’ କହି ଦୁଧ ଟିକିଏ ପିଆଇବା ପାଇଁ ବ୍ୟତିବ୍ୟସ୍ତ ହୋଇଉଠେ । ବାବୁଆଣୀ ଛୁଆଟିକୁ ତାଙ୍କର କେତେ ବେଶଭୂଷା କରି ଯେତେବେଳେ ବାବୁଙ୍କ କୋଳରେ ଦେଇ ସାର୍ଥକତାର ହସରେ ଘରଖଣ୍ଡିକୁ ଭରିଦିଅନ୍ତି—ସେତେବେଳେ ରତନୀର ଶିଶୁର ମୁହଁ ଖଣ୍ଡିକ କ୍ଷୁଧାର ଯନ୍ତ୍ରଣାରେ ଶୁଷ୍କ ହୋଇଉଠେ-! ରତନୀର ମାତୃହୃଦୟ ତାହା ଦେଖୁ ଦେଖୁ ଆତ୍ମସତ୍ତା ହରାଇ ଦେଇ ଭାବେ—ଏ ପୁଣି କି ବିଚାର-! ପଞ୍ଜରାଥରା ଏକ ଦୀର୍ଘ ନିଶ୍ୱାସ ପକାଇ କହେ—‘‘ହେ ପ୍ରଭୁ !’’

 

ଧରମୁ ବେଳବୁଡ଼ ସରିକି ଅଣ୍ଟାରେ ପାଞ୍ଚୋଟି ଅଣା ପଇସା ଧରି ଘରକୁ ଫେରି ରତନୀ ମୁହଁରେ ଦଣ୍ଡକ ପାଇଁ ଟିକିଏ ହସ ଦେଖିବାକୁ ପାଏ—ସେଇଥିରେ ତା’ର ଶାନ୍ତ କ୍ଳାନ୍ତ ଶରୀରର ସମସ୍ତ ଅବସାଦ ଦୂର ହୋଇଯାଏ । କିନ୍ତୁ, ଛାତି ଭିତରେ ତା’ର ଯେଉଁ ଅଲିଭା ଚିତାଟି ଅହରହ ଜଳୁଥାଏ–ସେଇଟି— ଆଉ ଲିଭେ ନାହିଁ ।

 

ରତନୀ ପିଠିରୁ ତା’ର ଝାଳ-ଧୂଳି ପୋଛି ଦେଉଁ ଦେଉଁ କହେ—‘‘ଏୟ୍‌ ଶୁଣୁଛ ? ଆମ ଛୁଆଟା ପାଇଁ ଗୋଟାଏ କୁରୁତା ସିଆଁ କରାଅ ନା !’’ ରତନୀର ଶୁଖିଲା ମୁହଁଟିକୁ ଚାହିଁ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ଧରମୁ କହେ—‘ରତନୀ ! କହିପାରିବୁ, ଆମ ଭଳି ଲୋକଙ୍କ ପକ୍ଷରେ ଛୁଆର ବାପ-ମା’ ହେବା ଦେବତାର ଅଭିଶାପ ନା ବରଦାନ ?’’ ରତନୀ ଛଳ ଛଳ ଆଖିରେ ତା’ର ସ୍ୱାମୀର ମୁହଁଆଡ଼କୁ ଚାହିଁ ରହେ, କହେ—‘‘ଆମ ବାବୁଆଣୀଙ୍କର ଅନେକ ଟଙ୍କା, ସୁନା ଅଛି, ନାହିଁ-? ସେଥିପାଇଁ ତାଙ୍କ ଛୁଆକୁ କେତେ ଗେଲବସରର କରିଛନ୍ତି—’’ ତା’ପରେ ଗୋଟିଏ ଦୀର୍ଘନିଶ୍ୱାସ ଛାଡ଼ି ଛାତି ଭିତରଟା ଟିକିଏ ହାଲକା କରିଦେଇ ତା’ର କଥାରେ ପୂର୍ଣ୍ଣଚ୍ଛେଦ ପକାଏ ।

 

ଧରମୁ ହାତପାପୁଲି ଦି’ଟାରେ ତା’ର ଶୁଖିଲା ଆଖି ଦୁଇଟିକୁ ଦଳିଦିଏ । ଦଣ୍ଡକ ପାଇଁ ଆଖିପତା ଚାରିଟା ତା’ର ଓଦା ହୋଇ ଉଠେ । ସେ ଭାବେ—‘ହାୟରେ ରତନୀ ! –ମାତୃତ୍ୱର ଦାବି ଘେନି ତୁ ଯେମିତି ଏ ଧରଣୀରେ ଜନ୍ମ ନେଇଛୁ—ବାବୁଆଣୀ ମଧ୍ୟ ସେହିପରି ଜନ୍ମ ନେଇଛନ୍ତି । କିନ୍ତୁ, ତୋର ଓ ତାଙ୍କ ଭିତରେ ରହିଛି ଏକ ବିରାଟ ବ୍ୟବଧାନ–ଆକାଶ ପାତାଳ ପରି-! ତୁ ଆସିଛୁ ତୋରି ରକ୍ତ ନିଗାଡ଼ିଦେଇ ବାବୁଆଣୀଙ୍କର ଗତିପଥକୁ ରଙ୍ଗିନ କରିଦେବା ପାଇଁ–ଆଉ ସେ ତୋରି ରକ୍ତରେ ଅଳତା ପିନ୍ଧି ରଙ୍ଗମଞ୍ଚରେ ଓହ୍ଲାଇଛନ୍ତି ତୋରି ରକ୍ତରେ ପୁଷ୍ଟ ଉର୍ବଶୀ ପରି ରୂପ ଘେନି ତୋରି ମାତୃବକ୍ଷର ମର୍ମନ୍ତୁଦ ହାହାକାର ବାବୁଆଣୀଙ୍କର ହାହାକାରକୁ ଘୋଡ଼ାଇ ରଖିଛି–ତେଣୁ ଆଜି ତାଙ୍କର ଛାତି ଗର୍ବରେ ଉଲ୍ଲସିତ । ଅଧର ହାସ୍ୟରଞ୍ଜିତ ହୋଇଉଠୁଛି-।’

 

ଏତିକିବେଳେ ଛୁଆଟା ତା’ର କାନ୍ଦି ଉଠେ । ରତନୀ ଚୁଲିରେ କାଠ ଦି’ଟା ପକାଇଦେଇ ହାଣ୍ଡିଟା ବସାଉ ବସାଉ କହେ–‘‘ଏୟ, ଛୁଆଟାକୁ ଟିକିଏ ଧରି ଦିଅନା ।’’

 

ଧରମୁ ଠୋ ଠୋ ହୋଇ ହସିଉଠେ—‘ରତନୀ, ଗରିବର ପୁଣି ସ୍ନେହ କ’ଣରେ ? ସେ ପରା କାଠପାଷାଣଠୁ ଆହୁରି ହୀନ । ତାକୁ ସେହି ପଥର ଛାତିତଳେ ସବୁ ଲୁଚାଇ ରଖିବାକୁ ପଡ଼େ ଯେ ରେ !’ ନିଜେ ପୁଣି ଛୁଆଟାକୁ ତଳୁ ଉଠାଇ ଆପଣାର ବେଦନାତୁର ଛାତି ଭିତରେ ଭିଡ଼ିଧରି ମୁହଁରେ ତା’ର ଚୁମାଟିଏ ଦିଏ—ଆଉ ତା’ର ଅବୋଧ୍ୟ ଚାହାଁଣୀକୁ ନିର୍ନିମେଷ ନୟନରେ ଚାହିଁ ଭାବେ–‘ହାୟରେ ଶିଶୁ ! କେଉଁ ପାପଫଳରେ ତୁ ଏ ଅଭିଶପ୍ତ ଘରେ ଆସି ଜନ୍ମ ନେଲୁରେ । ଅଜାଣତରେ ଆଖିରୁ ତା’ର ଦି’ଟୋପା ଲୁହ ଶିଶୁର କପାଳ ଉପରେ ଖସିପଡ଼େ ।

 

ଦି’ଦିନ ହେଲା ଧରମୁ କାମକୁ ଯାଇନି—ଛୁଆଟିର ଭୀଷଣ ଜର ଆଉ କାଶ । ହଠାତ୍‌ ସେଦିନ ପ୍ରଭାତରୁ ସେହି ବାବୁ ବଙ୍ଗଳାରେ ଉତ୍ସବର ବାଦ୍ୟନାଦ ଉଠିଲା । ଧରମୁର ‘ହାଟିଂ’ ଘରଟି ମୁହୁମୁହୁଃ କମ୍ପି ଉଠିଲା ସେହି ବାଦ୍ୟନାଦରେ—ତା’ର ଝାଟି କାନ୍ଥର ଭିଜାମାଟି ଝର ଝର ହୋଇ ଖସିପଡ଼ିଲା । ବଙ୍ଗଳାର ବାତାୟନର ପଛପଟେ ଦେଖାଦେଲେ ବାବୁଆଣୀ—ଅପୂର୍ବରୂପ ଧରି । ତାଙ୍କର ଆଜି କି ଅପୂର୍ବ ବେଶଭୂଷା—କି ଛନ୍ଦମୟ ପଦଚାଳନା–କି ପ୍ରାଣ ଖୋଲା ହସ ! ସବୁ ମିଳି ଏକ ଉତ୍କଟଦୃଶ୍ୟର ରୂପ ନେଇ ଛିଡ଼ାହେଲା ଧରମୁର କୁଟୀର-ଦ୍ୱାରରେ । ଛତିଶଗଡ଼ିଆଣୀ ଆୟା ମଧ୍ୟ ଆଜି ନୂଆ ଜୁବୁଲି ଶାଢ଼ି ପିନ୍ଧିଛି । ଖୋକାର ବେକରେ ସୁନାର ହାର, ହାତରେ ସୁନାର ବଳା ! ରନ୍ଧାଘରୁ ଭାସି ଆସୁଛି ରାଜଭୋଗ ଖାଦ୍ୟର ସୁଗନ୍ଧ । କେତେ ଚିହ୍ନା ଅଚିହ୍ନା ଲୋକଙ୍କର ଯିବା ଆସିବା, ଖିଆପିଆର ଧୂମ ଲାଗିଲା—ଏଣେ କେତେ ମାଗିଖିଆ ରୋଷଘର ପଛପଟେ ରୁଣ୍ଡ ହୋଇ ତାଙ୍କରି ପ୍ରସାଦ କଣିକାଟିକକୁ ଅପେକ୍ଷା କରି ରହିଥାଆନ୍ତି । ପତ୍ର ଖଣ୍ଡିଏ ପଡ଼ିଲାମାତ୍ରକେ ରୁଣ୍ଡ ହୋଇ ଛୁଟି ଯାଆନ୍ତି—ଯେ ଆଗ ପାଏ, ଝଟକିନି ଚାଟିପକାଏ କେଡ଼େ ଆନନ୍ଦରେ । ଠିକାଦାରବାବୁଙ୍କ ଉତ୍ସବ ବିଭୋର ଦୃଷ୍ଟି ତାଙ୍କ ଉପରେ ଟିକିଏ ବୋଲି ପଡ଼ିପାରେ ନାହିଁ । ଧରମୁ ତା’ର ଖୋଲାଦ୍ୱାର ଫାଙ୍କ ଦେଇ ଏସବୁ ଦେଖେ–ଦୀର୍ଘନିଃଶ୍ୱାସଟାଏ ପକାଏ । ଆଜି ଯେ ‘ଖୋକା’ ର ଜନ୍ମଦିନ !

 

ଏଣେ ରତନୀର ପୂର୍ଣ୍ଣକୁଟୀରରେ ଉତ୍ସବ ବିନିମୟରେ ଦେଖାଦେଲା ଏକ ଘନକୃଷ୍ଣ ବୈଶାଖର ପୁଞ୍ଜିଭୂତ ମେଘ—ଆଉ ଆସିଲା ଏକ ପ୍ରଚଣ୍ଡ ଘୂର୍ଣ୍ଣିବାତ୍ୟାର ଉଦ୍ଦାମ ନର୍ତ୍ତନ । ରତନୀ ତା’ର ଛୁଆଟିକୁ କୋଳ ଭିତରେ ଧରି କାନ୍ଦି ଉଠିଲା– ‘‘ମୋ ରଙ୍କସଙ୍ଖାଳିଟାରେ !’’ ଧରମୁ ତା’ ମୁହଁ ଉପରେ ହାତ ପକାଇ କହି ଉଠିଲା—‘‘ନାହିଁରେ ନାହିଁ; ତୋର ପୁଣି ସଙ୍ଖାଳି କ’ଣରେ ରତନୀ, ତୋର ଛୁଆଟା ଆଜି ଖାଇନାହିଁ କିରେ ?’’ ରତନୀ କାନ୍ଦି ପକାଇ କହେ—‘‘ଟିକିଏ ଧରି ଦେଖ ନା, ଛୁଆଟାର ଦେହଟା କେମିତି ଖଇ ଫୁଟି ଯାଉଛି ।’’

 

ଧରମୁ ବାସ୍ପରୁଦ୍ଧ କଣ୍ଠରେ କହେ—‘‘ଭଲ ହେଲାରେ ରତନୀ ଭଲ ହେଲା । ଆଜି ଯେ ତାଙ୍କର ଉତ୍ସବର କୋଳାହଳ ତୋର ଆଉ ମୋର କ୍ରନ୍ଦନର ରବରେ ବୁଡ଼ିଯିବ ନାହିଁ—ବରଂ କୋଳାହଳକୁ ଦ୍ୱିଗୁଣ କରି ବଢ଼ାଇ ଦେବ । ସେମାନେ ଯେ ସେଇୟା ଚାହାନ୍ତିରେ ? ଆମର ଶୁଖିଲା ପ୍ରାଣଟାକୁ ନିଗାଡ଼ି ଦେଇ ତାଙ୍କର ତଟକା ରକ୍ତ ସାଥିରେ ମିଶାଇ ଦେଇ ସେମାନେ ଯେ ଦ୍ୱିଗୁଣ ତେଜରେ ଅଗ୍ରସର ହେବାକୁ ଚାହାନ୍ତି—ଆମରି ହାଡ଼ଗଦା ଉପରେ । ତାଙ୍କର ସୁଖର ହାସ୍ୟଧ୍ୱନି ସେ ଆମର ବୁକୁଫଟା ଚିତ୍କାରକୁ କେଉଁ ଅତଳସାଗରରେ ବୁଡ଼ାଇ ଦେଇ ଛୁଟିଯିବାକୁ ଚାହେଁ !’’

 

ରତନୀର ପ୍ରାଣରେ ଧୀରେ ଧୀରେ ସେହି ଉତ୍ସବର ପ୍ରତିଧ୍ୱନି ଆଉ ଧରମୁର କରୁଣ ଆଳାପର ସୁର–ସବୁ ଲିଭି ଆସେ । ଦି’ଦିନ ହେଲା ତା’ର ଛୁଆଟିର ବେରାମ । ଟୋପାଏ ଔଷଧ ମଧ୍ୟ ପାଟିରେ ପଡ଼ିନି । କିପରି ଭାବରେ ଛୁଆଟିକୁ ବଞ୍ଚାଇବ ସେ ! ରତନୀ ଧରମୁର ହାତ ଦୁଇଟି ଧରି କାନ୍ଦି ପକାଇ କହେ–‘‘ଶୁଣୁଛ ! ଥରେ ହେଲେ ଯାଅ ସେହି ଖାଦାନ ଡାକ୍ତର ପାଖକୁ ପିଲାଟା ପାଇଁ ଟିକେ ହେଲେ ଔଷଧ ମାଗି ଆଣ ।’’

 

ଧରମୁ ଏକ ଅଦ୍ଭୁତ ପୈଶାଚିକ ହସ ହସିଦିଏ । ମନେ ମନେ ଭାବେ—ରତନୀ, ଏ ବିରାଟ ବିଶ୍ୱ ମଝିରେ ତୋର ଛୁଆର ସ୍ଥାନ ତୋରି କୋଳଛଡ଼ା ଆଉ କେଉଁଠି ଯେ ନାହିଁରେ ! ଭଗବାନ ଯେ ଗରିବର ମାୟାମମତାଟାକୁ ଜଉମୁଦ ଦେଇ ମା’ର ବୁକୁ ଭିତରେ ସାଇତି ରଖିଛନ୍ତି, ଏତେବେଳେ ଆଉ କିଏ ତୋ ଛୁଆକୁ ମୁହଁଟେକି ଦେଖିବରେ ! ତୋ ଛଡ଼ା ଯେ ଦୁନିଆର ଆଉ ସମସ୍ତେ ଦୁଆଳିଆ ହୋଇଯାଇଛନ୍ତି । ସେ ଆଉ ଭାବିପାରେ ନାହିଁ, ମୁଣ୍ଡ ଉପରେ ତା’ର ଆକାଶ ଭାଙ୍ଗି ପଡ଼େ ।

 

ପାଞ୍ଚଦିନ ଦିନ ଧରମୁ ସାଶ୍ରୁନୟନରେ ପିଲାଟିକୁ ନେଇ କାଳନଦୀ କୂଳରେ ରେଳପୋଲ ତଳେ ଗୋଟିଏ ପଳାଶଗଛ ମୂଳରେ ଧରିତ୍ରୀମାତାର ବକ୍ଷରେ ଉପହାର ଦେଇ ଆସିଲା । ପାଞ୍ଚଟି ଦିନର କ୍ଷୁଧାଜର୍ଜରିତ ଶରୀରଟାକୁ ସେ କୌଣସି ପ୍ରକାରେ ଘରକୁ ଫେରାଇ ଆଣୁ ଆଣୁ ଥରେ ତା’ର ଜୀବନ-ଯବନୀକାର ପଛପାଖକୁ ଅନାଇ ଦେଲା । -ଅନ୍ଧକାର-କଳା କିଟ୍‌ କିଟ୍‌ ଅନ୍ଧକାର ମଧ୍ୟରେ ସେ ଆଉ ତା’ର ସ୍ତ୍ରୀ ଦି’ଜଣ ଯାତ୍ରୀ ପାଦ ଚାଲିଛନ୍ତି ମସ୍ତକରେ ଗୁରୁଭାର ବହନ କରି । –ଦୂର ପଶ୍ଚାତରେ ଆହୁରି ଲକ୍ଷ ଲକ୍ଷ ଯାତ୍ରୀ ତାଙ୍କୁ ହାତ ଠାରି ଡାକୁଛନ୍ତି, ‘‘ହେ ଅଭିଶପ୍ତ ଯାତ୍ରୀ, ଆମେ ସବୁ ଯେ ତୁମରି ସାଥୀ; ତୁମରି ପରି ବିଧାତାଙ୍କ ଅଭିଶାପର ଗୁରୁଭାର ମୁଣ୍ଡରେ ଲଦି ଚାଲିଛୁ ।’’

 

ଧରମୁର କୁଡ଼ିଆଘରୁ ଯେତେବେଳେ ‘ମୋ ଧନରେ’ ବୋଲି କ୍ରନ୍ଦନର ସୁର କ୍ଷୀଣରୁ କ୍ଷୀଣତର ହୋଇ ଭାସିଆସେ, ବାବୁବଙ୍ଗଳାରେ ସେତେବେଳେ ଗ୍ରାମୋଫୋନର ସୁର ଲହରୀ ଉଛୁଳି ଉଠେ—‘ପ୍ରିୟା ମିଲନକୋ ଯାନା-ଆ...ଆ...’

 

ଠିକ୍‌ ଷ୍ଟେସନ ଆରପାଖ ପାହାଡ଼ ତଳକୁ ପ୍ରକାଣ୍ଡକାୟ ଦୈତ୍ୟପରି କଳଘର କୃଷ୍ଣକାୟ ଚିମିନିଗୁଡ଼ିକ ଆକାଶକୁ ମୁଣ୍ଡଟେକି ଧୂମ ଉଦ୍‌ଗାର କରିଚାଲିଛି । ସେହି ବିସ୍ତୃତ କୃଷ୍ଣଧୂମରାଶି କୁଣ୍ଡଳାକୃତି ହୋଇ କ୍ରମେ କ୍ରମେ ଧୂସର ଆଭାଧାରଣକରି ପ୍ରେତାତ୍ମା ପରି ମହାଶୂନ୍ୟରେ ଭାସି ଭାସି ଚାଲିଛି । ଆଉ ତାରି ଛାୟାତଳେ ବିରାଟ କଳଘର ଦଣ୍ଡାୟମାନ ହୋଇ ଲକ୍ଷ ଲକ୍ଷ ନିରୀହ ବ୍ୟକ୍ତିର ରକ୍ତଶୋଷଣ କରି ନିଜର ବର୍ଦ୍ଧନଶୀଳ କଳେବରକୁ ଚାହିଁ ରହିଛି । ଏହି ଦାନବରାଜ୍ୟର ହୁଙ୍କାରରେ ଲକ୍ଷ ଲକ୍ଷ ପ୍ରାଣୀଙ୍କର ହୃତ୍‌କମ୍ପ ଉଠେ । କଳଘରର ମାଲିକ ହାତରେ କାଉଁରି କାଠି ରହିଛି–ବୁଲାଇ ଦେଲାକ୍ଷଣି ସମ୍ମୁଖରେ ଆସି ଉଭାହୁଏ ଆଜ୍ଞାଧୀନ ଦେବୀଦୂତ । ଜିଜ୍ଞାସୁ ନୟନରେ ମାଲିକଆଡ଼କୁ ଚାହିଁ ପଚାରେ—‘କ’ଣ ଲୋଡ଼ା ସାଆନ୍ତେ ?’ ମାଲିକ ତା’ର ବିଶାଳଉଦରରେ ହାତ ବୁଲାଇ ହାତମାରି କହେ—‘ଲୋଡ଼ା ? ଲୋଡ଼ା ଟଙ୍କା, ଅଜସ୍ର ଟଙ୍କା ?’ ଦେବୀଦୂତ ଜିଭଚାଟି କହେ–‘ଟଙ୍କା ! ତା’ହେଲେ ଯେ ସାଆନ୍ତେ, ଲକ୍ଷ ଲକ୍ଷ ପ୍ରାଣର ବଳିଦାନ ଲୋଡ଼ା !’ ମାଲିକର ଅଙ୍ଗୁଳି ସଙ୍କେତରେ ଚାରି-ଛ’ଅଣା ପଇସା ବିନିମୟରେ ଛୁଟି ଆସନ୍ତି ଅସଂଖ୍ୟ ସର୍ବହରାର ଦଳ—ଧରମୁ ପରି ନିଜର କଲିଜା ଫାଡ଼ି ତଟକାରକ୍ତ ଢାଳିଦେବା ପାଇଁ ।

 

ହଜାର ହଜାର ନିରନ୍ନ, ଲକ୍ଷ ଲକ୍ଷ ବୁଭୁଷୁ, କୋଟି କୋଟି ବାସହରା ଧାଇଁ ଆସନ୍ତି, ଆକୁଳ ଆହ୍ୱାନ ଜଣାନ୍ତି ମାଲିକର ପଦତଳେ, ହେ ପ୍ରାଣଦାତା, ତମର ବାହୁଛାୟା ତଳେ ଅନ୍ନ ଓ ଆଶ୍ରୟର ଭିକ୍ଷା ଚାହୁଁ ! କେତେ ଆସନ୍ତି, କେତେ ଯାଆନ୍ତି—କେତେ ବଳିର ଯୂପକାଠରେ ‘ଅନ୍ନ–ଆଶ୍ରୟ’ର ବୁଭୁକ୍ଷା ଚିରଦିନ ପାଇଁ ମେଣ୍ଟାଇ ଦିଅନ୍ତି । ମାଲିକ ଏକ ବିଦ୍ରୁପର ଅଟ୍ଟହାସ ହସି ଭାବେ,–‘‘ଏମାନେ ଯେ ନିତିପ୍ରତି ଏଇପରି ଆସି ବଳିର ଯୂପକାଠରେ ସାନନ୍ଦରେ ଗଳା ବଢ଼ାଇ ଦିଅନ୍ତି, ୟା’ ବି କ’ଣ ତାଙ୍କର ଭାଗ୍ୟ ?’ —ଲକ୍ଷ ଲକ୍ଷ ଶ୍ରମିକର ବୁକୁ ଉପରେ ସେ ବିଜୟ ଗର୍ବରେ ଚଳାଇ ନିଏ ତା’ର ରଥ—ସମସ୍ତ ଅଧିକାରର ଦାବୀ ଘେନି ଛିଡ଼ାହୁଏ ଯାଇ ସେହି ଅର୍ଦ୍ଧନଗ୍ନ ଅଶିକ୍ଷିତ ନିରନ୍ନ କ୍ଷୁଧିତ ଜନତାର ମଝିରେ ଛାତି ଫୁଲାଇ !

 

ଧରମୁ ଏହି ଛଅଟି ଦିନ କାମକୁ ଆସି ନ ଥିଲା । ଛାତି ଭିତରଟା ଯେ ତା’ର ପୋଡ଼ିଜଳି ଯାଉଛି—କ୍ଷୁଧାରେ ଦେହଟା ଥରି ଥରି ଉଠିଛି । ସେଦିନ କାମରୁ ଛୁଟିହୋଇ କୁଡ଼ିଆକୁ ତା’ର ଫେରିବାକୁ ବସିଛି, ମେନେଜର ସାହେବ ଡାକିଲେ—‘‘ଶୁନୋ ଧର୍ମୁ, ଏହି ଚାଲବସ୍ତାଟା ନିୟେ ଆମାର ବାସାୟ ଦିୟେ ଆୟତ ! ଧରମୁ ମେନେଜରର ଆଦେଶ ନତମସ୍ତକରେ ସ୍ୱୀକାର କରି ଯନ୍ତ୍ର ଚାଳିତବତ୍‌ ଚାଉଳ ବସ୍ତାଟା ପାଖକୁ ଗଲା, କିନ୍ତୁ ତା’ର ଶୋକକାତର ଆଉ କ୍ଷୁଧା-ଜର୍ଜର ଶରୀରର ଦୁର୍ବଳ ହାତ ଦୁଇଟି ଦେଢ଼ମହଣି ବୋଝ ଉଠାଇ ପିଠିରେ ଲଦି ପାରିଲା ନାହିଁ । ବ୍ୟର୍ଥ ଚେଷ୍ଟା କରି ବୋଝଟା ଉଠାଇବାକୁ ଯାଇ ନିଜେ ଗଡ଼ିପଡ଼ିଲା ।’’

 

ମେନେଜର ସାହେବ ପାଟି କରି ଉଠିଲେ–‘‘ବେଟା ଶାଲା କୁଲି ହୟେସେ । ଏତଟୁକୁ କାଜ୍‌ କର୍ତ୍ତେ ବେଟାର ଘାଡ଼ ଭେଙ୍ଗେ ଯାସସେ । କୋନ୍‌ ନବାବେର ଛେଲେରେ ହ୍ୟାଁ ? ଭାଗୋ ନନ୍‌ ସେନ୍‌ସ, ଷ୍ଟୁପିଡ଼ କୋତ୍‌ଥାକାର । ଏଇ ଜୋର ନିୟେକୁଲିଦେର ମହଲେ ଲିଡ଼ାରି କରେ, ବାଃ-! ଏଇ ମଠୁଆ, ଶୁନୋ ଇଦର । ଏଇ ଚାଲ ବାସ୍ତାଟୋ ଲେକର ଆମାର ବାସାମେ ପୌଁଚା ଦେଗା, ସମ୍‌ଜା ! ...ହୁଁ, ବେଟା ଗାଧା କୋତଥାକାର ।’

 

ମିଠୁଆକୁ ଚାରିଦିନ ହେଲା ଜର—ତେବେ ମଧ୍ୟ ସେଇ ଜର ଦେହରେ କାମ କରିବାକୁ ଆସିଥିଲା । ନ ହେଲେ ନ ଚଳେ—ପାଞ୍ଚପ୍ରାଣୀ କୁଟୁମ୍ବ । ମିଠୁଆ ମଧ୍ୟ କମ୍ପି କମ୍ପି ଆସି ବସ୍ତା ପାଖରେ ଛିଡ଼ା ହେଲା । ତା’ ଭାବ ଗତି ଦେଖି ମେନେଜର ସାହେବ ଆହୁରି ରାଗି ଉଠିଲେ–‘‘ନା, ନା ଏଦେର ଦିୟେ ଆର ହବେନା —ଏ ଶାଲାଦିକକେ କାଲକେ ତାଡ଼ାତେଇ ହଇବେ ।’’

 

ହଠାତ୍‌ ଠିକାଦାର ସାହାବଙ୍କୁ ତଲାସ ପଡ଼ିଲା । ତାଙ୍କ ପିଲାଟିକୁ ଜର ହୋଇଛି । ତେଣୁ ସେ ଆଜି ଆସି ନାହାନ୍ତି । ଖବର ଶୁଣି ମେନେଜର ସାହେବ ବ୍ୟସ୍ତ ହୋଇ ପଡ଼ିଲେ—‘‘ଏଇ ଯେ, ଠିକାଦାର ବାବୁ ନା ଏଲେ କାଜ୍‍ ଯେ ଚଲେନା-ଡାକ୍ତର ଓରି ବାସାୟ ଗେଛେ ତ ଆଚ୍ଛା, ଓ ବେନୀ ପ୍ରସାଦ, ଏଇ ବାସ୍ତାଟା ନିୟେ ଆମର ରାସାୟ ସୋଁରେ ଦିଏ ଆୟ—’’ କହି ସେ ଠିକାଦାର ବଙ୍ଗଳାଆଡ଼କୁ ଦ୍ରୁତଗତିରେ ମଟର ଚଳାଇଲେ ।

 

ଧରମୁ ଜଳକା ପରି ଠିଆହୋଇ ଭାବେ—‘‘ହାୟରେ ହତଭାଗ୍ୟ କୁଲି ! ଏହିପରି ଭାବରେ କେବଳ ତୀବ୍ର ଲାଞ୍ଛନା ପାଇବା ପାଇଁ ତମରି ଜନ୍ନ । ରୋଗଶୋକ ମଧ୍ୟ ତମପାଇଁ ନାହିଁ । କେବଳ ତମେ ଜନ୍ମ ନେଇଛ ତମର ଜୀବନର ରସଧାରା ପଳେପଳେ ଢାଳିଦେବା ପାଇଁ—ତମର ମାଲିକର ପୁଷ୍ଟି ନିମନ୍ତେ । ତମର ଶୁଷ୍କ ନିରକ୍ତ ଦେହର ବିନ୍ଦୁ ବିନ୍ଦୁ ରସ ଢାଳି ମାଲିକର ରୋପିତ ପୁଞ୍ଜି ବୃକ୍ଷଟିକୁ ପଲ୍ଲବ-ପୁଷ୍ପ-ଫଳରେ ପରିପୂର୍ଣ୍ଣ କରିଦେବ–ଏଇ ଯେ ତମର ପରମ ଧର୍ମ୍ମ । ତମର ଜୀବନର ରସଧାରାର ଦାମ୍‌ ଯେ ମାଲିକର ଦରବାରରେର ଅତି ତୁଚ୍ଛ—ଅତି ନଗଣ୍ୟ ।’’ ହଠାତ୍‌ ମିଠୁଆ ତା’ର ହାତଟି ଧରି ଟାଣିନେଇ କହେ—‘‘ଧରମୁ ଭାୟା, ଘର ଚଲୋ ।’’ ଧରମୁର ଚିନ୍ତା ଭାଙ୍ଗିଯାଏ ।

 

ମେନେଜରର ଓସେଲୋ ଗାଡ଼ିଖଣ୍ଡିକ ଧରମୁର ହାଟିଂ ସାମନାରେ ହର୍ଣ୍ଣ ଦେଇ ଛୁଟି ଯାଏ—ଆଉ ଛିଡ଼ା ହୁଏ ଯାଇ ବାବୁ ବଙ୍ଗଳାର ଫାଟକ ସାମନାରେ । ରତନୀ ମଟରର ହର୍ଣ୍ଣ ଶବ୍ଦ ଶୁଣି ଚମକି ଉଠି ପୁଣିଥରେ ଦ୍ୱାର ଫାଙ୍କରେ ଚାହେଁ ସେହି ବଙ୍ଗଳାଆଡ଼କୁ । ଆଜି ସକାଳୁ ସେ ଦେଖୁଛି, କେତେ ବାବୁ ଆସୁଛନ୍ତି ଆଉ ଯାଉଛନ୍ତି । କିଏ ବା ଖୋକାର ମା’କୁ ସାନ୍ତ୍ୱନା ଦେବାରେ ଲାଗି ପଡ଼ିଛନ୍ତି—କେହିବା ଗୋଟିଏ ସୁନ୍ଦର ଲାଲ ମଖମଲର ପୋଷାକ ଖୋକାକୁ ପିନ୍ଧାଇ ଦେଉଛି । ଛତିଶଗଡ଼ିଆଣୀ ଆୟା ଆଜି ବିଜୁଳି ପରି ଏପାଖ ସେପାଖ ହେଉଛି । ସକାଳୁ ଏଯାକେ ଡାକ୍ତର କେତେଥର ଯେ ଆସିଲାଣି ତା’ର ଠିକ୍‌ ନାହିଁ । ଖୀରସ୍ତାନୀ ନର୍ସଟି କେତେରଙ୍ଗର ଔଷଧ ନେଇ ଖୋକା ପାଖରେ ଅନବରତ ବସି ରହିଛି । ରତନୀ ତ’ ପଡ଼ୋଶୀ ଯମୁନା ମାଆକୁ ପଚାରି ବୁଝିଥିଲା ଯେ ଠିକାଦାରବାବୁଙ୍କ ପିଲାଟିକୁ ଜର ହୋଇଛି । ସେ ସେହିପରି ମୂକହୋଇ ବସିରହି ଚାହିଁ ରହିଥାଏ ସେହି ବଙ୍ଗଳାଆଡ଼କୁ । କେତେବେଳକେ ହଠାତ୍‌ କ’ଣ ହେଲା କେଜାଣି ଭୂତ ଲାଗିଲା ପରି ଦଉଡ଼ିଗଲା ତା’ର ଭଙ୍ଗା ପେଡ଼ିଟା ପାଖକୁ, ଆଉ ତା’ ଭିତରୁ ତା’ର ପିଲାଟିର ଜାପାନୀ ଖେଳନା ଖଣ୍ଡି ବାହାର କରି ଦଣ୍ଡେ ଦେଖିଲା, ଆଉ ସେଇଟା ଛାତି ଉପରେ ଚାପି ଧରି କାନ୍ଦି ଉଠିଲା—‘ମୋ ଧନ କୁଆଡ଼େ ଗଲୁରେ ମୋ ଅନ୍ଧର ଲଉଡ଼ି...’

 

ଧରମୁ ମିଠୁଆ କାନ୍ଧରେ ଭରାଦେଇ ଟଳିଟଳି ଆସି ଦେଖେ—ଘରେ ତା’ର ଏଇ ଅବସ୍ଥା ! ସେ ରତନୀ ପାଖକୁ ଯାଇ ଡାକେ—‘‘ରତନୀ !’’ ରତନୀ ଧରମୁର ଡାକ ଶୁଣି ବାୟାଣୀ ପରି ଧାଇଁ ଯାଇ ତା’ର ଛାତି ଉପରେ ପଡ଼ି କାନ୍ଦି ପକାଇ କହେ—‘‘ମୋ ଧନ ଯେ ଠକିଦେଇ ଚାଲିଗଲା । ବର୍ଷା ଆଉ ହୁଲୁକା ପବନ ଲାଗି ଯେଉଁ ଜର, କାସ ହେଲା ଆଉ ଯେ ଛାଡ଼ିଲା ନାହିଁ ! ତା’ ପାଇଁ ଯେ ଔଷଧ ଟୋପାଏ ମିଳିଲା ନାହିଁ !’’

 

ଧରମୁ ପ୍ରକୃତିସ୍ଥ ହୋଇ କହେ—‘‘ରତନୀ, ଏଇ ପତ୍ରକୁଡ଼ିଆର ଫାଙ୍କରେ ଯେ ଆମର ପୋଷା ଚଢ଼େଇ ଉଡ଼ି ଚାଲିଗଲା । ତାକୁ କେମିତି ରଖିଥାନ୍ତୁରେ ଏ ଭଙ୍ଗାଘରେ ବନ୍ଦ କରି ।’’ ସେ ମିଠୁଆର ହାତ ଛାଡ଼ିଦେଇ ମୁଣ୍ଡରେ ହାତଦେଇ ବସିପଡ଼ି ଭୋ ଭୋ କରି କାନ୍ଦି ଉଠିଲା । ମିଠୁଆ ଏ ଶୋକ ବିହ୍ୱଳ ଦମ୍ପତ୍ତିର କରୁଣ ବିଳାପ ଶୁଣି ଅଧୀର ହୋଇପଡ଼ିଲା । ସେ ଅଶ୍ରୁସଜଳ ନୟନରେ ଧରମୁକୁ ଉଠାଇ ଘର ଭିତରକୁ ନେଇ ଯାଇ କହିଲା, ‘‘ଧରମୁଭାଇ ରୋନେ ସେ କା ହୋଗା—ହାମ୍‌ ଲୋଗୋଁକା କପାଲ ହୈ ।’’ ଧରମୁ ତା’ କଥାରେ କାନ ନ ଦେଇ ବାବୁବଙ୍ଗଳା ଫାଟକ ପାଖର ମେନେଜରର କାରଟାଆଡ଼କୁ ଉଦାସ ଦୃଷ୍ଟିରେ ଚାହିଁ ଚାହିଁ ଭାବେ—ଆଜିର କାରଖାନାର କଥାଗୁଡ଼ାକ । ସେମାନେ କୁଲି ଆଉ ସେ କାରଖାନାର ମେନେଜର, ଦିହେଁଯାକ ସମାନ ଭାବରେ ଗୋଲାମୀ କରନ୍ତି, କିନ୍ତୁ ଦିହିଁଙ୍କ ମଧ୍ୟରେ କି ବିରାଟ ବ୍ୟବଧାନ !

 

ପରଦିନ ଧରମୁ ଯେତେବେଳେ କାମରୁ ଫେରିଲା–ସେତେବେଳକୁ ସଂଧ୍ୟା । ଆକାଶରେ ତାରା ଗୋଟି ଗୋଟି ହୋଇ ଦେଖା ଗଲାଣି । ସେ ଛିଣ୍ଡା ଗଞ୍ଜି ଖଣ୍ଡିକ ଦେହରୁ ଖୋଲି ବାଉଁଶ ଦଣ୍ଡାରେ ରଖିଦେଇ ଗାମୁଛାଟା ଟାଣିନେଇ କାନ୍ଧରେ ପକାଇଲା ଆଉ ଦୀର୍ଘନିଃଶ୍ୱାସଟାଏ ପକାଇ କହିଲା—‘‘କାଲିଠାରୁ ମୋର କାମକୁ ଯିବା ବନ୍ଦ ହେଲା ରତନୀ । ଆଜି ଠିକାଦାରବାବୁ ଜବାବ ଶୁଣାଇ ଦେଲେ ।’’

 

ରତନୀ ଏହା ଶୁଣି ମୁଣ୍ଡରେ ବଜ୍ର ପଡ଼ିଲାପରି ତାଟକା ହୋଇ ଧରମକୁ ଚାହିଁ ରହିଲା–ମୁହଁରୁ ପଦେ କଥା ତା’ର ବାହାରିଲା ନାହିଁ । କିଛିକ୍ଷଣପରେ ମୁହଁରୁ ଝାଳ ପୋଛି ପଚାରିଲା, ‘‘ତମର ଦୋଷ କ’ଣ ହେଲା ଯେ ତମକୁ କାମରୁ ତଡ଼ି ଦେଲେ ?’’

 

ଧରମୁ ଅତି ବିକୃତ କଣ୍ଠରେ କହିଲା, —‘‘ଦୋଷ ଆଉ କ’ଣ ? ସମସ୍ତଙ୍କ ସାଙ୍ଗରେ ମିଳି ମିଶି ରହିବାଟା ହେଲା ମୋର ବଡ଼ ଅପରାଧ । ସେଥିରେ ଯେଉଁ ଦୁଇନମ୍ବର ହାଟିଂ ପୋଡ଼ିଗଲା—ସେଇ ଜଳନ୍ତା ଘରୁ ହରି ସାହୁର ଛୁଆଟି ବାହାର କରି ଆଣିଥିଲି ବୋଲି ଆଖପାଖ ସବୁ କୁଲିଯାକ ସେଇଦିନୁ ମୋତେ ବଡ଼ଭାଇ ପରି ମାନନ୍ତି । ସେଥିପାଇଁ ମେନେଜରର ସନ୍ଦେହ ଯେ ମୁଁ ମେଳିକରି ତାଙ୍କ କାମ ବନ୍ଦ କରିବାକୁ ଯାଉଛି ।’’ ଧରମୁର କଥା ନ ସରୁଣୁ ହରି, ମିଠୁଆ, ବେନୀ ପ୍ରସାଦ, ଶଙ୍କରା ପ୍ରଭୃତି ଦଶବାର ଜଣ କୁଲି ଆସି ଧରମୁ ଦୁଆରେ ପହୁଞ୍ଚିଲେ । ହରି ଆଗପଟ ହୋଇ କହିଲା—‘‘ଧରମୁ ଭାଇ, ଆଜି ଆମେ ତମ କତିକୁ ଶେଷ ଥର ପାଇଁ ଆସିଛୁଁ । କ’ଣ କହୁଛ କୁହ । ଆମେ ଆଉ ଅପେକ୍ଷା କରିବୁ ନାହିଁ, କାଲିଠୁ ଧର୍ମଘଟ ଆରମ୍ଭ କରିଦେବୁ । କେବଳ ତମର ଆଦେଶ ମାନି ଆମେ କିଛି କରୁନଥିଲୁ । ଏଇ ତ ଦେଖୁଛୁ ଶଙ୍କରା, ଗୋପୀଆ, ରାମଦୀନ ହେଉଁ ହେଉଁ ତମପରି ଲୋକଙ୍କୁ ମଧ୍ୟ କାମରୁ ବାହାର କରାଗଲା, ଆମେ ଆଉ କେତେଦିନ ସହିବୁ ? ଆଜି ତମଠି ଶେଷ ନିଷ୍ପତ୍ତି କରିବାକୁ ଆସିଛୁ ।’’

 

ଧରମୁ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲା—‘‘ଦେଖ ହରି, ମୋ’ କପାଳରେ ଯାହାଥିଲା ହେଲା । ତମେସବୁ ଖାଲି ମିଛଟାରେ ନିଜ ଉପରକୁ କାହିଁକି ବିପଦ ଡାକି ଆଣିବ କହିଲ ? ଉପରେ ଭଗବାନ ସବୁ ଦେଖୁଛନ୍ତି—ସେଇ ଏକା ବିଚାର କରିବେ । ଏ ସଂସାରରେ ପୁଣି ଟିକିଏ ସହିବୋହି କାମ କରି ଯିବାଟା ହଉଛି ବୁଦ୍ଧିମାନର କାମ । ଗଣ୍ଡଗୋଳ କରି କିଛି ଲାଭ ନାହିଁ । ଯାହା କର ପଛକେ କିନ୍ତୁ ଶେଷରେ ଦେଖିବ–ଯେତେ ଝଡ଼ଝଞ୍ଜା ସବୁ ଗରିବଙ୍କ ମୁଣ୍ଡ ଉପରେ ବୋହିଯିବ । ସେଥିରେ ପଶି କିଛି ଲାଭ ନାହିଁ ଭାଇ । ତୁମେ ସବୁ ମୁଣ୍ଡ ଠିକ୍‌ କରି ଯେଝା କାମରେ ଯାଇ ଲାଗ । ମୋ ପାଇଁ ଭାବ ନାହିଁ—ୟା ତ ନିତି ଦିନିଆ ଦୁନିଆର ଜଣାଶୁଣା ଘଟଣା-।’’

 

ହରି ପ୍ରଭୃତି ତୁନିତାନି ହୋଇ ଚାଲିଗଲେ–କିନ୍ତୁ ଛାତି ଭିତରେ ତାଙ୍କର ଯେଉଁ ନିଆଁଟା କୁହୁଳି କୁହୁଳି ରହିଥିଲା ସେଇଟା ହୁହୁ ହୋଇ ଜଳି ଉଠିଲା । ଯାଉଁ ଯାଉଁ ରାସ୍ତାରେ ହରି ତା’ର ସଙ୍ଗୀକୁ ଲକ୍ଷ୍ୟ କରି କହିଲା—‘‘କହିଲୁ ଭାଇ, ବେନୀପ୍ରସାଦ, ଧରମା ଭାଇ ମଣିଷ ନା ଦେବତା-?’’

 

ଧରମୁ ନାନା ଚେଷ୍ଟା କରି ମଧ୍ୟ କେଉଁଠି ହେଲେ ଗୋଟାଏ କାମର ଯୋଗାଡ଼ କରି ନ ପାରି ହତାଶ୍‍ ହୋଇ ପଡ଼ିଛି । ଆଜିକୁ ଚାରିଦିନ ହେଲା ଓଳିଏ କରି ଭାତ ରନ୍ଧା ହୋଇଛି । ସେଠ ଦୋକାନୀଟା ଭାରି ଭଲ ମଣିଷ, ହେଲେ ମଧ୍ୟ ତାକୁ ଦୋଷ ଦେଇ ହେବ ନାହିଁ । ସେ ବିଚାରା ତା’ର ସାନ କଲିଜାରେ କେତେ ଦମ୍ଭ ରଖିବ । ଆଜି ସେ କହିଦେଇଛି—ଆଉ ଚଳାଇ ପାରିବ ନାହିଁ । ଧରମୁ ଯେ ଦିନେ ବୋଲି ତା’ର ପଇସା ବାକି ରଖିନାହିଁ, ଏଇଥିପାଇଁ ତାକୁ ଏଇ କେତେଦିନ ଯେହ୍ନେ କେହ୍ନେ ଚଳାଇନେଲା—ଏଣିକି ଆଉ ପାରିବ ନାହିଁ ।

 

ବାକି ରହିଲେ ସାଙ୍ଗ ପଡ଼ୋଶୀ ହରି, ଶଙ୍କରା, ମିଠୁଆ ପ୍ରଭୃତି ତାଙ୍କର ବା ସାହସ କେତେ । ପୂରା ଦୁଇଓଳି ନିଜର କୁଟୁମ୍ବକୁ ଚଳାଇଲାବେଳକୁ ତାଙ୍କ ମୁଣ୍ଡ ବୁଲାଇଯାଏ । ସେମାନେ ବା କେତେଦିନ ଆଉ ଏମିତି ନିଜ ମୁହଁରୁ ତା’ ସଙ୍ଗେ ଆପଣା କୁଟୁମ୍ବ ମୁହଁରୁ ଭାତଗୁଣ୍ଡା ଉଠାଇ ଆଣି ଧରମୁକୁ ସାହାଯ୍ୟ କରିବେ ।

 

ଶେଷରେ ଧରମୁ ନିହାତି ନିରୁପାୟ ହୋଇ ନତମସ୍ତକରେ ଯାଇ ଛିଡ଼ାହେଲା କାରଖାନା ସୋସାଇଟିର କର୍ମକର୍ତ୍ତା ନିକଟରେ । ସେ ତ କାମରେ ଥିଲାବେଳେ ମାସକୁ ଚାରିଅଣା ପଇସା ଦେଉଥିଲା ସୋସାଇଟି ପାଇଁ । ଆଜି ସେ ନିଷ୍କର୍ମା—ତେଣୁ ସେ ଆଜି ସୋସାଇଟିର ଦ୍ୱାରସ୍ଥ । ନାନା ପ୍ରକାର କାକୁତି ଜଣାଇ ଧରମୁ କର୍ମକର୍ତ୍ତାଙ୍କ ନିକଟରେ ତା’ର ବିପଦ ଜଣାଇ ଚାଳିଶଟି ଟଙ୍କା ଧାର ଚାହିଁଲା । ଶେଷରେ ଅତି କୁଣ୍ଠିତ ହୋଇ କହିଲା—‘‘ଦେଖନ୍ତୁ ଆଜ୍ଞା ଆଜିକୁ ଆଠବର୍ଷ ହେଲା ଏଇଠି ପଡ଼ିଛି । ଭଗବାନଙ୍କ ଦୟାରେ କେବେ କାହାରି ନିକଟରେ ହାତ ପାତି ନାହିଁ । ନିଜର ହାଡ଼ ଖଟାଇ ଜୀବିକା ଅର୍ଜିଛି । ଆଜି ନିହାତି ହୀନ ଅବସ୍ଥାରେ ପଡ଼ି ଆପଣଙ୍କର କୃପାପ୍ରାର୍ଥୀ । ସେଥିକୁ ଆପଣଙ୍କ ଦୟା ।’’

 

ସୋସାଇଟିର ବାବୁଟି ହେଁ ହେଁ ହୋଇ ହସିଦେଇ କହିଲେ —ସବୁ ବୁଝିଲା ଧରମୁ । କିନ୍ତୁ ମୁଁ କି କରିବି—ନାଚାର ! ସୋସାଇଟିର କଡ଼ା ନିୟମ ଶୃଙ୍ଖଳା ଅଛି । ତୁମି କାଜେ ଥାକିଲେ ଟାକା ଦେୟା ହୋନ୍ତା । ତୁମେ ଯେ ଆର କାଜେ ନାହିଁ । ଏରକମ ଟାକା ତ ଆର ଧାର ଦେୟା ହୟନା । ତୁମି ତ ସବ୍‌ ବୁଝିଛ ଧରମୁ, ମୁଁ କି କହିବ ।

 

ଧରମୁଁ ସବୁ ବୁଝେ—କିନ୍ତୁ କ’ଣ କରିବ ! ଉପାୟ ନାହିଁ । କ୍ଷୋଭ ଓ ଅଭିମାନରେ ଧରମୁର ଛାତିଟା ଫାଟିଯିବାକୁ ବସିଲା । ଶତ ଚେଷ୍ଟାକରି ମଧ୍ୟ ସେ ଆଉ ପଦିଏ କଥା କହିପାରିଲା ନାହିଁ, ନତମସ୍ତକରେ ସୋସାଇଟିର ଅଫିସ ଘରୁ ବାହାରି ଆସିଲା । ଧରମୁ ଆଜି ବିଶ୍ୱ-ସଂସାରରେ ପାଗଳ । ଗରିବ ହେଲେ ମଧ୍ୟ ସେ ତ ଦିନେ ମଣିଷ ଥିଲା । ଆଜି ସିନା କାମରୁ ବାହାରି ଯାଇ ଅକର୍ମା ହୋଇପଡ଼ିଛି,—ହେଲେ ମଧ୍ୟ ସହିବାର ତ ଗୋଟାଏ ସୀମା ଅଛି । ସେ କେବେହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ଯେ କେବେ ପୁଣି ସେ ଅନାହାର ଅର୍ଦ୍ଧାହାରରେ ଦିନ କଟାଇବ—ପୁଣି ତାକୁ ଭିକ୍ଷୁକ ପରି ସୋସାଇଟି ଘରେ କରୁଣ-ବିଳାପ କରି ସୁଦ୍ଧା ହତାଶ୍‍ ହୋଇ ଫେରିବାକୁ ପଡ଼ିବ । ଦୁସ୍ଥ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିବାକୁ ଯେଉଁ ସମିତିର ମୂଳଦୁଆ ଗଢ଼ା—ତା’ର ପୁଣି ଗୋଟାଏ ନିୟମ ଶୃଙ୍ଖଳା ! ଧରମୁ ଶୁଷ୍କମୁଖରେ ଘରେ ପହଞ୍ଚିଲାବେଳକୁ ରତନୀ ତା’ର ବାଟଚାହିଁ ବସିଥାଏ । ସେ ଧରମୁ ମୁହଁରୁ ସବୁ ଶୁଣି ଆର୍ତ୍ତନାଦ କରିଉଠେ । ଆଖି ଦୁଇଟିରୁ ତା’ର ଲୁହ ଝର ଝର ହୋଇ ଖସିପଡ଼େ ।

 

‘‘ତାହାହେଲେ ଆମେ କ’ଣ କରିବା ! ବାବୁମାନେ ବୋଧହୁଏ ଆମକୁ ଏଇଠି ଏହିପରି ଭାବରେ ଶୁଖି ଶୁଖି ମରିବାର ଦେଖିବାକୁ ଚାହାନ୍ତି । ସୋସାଇଟି ନୁହେଁ ତ, ଖାଲି ଜୁଆଚୋରଙ୍କ ଆଡ୍ଡା ! ସେଇଥି ପାଇଁ ଡାକ ଢୋଲ ବଜାଇ କୁହାହେଉଥାଏ–‘ଆଉ ତୁମର ଚିନ୍ତା ନାହିଁ–ରୋଗଶୋକରେ ପଡ଼ି ଅକର୍ମା ହୋଇ ବସି ରହିଲେ ମଧ୍ୟ ଆମେ ତୁମକୁ ସାହାଯ୍ୟ କରିବୁ । ଏହା ସବୁ ତେଲିଆମୁଣ୍ଡିଆ ଧୋବଧାଉଳିଆଙ୍କ ବେଇମାନୀ । ହଉ, କୁଲିମାନଙ୍କର ପରା ଗୋଟାଏ ସଭା ଅଛି–ସେଇଠାକୁ ଥରେ ଯାଅ ନା ?’’

 

‘‘ବୁଝିଲୁ ରତନୀ, ଏତେଦିନ ହେଲା ଏଡ଼େ କଷ୍ଟରେ ପଡ଼ି ମଧ୍ୟ ମୁଁ କାହିଁକି ସେଠାକୁ ଯାଉନି ! ସେଠାକୁ ଗଲାକ୍ଷଣି ସେମାନେ କହିବେ ଯେ ଧର୍ମଘଟ କରିବା, ସତ୍ୟାଗ୍ରହ କରିବା । କିନ୍ତୁ ତୁ ତ ଜାଣୁ ରତନୀ, ଏସବୁ କାମ ମୁଁ ଏକାବେଳକେ ପସନ୍ଦ କରେ ନାହିଁ ।’’

 

‘‘କିଛି ପାରିବ ନାହିଁ ତ କରିବ କ’ଣ ? କେବଳ ଉପାସ କରି ରହିପାରିବ ?’’

 

ଧରମରୁ କଣ୍ଠ ରୁଦ୍ଧ ହୋଇଆସେ । ସେ ତା’ର ଉଦ୍‌ଗତ ଦୀର୍ଘ ନିଃଶ୍ୱାସଟାକୁ କୌଣସିପ୍ରକାରେ ଦବାଇ ରଖି କହେ–‘‘ରତନୀ, ସବୁ ଜାଣିସୁଦ୍ଧା କାହିଁକି ମୋତେ ଏମିତି କହୁ । ମୁଁ ନିଜେ ମଧ୍ୟ ବୁଝିପାରୁନାହିଁ ରତନୀ, କାହିଁକି ସେ ବାଟରେ ପାଦ ବଢ଼ାଇବାର କ୍ଷମତା ମୋର ଆଦୌ ନାହିଁ ।’’

 

ଏଇ କଥାପଦକରେ ରତନୀର ନାରୀପ୍ରାଣର କେଉଁ ଏକ ଗୋପନ କୋମଳତନ୍ତ୍ରୀରେ ଅଘାତ ଲାଗେ । ପ୍ରସାରିତ ଭୁଜବନ୍ଧନରେ ସେ ସ୍ୱାମୀକୁ ତା’ର ଛାତି ଭିତରେ ଭିଡ଼ିଧରି କଇଁ କଇଁ ହୋଇ କାନ୍ଦି ଉଠେ,–‘‘ମୁଁ ସବୁ ଜାଣେ ଗୋ, ସବୁ ଜାଣେ ! ନିରୀହ ସ୍ୱାମୀ ଯେ ମୋର ମାଛିକୁ ମର ବୋଲି କହନ୍ତି ନାହିଁ—ସେକଥା ମୋ’ଠାରୁ ଆଉ ବେଶୀ ଜାଣେ କିଏ ? କିନ୍ତୁ ଏ ଜଗତରେ ଯେ ଏଇ ନିରୀହତାର ଆଦର ନାହିଁ ! ହଉ,—ମୁଁ କାଲି ନିଜେ ଯିବି ସେଇଠାକୁ !’’

 

—‘‘ତୁ ଯିବୁ ରତନୀ ?’’ ଧରମୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା । ‘‘ତୁ ଗଲେ ଯେ ମୋର ସବୁ ସରିଲା । ନା, ମୁ ଏଇଲାଗେ ନିଜେ ଯାଉଛି’’—କହ ଧରମୁ ସେଇ ସଞ୍ଜ ଅନ୍ଧାରରେ ଶ୍ରମିକସଂଘର କୁଡ଼ିଆଆଡ଼କୁ ଚାଲିଗଲା ।

 

ଶେଷରେ ଶ୍ରମିକ ସଂଘର ଚେଷ୍ଟାରେ ଧରମୁ କିଛି କିଛି ସାହାଯ୍ୟ ପାଇ ପାରିଲା—କିନ୍ତୁ ତାହା ମଧ୍ୟ ତ ପ୍ରଚୁର ନୁହେଁ ! ସେଥିରେ ଦି’ଓଳି ଦି’ ଜଣଙ୍କର ପେଟ ଭରିବା ଯେ ଏକାବେଳକେ ଅସମ୍ଭବ ।

 

କୋଡ଼ିଏ ଦିନ ପର କଥା । ଖାଦାନ କଳଘରସବୁ ଆଜିକୁ ଦି’ଦିନ ହେଲା ବନ୍ଦ । କୁଲି ମଜୁରିଆ ସଭିଏଁ ଧର୍ମଘଟ କରି କାମ ବନ୍ଦ କରି ଦେଇଛନ୍ତି । ହରି ଏଇ ଧର୍ମଘଟର ପ୍ରଧାନ ନେତା–ତାକୁ ନେଇ ଏଇ କୋଡ଼ିଏଟି ଦିନ ମଧ୍ୟରେ ଗୋଟାଏ ବିରାଟ ଦଳ ଛିଡ଼ା ହୋଇଛି । ତାଙ୍କର ଅଭିଯାନ ମାଲିକର ବିରୁଦ୍ଧରେ ନୁହେଁ କେବଳ ତାଙ୍କର ନିଜର ଅଭାବ ଓ ଅଭିଯୋଗ ଜଣାଇ ତା’ର ପ୍ରତିକାର ପାଇବା ପାଇଁ ସେମାନେ ଏ ଦଳଗଠନ କରି ଧର୍ମଘଟ ଆରମ୍ଭ କରିଥିଲେ-। କିନ୍ତୁ ମେନେଜର ସାହେବ ଏ ଦଳର ଅଭିଯାନ ଦେଖି ବିଚଳିତ ହୋଇପଡ଼ିଲେ । ଭାବି କିଛି ଠିକ୍‌ କରିପାରିଲେ ନାହିଁ । ସବୁ କୁଲିଯାକ ଯଦି ଏକଜୋଟ ହୋଇ ଗୋଟାଏ କିଛି ଦାବି କରି ବସିବେ–ତା’ହେଲେ ମାଲିକ ଯେ ତାହା ମାନିବାକୁ ବାଧ୍ୟ ହେବ ! ଗୁଡ଼ାଏ ଟଙ୍କା ତା’ର ଫାଙ୍କେ ଫାଙ୍କେ ଉଡ଼ିଯିବ । ଏହି ସନାତନ ପନ୍ଥାକୁ ଏମିତି ସହଜରେ କରଛଡ଼ା କରିଦେବା ମେନେଜରଙ୍କ ନାଡ଼ି ନକ୍ଷତ୍ରରେ ନ ଥିଲା । ତେଣୁ ସେ ତା’ର କରି ବମ୍ୱେରୁ ବଡ଼ସାଇବ ମାଲିକକୁ ଅଣାଇଛନ୍ତି ।

 

ସଂଧ୍ୟା ହୋଇ ଯାଇଥାଏ । ଶ୍ରମିକସଂଘ କୁଡ଼ିଆଟିରେ ପ୍ରାୟ ଶହେ ଭିତରେ ଶ୍ରମିକ ରୁଣ୍ଡହୋଇ ଅଫିସରମାନଙ୍କ ଘର ପାଖରେ ସତ୍ୟାଗ୍ରହ କରିବାର ଆଲୋଚନାରେ ଥାଆନ୍ତି, ବଡ଼ ସାହାବଙ୍କ ଚପରାସି ଆସି ହରିକୁ ଡାକି କହିଲା, ‘‘ସାହାବ ମେନେଜର ଉପରେ ବଡ଼ ରାଗି ଯାଇଛି-। ସେ ତମ ସହିତ ପରାମର୍ଶ କରି ଶ୍ରମିକମାନଙ୍କ ସହିତ ଗୋଟାଏ ଆପୋଷ ମିମାଂସା କରିବାକୁ ଚାହାନ୍ତି, ତେଣୁ ତୁମକୁ ଡାକୁଛନ୍ତି ।’’ ଏହାଶୁଣି କେତେକ ପାଟିକରି ଉଠନ୍ତି–‘‘ରଖ-ହୋ ତମର ସାଇବ–ଆମେ କିଛି ଶୁଣିବୁ ନାହିଁ, ତୁମେ ଯା’ ବାହାରି ।’’ କିନ୍ତୁ ହରି ସମସ୍ତଙ୍କୁ ସାନ୍ତ୍ୱନା ଦେଇ କହେ—‘‘ଆଚ୍ଛା, ସାହେବ ଯଦି ଡାକୁଛି, ମୁଁ ଶୁଣି ଆସେ । ତା’ର ମତ୍‌ଲବ କ’ଣ ! ଯଦି ଭଲରେ ଭଲରେ ଆମ କାମ ହାସଲ ହୋଇଯାଏ ତାହେଲେ ମିଛଟାରେ ତକ୍‌ଲିଫ୍‌ କରିବା କିଆଁ-!’’ ଏଥିରେ ଅନେକ ସମ୍ମତ ହୁଅନ୍ତି, କେତେକ ହୁଅନ୍ତି ନାହିଁ; କିନ୍ତୁ ନେତାର ଆଦେଶ ମାନିବାକୁ ଯାଇ ପ୍ରତିବାଦ ନ କରି କହନ୍ତି, ‘‘ହଉ ଯାଅ କିନ୍ତୁ ଆମେ ତମର ଅପେକ୍ଷାରେ ଏଇଠି ବସି ରହିଲୁ । ତମେ ନ ଫେରିଲେ ଆମେ ଏଠାରୁ ଉଠୁନୁ ।’’

 

ହରି ଚପରାଶି ସହିତ ଯାଇ ସାହେବଙ୍କ ନିକଟରେ ପହୁଞ୍ଚି ସଲାମ କରି ଛିଡ଼ା ହେଲା । ମେନେଜର ତାକୁ ଦେଖି ଘୃଣାରେ ମୁହଁ ବୁଲାଇ ନେଲେ । ସାହେବ ହରିକୁ ଦେଖି ରାଗିଉଠି କେତେ କ’ଣ କହି ଚାଲିଗଲେ । ତା’ପରେ ଅନେକ ବୁଝାଇ ସୁଝାଇ ଶେଷରେ ପକେଟରୁ ପିସ୍ତଲ ବାହାର କରି ଚରମ ନିଷ୍ପତ୍ତି ଜଣାଇଦେଇ କହିଲେ–‘‘ଡେକୋ ହଡ଼ି, ଅବିବି ହାମ୍‌ ଟୁମ୍‌କୋ ପଛନ୍ଦକରଟା ହାୟ୍‌ । ହମ୍‌ ଟୁମକୋ ମାଇନା ବଡ଼ା ଡେଗାଁ, ଆଚ୍ଛା ନୌକରୀ ଡେଗାଁ-ଟୁମ୍‌ ଷ୍ଟ୍ରାଇକ୍‌ ବଣ୍ଡ୍‌ କର୍‌ଡ଼ୋ ।’’

 

ହରି କିନ୍ତୁ ହରିହର ଦବିବାର ପାତ୍ର ନୁହେଁ । ସେ ବଡ଼ ସାଇବକୁ ମୁହେଁ ମୁହେଁ ଜବାବ ଦେଲା–‘‘ଆଉ ସହିପାରିବୁ ନାହିଁ ସାହାବ ! ବହୁତ ସହିଛୁ ! ଆମର ରକ୍ତ ନିଗାଡ଼ି ଦେଇ ଯେଉଁ କଳଘରକୁ ଆମେ ଠିଆ କରାଇଛୁ, ତାକୁ ଭାଙ୍ଗିବାକୁ ଆମେହିଁ ଏକମାତ୍ର ଅଧିକାରୀ । ତମେ ଯେଉଁ କଳଘରଟାକୁ ବଞ୍ଚାଇବାକୁ ଯାଇ ଆମକୁ ନରକର ଅତଳ ଗହ୍ୱରକୁ ପେଲି ଦେଇଛ–ଦିନେ ତମର ସେଇ କଳଘରର ମୂଳଦୁଆଟା ବି ଆମର ସମ୍ମିଳିତ ନିଃଶ୍ୱାସରେ ଖସି ପଡ଼ିବ !’’

 

ବଡ଼ସାହେବ ହରିର ଏ ଧୃଷ୍ଟତା ଦେଖି ଲାଲ ଆଖି ଦେଖାଇ ଗର୍ଜି ଉଠିଲେ,–‘‘ଡେଖୋ ହଡ଼ି, ଅବିବି ଛମୟ ହାୟ । ଟୁମ୍‌ ବୁଜ୍‌ ଛମଜ୍‌ କଡ୍‌ ବଲୋ-କ୍ୟା କଡ଼େଗା !’’

 

ହରି ପୂର୍ବପରି ଅବିଚଳିତ ସ୍ୱରରେ ସଦର୍ପରେ ଉତ୍ତର ଦେଲା, ‘‘ମୋତେ ଆଉ ଭାବିବାକୁ ହେବ ନାହିଁ ସାହାବ ! ମୋର ସଂକଳ୍ପଟାକୁ ବଞ୍ଚାଇ ରଖିବାକୁ ଏ ବ୍ୟର୍ଥ ପ୍ରାଣଟାକୁ ଫାଶୀ କାଠରେ ଟାଙ୍ଗିଦେବାକୁ ମଧ୍ୟ ପଛାଇବି ନାହିଁ !’’

 

ହରିର ଏହି ସଦମ୍ଭ ଜବାବ ସାହେବ ପକ୍ଷରେ ବଡ଼ ଅସହ୍ୟ ହୋଇ ଉଠିଲା । ମୁହୂର୍ତ୍ତକରେ ତା’ର ଅଙ୍ଗୁଳି ସଙ୍କେତରେ ଅପର ଏକ କୋଠରୀରୁ ସ୍ଥାନୀୟ ପୋଲିସ ବାହାରି ହରିକୁ ଗିରଫ କରିନେଲେ । ଆଉ ରାତି ରାତି ଭିତରେ ଏକ ସ୍ୱତନ୍ତ୍ର ମଟର ଯୋଗେ ହରି ଏକ ଅଜ୍ଞାତ ସ୍ଥାନକୁ ଚଲାଣ ହୋଇଗଲା । ସାହେବ ତାଙ୍କର କଳ୍ପିତ ଚକ୍ରାନ୍ତରେ ଏଡ଼େ ସହଜରେ ସଫଳତା ପାଇବା ଦେଖି ଅଟ୍ଟହାସ୍ୟ କରି ହସିଉଠିଲେ । ଏଣେ ଏକ ଅଜ୍ଞାତ ଆଶଙ୍କା କଳ୍ପନା କରି ଶାନ୍ତି ରକ୍ଷା ନିମନ୍ତେ ରିଜର୍ଭ ପୋଲିସ ପ୍ରାର୍ଥନା କରି ହାଜାରିବାଗ ତା’ର କରିବାକୁ ମେନେଜରକୁ ହୁକୁମ ଦେଲେ ।

 

ଏଣେ ଶ୍ରମିକସଂଘ ଘରେ ହରିକୁ ଅପେକ୍ଷା କରି କରି ଶ୍ରମିକମାନଙ୍କର ଆଖିରୁ ପାଣି ମଲା । ରାତି କ୍ରମଶଃ ଗଭୀରରୁ ଗଭୀରତର ହୋଇଆସିଲା, ତେବେ ମଧ୍ୟ ହରି ଫେରିଆସିଲା ନାହିଁ । ଶ୍ରମିକଦଳଙ୍କ ମନରେ ସନ୍ଦେହ ଗାଢ଼ ହେଲା । ରାମଦୀନ, ଶଙ୍କରା, ବେନିପ୍ରସାଦ ପ୍ରଭୃତି କେତେକ ସାହାସର ସହିତ ସାହାବ ବଙ୍ଗଳା ପାଖରୁ ବୁଲିଆସି ସନ୍ଧାନ ଦେଲେ ଯେ, ‘ସବୁ ଶୂନଶାନ, ଅନ୍ଧାର, ସଭିଏଁ ନିଦରେ ଶୋଇଛନ୍ତି । ଜନମାନବର ଦେଖା ନାହିଁ, କେବଳ ବଙ୍ଗଳା ବାରନ୍ଦାରେ ଦି’ଜଣ ଗୁର୍ଖା ସିପାହୀ ବନ୍ଧୁକ କାନ୍ଧରେ ପହରା ଦେଉଛନ୍ତି ।’

 

ଏହି ଅପ୍ରତ୍ୟାଶିତ ସମ୍ୱାଦରେ ଉପସ୍ଥିତ ଜନତା ମଧ୍ୟରେ ଚାଞ୍ଚଲ୍ୟ ଦେଖାଗଲା । ରାତି ରାତି ସବୁ ଶ୍ରମିକ ମହଲରେ ବେତାରବାର୍ତ୍ତା ଖେଳିଲା ପରି ସମ୍ୱାଦ ଖେଳିଗଲା ଯେ, ସାହାବ ହରିକୁ ଅପୋଷ ନିଷ୍ପତ୍ତି କରିବା ଛଳନାରେ ଡାକିନେଇ ମାରି ଦେଇଛନ୍ତି—ଲାସ୍‌ର ପତ୍ତା ମିଳୁନାହିଁ-। ଯେ ଶୁଣିଲା ଝୋଲା ମାରିଲାପରି ଦଣ୍ଡେ ଛିଡ଼ା ହୋଇଗଲା ।

 

ପରଦିନ ସୂର୍ଯ୍ୟ ଉଦୟ ସଙ୍ଗେ ସଙ୍ଗେ ଅଗଣିତ ଶ୍ରମିକର ଧାଡ଼ି ପିମ୍ପୁଡ଼ି ସୁଅପରି ସାହାବବଙ୍ଗଳା ଆଡ଼କୁ ଅଗ୍ରସର ହେଲେ । ସେ ଦିନ ସେ ଜନତାର ଅଗ୍ରଣୀ ନିଜେ ଧରମୁ । ସାହାବ ବାରନ୍ଦାରେ ଥାଇ ଏସବୁ ଦେଖି ପ୍ରମାଦ ଗଣିଲେ । ଗୁର୍ଖାସିପାହୀ ଦିହେଁ ଫାଟକରେ କଞ୍ଚି ପକାଇ ବନ୍ଧୁକ କାନ୍ଧରେ ଧରି ବଙ୍ଗଳା ଚାରିପାଖ ଟହଲ ମାରୁଥାନ୍ତି । ଜନତା ଫାଟକ ନିକଟରେ ପହଞ୍ଚି ଚିତ୍କାର କଲା–‘‘ପୁଞ୍ଜିବାଦ ଧ୍ୱଂସ ପାଉ,-ଇନ୍‌କିଲାବ୍‌-ଜିନ୍ଦାବାଦ୍‌ !’’ ସାହାବ ପିସ୍ତଲ ଉଠାଇ ଫାଟକ ପାଖକୁ ଚାଲିଆସି ଗର୍ଜ୍ଜନ କରି କହିଲେ–‘‘ଏୟ୍‌ ସିପାହୀ । ଇନ୍‌ ଛୟଟାନ୍‌ ଲୋଗୋକୋ ଭଗାଡୌ ।’’

 

ସାହେବର ଏହି ବ୍ୟବହାରରେ ଉପସ୍ଥିତ ଜନତା ଉତ୍ୟକ୍ତ ହୋଇ ଉଠିଲା । ଧରମୁ ସେମାନଙ୍କୁ ଶାନ୍ତ କରିବାକୁ ଯାଇ ହାତ ଉଠାଇ ଉଚ୍ଚସ୍ୱରରେ କହି ଉଠିଲା–‘‘ଥୟଧର ଭାଇମାନେ, ଥୟ ଧର ! ଏପରି ଗରମ ହେଲେ କାମ ଚଳିବ ନାହିଁ । ଆମକୁ ଶାନ୍ତି-ସଂଗ୍ରାମ କରିବାକୁ ପଡ଼ିବ । ଆମର ପଶୁବଳ ସହିତ ଯାନ୍ତ୍ରିକ ସଂଗ୍ରାମ କରିବାର ଶକ୍ତି ନାହିଁ । ସେ ଆହୁରି ଉଚ୍ଛ୍ୱସିତ ହୋଇ ଦ୍ୱିଗୁଣ ତେଜରେ କହିଉଠିଲା–‘‘ଦେଖୁଛ ଭାଇ, ଏଇ ଯେଉଁ ଶୀର୍ଣ୍ଣ ଧମନୀ ମୋର ଏଇ ଶୁଖିଲା ଚମତଳେ ବାରିହୋଇ ଦିଶୁଛି, ଏବେ ସୁଦ୍ଧା ଏଇଥିରେ ଉତ୍କଳର ବୀର ଖଣ୍ଡାୟତ ବଂଶର ରକ୍ତପ୍ରବାହ ବୋହୁଛି । ଏଇ ଯେଉଁ ଦୁର୍ବଳ କୋହଳ ବାହୁ ଦି’ଟା ଦେଖୁଛ ଏହାରି ବଳରେ ଦି’ଦି’ଟା ଅଧମହଣିଆ ଖଣ୍ଡା ଫର ଫର ହୋଇ ଘୂରି ବୁଲୁଥିଲା । ଆଉ ଆଜି, ଆଜି ତାହା ଏହି ଶୋଷକ ଶାସକଗଣଙ୍କର ନିବିଡ଼ ଶୋଷଣ ଫଳରେ ରକ୍ତହୀନ, ତେଜୋହୀନ ହୋଇପଡ଼ିଛି । ତା’ ନ ହେଲେ ଆଜି ସାହାବର ସାଧ୍ୟ ଥାଆନ୍ତା, ହରିଭାଇକୁ ନେଇ କେଉଁଠି ଲୁଚାଇ ରଖିବାକୁ ? ପ୍ରତିଜ୍ଞା କର ଭାଇ, ଏଇଠି ଏମିତି ବସିରହିବା ପଛକେ–ହରିଭାଇକୁ ସାଙ୍ଗରେ ନ ନେଇ ଯିବାନାହିଁ ।’’ ଜନତା ମଧ୍ୟରୁ ସମସ୍ୱରରେ ପ୍ରତିଧ୍ୱନି ଉଠିଲା–‘‘ନିଶ୍ଚୟ, ନିଶ୍ଚୟ । ସାହାବ ଆମ ହରିଭାଇକୁ ଭଲରେ ଭଲରେ ଫେରାଇ ଦିଅ ।’’ ଶାନ୍ତିପୂର୍ଣ୍ଣଜନତା ସମସ୍ୱରରେ ବାରମ୍ୱାର ଚିତ୍କାର କରିଉଠିଲା ।

 

ସାହାବ ଏ ବ୍ୟାପାର ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଫଉଜକୁ ଫୋନ କରି ନିଜର ବିପଦ ସମ୍ଭାବନା ଜଣାଇ ଦେଲେ । ତା’ର କିଛିକ୍ଷଣ ପରେ ପୋଲିସ ଆସି ଧରମୁକୁ ଗିରଫ କରିବାକୁ ଅଗ୍ରସର ହେଲେ । ହଠାତ୍‌ ଜନତା ମଧ୍ୟରେ ଚାଞ୍ଚଲ୍ୟତା ଦେଖାଗଲା । ସଙ୍ଗେ ସଙ୍ଗେ ଅସଂଖ୍ୟ ଧରମୁକୁ ମଝିରେ ରଖି ତା’ ଚାରିପାଖ ବେଢ଼ିଗଲେ, ଆଉ ଚିତ୍କାର କରି ଉଠିଲେ–‘‘ଫେରିଯାଅ–ଫେରିଯାଅ ଦସ୍ୟୁ, ଧରମୁକୁ ଆମେ କେବେହେଲେ ଛାଡ଼ିବୁ ନାହିଁ ।’’

 

ଠିକ୍‌ ଏତିକିବେଳେ ଧୂଳି ଉଡ଼ାଇ ଶହେ ଜଣ ସଙ୍ଗୀନଧାରୀ ଗୁର୍ଖା ସିପାହୀ ଧରି ହଜାରିବାଗରୁ ଦିଓଟି ଲରି ଆସି ପହୁଞ୍ଚିଗଲା । ଆଖି ପିଛୁଳାମାତ୍ରକେ ଅବସ୍ଥା ଭିନ୍ନ ରୂପ ଧାରଣ କଲା । ଜନତାକୁ ହଟିଯିବାପାଇଁ ଆଦେଶ ଦିଆଗଲା–କିନ୍ତୁ ଜନତା ସେ ଆଦେଶ ଗ୍ରାହ୍ୟ କଲାନାହିଁ, ଛିଡ଼ାହୋଇ ରହିଲା ଅଚଳ ଅଟଳହୋଇ । ପୁଣିଥରେ ସାବଧାନ ସଙ୍କେତ ଦିଆଗଲା; ମାତ୍ର ଉତ୍‌କ୍ଷିପ୍ତ ଜନତା ସେ ଭୟ ପ୍ରଦର୍ଶନକୁ ଭ୍ରୂକ୍ଷେପ ନ କରି ପୂର୍ବଠାରୁ ଦ୍ୱିଗୁଣ ଦମ୍ଭରେ ଅବିଚଳିତ ଭାବରେ ଛିଡ଼ାହୋଇ ରହିଲା । ସଙ୍ଗେ ସଙ୍ଗେ ଚାଲିଲା ଲାଠି । ଲାଠି ଓ ବନ୍ଧୁକ କୁନ୍ଦା ମାଡ଼ରେ ନିରୀହ ଅଶିକ୍ଷିତ ମୂକଜନତା ଅସ୍ତବ୍ୟସ୍ତ ଓ ବିକ୍ଷିପ୍ତ ହୋଇଗଲା । ଯେତେବେଳେ ପୋଲିସ ଫଉଜ ତାଙ୍କର ପଶୁବଳର ବୀରତ୍ୱ ଦେଖାଇ ସାରି ଦମ୍‌ ନେଲେ ସେତେବେଳକୁ ଧରମୁ ପ୍ରମୁଖ ସାତଜଣ ଶ୍ରମିକ ବନ୍ଦୀ । ଆଉ ରାମଦୀନ, ପ୍ରତାପସିଂହ, ଶଙ୍କରା ମଧୁଆ ଚାରୋଟି ଅଭିଶପ୍ତ ପ୍ରାଣୀ ରକ୍ତାକ୍ତ କଳେବରରେ ମାଟି କାମୁଡ଼ି ପଡ଼ିଛନ୍ତି ।

 

ସାହେବ ବାରନ୍ଦାରେ ଥାଇ ହାଃ ହାଃ କରି ହସିଉଠି କହିଲେ–‘‘କ୍ୟା ହୁଆ ଡରମୁ, ଡେଖା । ହାଃ-ହାଃ-ହାଃ’’

 

ସେହିଦିନ ଚାରିଟାବେଳର କଥା । ଟ୍ରେନ୍‌ ଟାଇମ୍‌ ହୋଇଯାଇଥାଏ । ଷ୍ଟେସନର ଅଦୂରରେ ଲୋକାରଣ୍ୟ । ପ୍ଳାଟଫର୍ମର ଚାରିପାଖ ସଙ୍ଗୀନଧାରୀ ଗୁର୍ଖା ସିପାହୀଗଣ ପହରା ଦେଉଥାଆନ୍ତି । ଗୋଟାଏ ତୃତୀୟ ଶ୍ରେଣୀ ଡବାରେ ଧରମୁ ଓ ତା’ର ସଙ୍ଗୀ ଛ’ଜଣ ଭର୍ତ୍ତି ହୋଇଛନ୍ତି–ହାତରେ ତାଙ୍କର ହାତକଡ଼ି ଗୋଡ଼ରେ ବେଡ଼ି । ଡବା ଭିତରେ ମଧ୍ୟ ପୋଲିସ ଫଉଜ । ରତନୀ ଧୀରେ ଧୀରେ ଯାଇଁ ପ୍ଳାଟଫର୍ମ ପାଖ ନିମ୍ୱଗଛ ତଳେ ଠିଆହେଲା ନୀରବରେ,–ତା’ର ପ୍ରାଣରେ ଯେ ଆଜି ପ୍ରବଳ ଝଡ଼ ତୋଫାନ ବୋହି ଚାଲିଛି । ସ୍ୱାମୀ ତା’ର ବିଦ୍ରୋହୀ ବନ୍ଦୀ ବେଶରେ । ସେ ଗୌରବମୟ ଯାତ୍ରୀର ଲଲାଟରେ ଜୟଟିକା ପିନ୍ଧାଇଦେବା ପାଇଁ କେହି ଆସିଲେ ନାହିଁ କି ଫୁଲହାର ଧରି ତା’ ନିକଟରେ ଛିଡ଼ାହେବାପାଇଁ କେହି ରହିଲେ ନାହିଁ । କେବଳ ରତନୀ ଆସିଛି ଏକ ଦୁଃଖର ଅଶ୍ରୁସାଗର ସଙ୍ଗରେ ନାଇ ! ସ୍ୱାମୀ ତା’ର ତା’ଆଡ଼କୁ ଚାହିଁଲାମାତ୍ରକେ ସେ ସାଗର ତା’ର ଉଦ୍ଦାମ ଚଞ୍ଚଳ ହୋଇଉଠିଲା । ଧରମୁ ତାକୁ ଇଙ୍ଗିତରେ କାନ୍ଦିବାକୁ ବାରଣ କରି ତା’ଆଡ଼କୁ ଚାହିଁ ରହିଲା ।

 

ଆଜି ଧରମୁ ତା’ର ଜୀବନର ବୁଝାମଣା ଏଇ ଶ୍ୟାମଳ ଭୂଇଁରେ ଶେଷ କରିଦେଇ ଯାଉଛି–କେତେଦିନ ପାଇଁ ସେ ଜାଣେ ନାହିଁ । ରତନୀକୁ ତା’ର ଅନେକ କଥା କହିବାର ଥିଲା–ରତନୀର ମଧ୍ୟ କହିବାର ଅନେକ ଥିଲା । କିନ୍ତୁ କେହି କାହାରିକୁ କିଛି କହିପାରିଲେ ନାହିଁ ଆଜି । ତାଙ୍କ ଭିତରେ ଆଜି ଯେ ଏକ ଅନନ୍ତ ବ୍ୟବଧାନ । ଧରମୁ ଏତେଦିନକେ ଆଜି ରତନୀକୁ ଟିକିଏ ଲକ୍ଷ୍ୟକରି ଦେଖିବାର ସୁଯୋଗ ପାଇଛି । ଏଥିମଧ୍ୟରେ ରତନୀର ରୂପର କି ଘୋର ପରିବର୍ତ୍ତନ ଘଟିଛି । ଆଜି ସେ ପାଞ୍ଚବର୍ଷ ଆଗର ବଧୂରୂପିଣୀ ସୁନ୍ଦରୀ ରତନୀ ନୁହେଁ । ‘ହୃଷ୍ଟପୁଷ୍ଟ ଅଙ୍ଗପ୍ରତ୍ୟଙ୍ଗରେ ତା’ର ଶିଥିଳତା ଦେଖାଦେଇଛି । ଗାଲ ଓ ଆଖି ଦିଓଟି ଭିତରକୁ ପଶିଯାଇଛି । ପଞ୍ଜରା ଓ ବେକର ହାଡ଼ ଉପରକୁ ବାରିହୋଇ ଦେଖାଯାଉଛି ।’ ରତନୀର ସେ ଶୀର୍ଣ୍ଣମୂର୍ତ୍ତି ଆଡ଼କୁ ଧରମୁ ଆଉ ଚାହିଁପାରିଲା ନାହିଁ । ନିଜପ୍ରତି ତା’ର ଏକ ବିରାଟ ଅସମ୍ମାନ ଆସିଗଲା–ସେ ଯେ ଏକ ଅକର୍ମଣ୍ୟ ପିଶାଚ । ତା’ର ନିଃଶ୍ୱାସରେ ଅମ୍ଳାନ କୁସୁମ ରତନୀ ମଧ୍ୟ ଅକାଳରେ ଝାଉଁଳି ପଡ଼ିଲା । କି ଅଧିକାର ତା’ର ଥିଲା ରତନୀର ପ୍ରାଣଟାକୁ ନେଇ ଏପରିଭାବରେ ଖେଳିବାକୁ ? କେତେଦିନ ହେଲା ପେଟପୂରା ମୁଠାଏ ଭାତ ମଧ୍ୟ ତାକୁ ଯୋଗାଇ ପାରିନାହିଁ । ସେହି ଧୈର୍ଯ୍ୟଶୀଳା ଦେବୀପ୍ରତିମା ରତନୀ ଅଧର ଫାଙ୍କରେ ଦିନେ ବୋଲି ତ ସେ ଏକ ହସର ରେଖା ଫୁଟାଇ ପାରିନାହିଁ ! କି ଅତ୍ୟାଚାର ! ଆଉ ରତନୀ, ଦୟାମୟୀ ରତନୀ ତା’ର ସଂସାରକୁ ଆସି କେବଳ ନୀଳକଣ୍ଠ ପରି ବିଷପାତ୍ର ଧରି ଚୁମ୍ୱନ ଦେଇଛି । ଏଥିପାଇଁ ଦାୟୀ କିଏ ? ଧରମୁ, ସେ ନିଜେ !’ ଆଉ ସେ ଭାବିପାରିଲା ନାହିଁ, କେବଳ ନୀରବରେ ରତନୀ ଆଡ଼କୁ ଚାହିଁ ପ୍ରାଣର ନିବେଦନ ତା’ର ଜଣାଇଗଲା, ଆଖିର କରୁଣ ଚାହାଣୀରେ । ରତନୀ ମର୍ମେ ମର୍ମେ ସେ ଅବ୍ୟକ୍ତ ଭାଷା ବୁଝିପାରିଲା, ପ୍ରାଣଟା ତା’ର ହାହାକାର କରି କାନ୍ଦି ଉଠିଲା । ଧରମୁ ଟିକିଏ ହସିଦେଇ ଦୁଃଖଟା ଗୋପନ କରିବାକୁ ଯାଇ ଧରାପଡ଼ିଗଲା ତା’ର ରତନୀ ପାଖରେ ।

 

ହଠାତ୍‍ ଗାର୍ଡ଼ସାହେବର ସିଟି ବାଜିଉଠିଲା । ନିର୍ଦ୍ଦୟ ଇଞ୍ଜିନଟା ଏକ ବିରାଟ ଚିତ୍କାର କରି ଧକ୍‌ଧକ୍‌ ହୋଇ ଆଗକୁ ଧାଇଁ ଚାଲିଲା–ବିଦ୍ରୋହୀ ବନ୍ଦୀଗଣଙ୍କୁ ତାଙ୍କର ପ୍ରିୟଜନମାନଙ୍କ ଦୃଷ୍ଟିରୁ ଅନ୍ତର କରି । ରତନୀ ‘ହାୟ ହାୟ’ କରି ସେହି ନିମ୍ୱଗଛ ମୂଳେ ହତଜ୍ଞାନ ହୋଇ ଖସିପଡ଼ିଲା । ଜନତା ଆଖିତଳେ ଅଶ୍ରୁଧରି ନିଜ ନିଜ ଘରକୁ ଫେରିଗଲା ।

 

ଧରମୁ ରେଲ ଡବା ଭିତରେ ବସି ଝରକା ଦେଇ ବାହାରକୁ ଚାହିଁ ସେହି ଗୃହାଭିମୁଖୀ ନିରୀହ ଅଶିକ୍ଷିତ ମୂକଜନତା ଆଡ଼କୁ ଚାହିଁ ରହିଥିଲା । ଇଞ୍ଜିନଟା ଧାଇଁ ଧାଇଁ ଆସି କାଳ ନଦୀର ପୋଲ ଉପରେ ପଡ଼ି ଦ୍ୱିଗୁଣ ଶବ୍ଦ କରିଉଠିଲା । ହଠାତ୍‌ ଧରମୁର ଦୃଷ୍ଟି ଯାଇ ପଡ଼ିଲା ସେଇ ପଳାଶ ଗଛଟା ଉପରେ—ଯାହାରି ମୂଳରେ ସେ ତା’ର ରକ୍ତମାଂସର ପ୍ରତିନିଧିକୁ କେଇ ହାତ ମାଟି ତଳେ ସାଇତି ରଖିଛି ! ସେଇ ଗଛର ନାଲି ନାଲି କେଇଟା ସୁନ୍ଦର ଫୁଲଆଡ଼କୁ ଚାହିଁ ଆଖିରୁ ତା’ର ଝରଝର ହୋଇ ଲୁହ ଖସିପଡ଼ିଲା । କ୍ରମେ କ୍ରମେ ତା’ର ପରିଚିତ ସ୍ଥାନ ସବୁ ଗୋଟି ଗୋଟି ହୋଇ ତା’ର ଆଖି ଆଗରୁ ଲୁଚିଗଲା । ଏଣିକି ଗୋଟିଏ ଗୋଟିଏ ହୋଇ ତା’ର ଅତୀତ ଜୀବନର ଘଟଣାବଳୀ ତା’ ସମ୍ମୁଖରେ ନାଚି ଉଠିଲା ! ଖୋର୍ଦ୍ଧାର ସେଇ ପଲ୍ଲୀ ଗାଁ—ତରାବୋଇ । ଛୋଟ କୁଡ଼ିଆ ଖଣ୍ଡିକରେ ଶୈଶବ ତା’ର କଟାଇଥିଲା—ବାପମା’ଙ୍କୁ ହରାଇ ଏକୁଟିଆ ହୋଇ । ପିଲାଦିନେ ତରାବୋଇରେ ସେଇ ଫଗୁ ଖେଳ ଆଉ ଦିଅଁ ମେଳନ ଏବେ ସୁଦ୍ଧା ତା’ର ସ୍ପଷ୍ଟ ମନେଅଛି । ଯେମିତି ଟିକିଏ ବଡ଼ ହେଲା, ସତ୍ୟବାଦୀ ମଉସା ଘରକୁ ତା’ର ଚାଲି ଆସିଲା । ସେଇଠି ସତ୍ୟବାଦୀର ବକୁଳବନ ଆଶ୍ରମରେ ରହି ଟିକିଏ ଶିକ୍ଷାଦୀକ୍ଷା ଲାଭ କରିଥିଲା । ମଉସା ତା’ର ପାଖଗାଁ ଗବକୁଣ୍ଡର ଏକ ଦରିଦ୍ର ଖଣ୍ଡାୟତ ବଂଶର କିଶୋରୀ କନ୍ୟା ସହିତ ତାକୁ ହାତକୁ ଦି’ହାତ କରି ଦେଇଥିଲେ । ତା’ପରେ ଉତ୍କଳମଣି ଗୋପବନ୍ଧୁଙ୍କ ସହ ସେ ଆସିଲା ସିଂହଭୂମି ସମ୍ମିଳନୀ ପ୍ରେସକୁ ଦପ୍ତରୀ ହୋଇ । କିନ୍ତୁ ନିୟତି ଯେ ତାକୁ ‘କୁଲି’ କରି ପୃଥିବୀକୁ ପଠାଇଥିଲା । ଗୋପବନ୍ଧୁ ଗଲେ । ସମ୍ମିଳନୀ ପ୍ରେସ ଗଲା । ଶେଷରେ ସେ ବୁଲିବୁଲି ଗୁଆ ଲୁହା ଖଣିରେ କାମପାଇ ହେଲା କୁଲି ।

 

କୁଲିଗିରି କରିବାକୁ ତା’ର ମୂଳରୁ ଆପତ୍ତି ନ ଥିଲା ବା କୁଲିଗିରିକୁ ସେ ଆଦୌ ଅସମ୍ମାନ କରୁନଥିଲା । କେବଳ ଅବିଚାର ଅତ୍ୟାଚାର ଉପରେ ଯେଉଁ ପ୍ରତିଷ୍ଠାନର ମୂଳଦୁଆ ଠିଆ, ସେଇଟାକୁ ସେ କେବେହେଲେ ଭଲ ଦୃଷ୍ଟିରେ ଦେଖିପାରିନାହିଁ । ତେଣୁ ସେ ତା’ର କର୍ତ୍ତୃପକ୍ଷକୁ କେବେହେଲେ ସନ୍ତୁଷ୍ଟ କରିପାରି ନାହିଁ । ମେନେଜର ଯେତେବେଳେ କୋଟ ପେଣ୍ଟଲୁନ୍‌ ପିନ୍ଧି ମଟରରେ ବସି ଧୂଳି ଉଡ଼ାଇ ପହୁଞ୍ଚି ଯାଆନ୍ତି, ଗଣ୍ଡାକୁଗଣ୍ଡା ସିଗାରେଟ୍‍, ନିଆଁ ଲଗାଇ ପାଉଁଶ କରି ଦିଅନ୍ତି,—ଧରମୁ ସେତେବେଳେ ଭାବେ, କେଉଁ ଅଧିକାର ନେଇ ଏ ମେନେଜର ତାଙ୍କ ଉପରେ ଆଧିପତ୍ୟ ଓ ଅତ୍ୟାଚାର କରିବସନ୍ତି । ଖାଦାନ ଆଉ କଳଘର ତ ଚାଲୁଛି କେବଳ ତାଙ୍କର ପରିଶ୍ରମ ଉପରେ ନିର୍ଭର କରି । ତା’ହେଲେ ଏଇ ମେନେଜର ବା ତାଙ୍କର ମାଲିକ, ଆଉ ଏହି ଶ୍ରମିକ କୁଲି-ୟାଙ୍କ ମଧ୍ୟରେ ମଣିଷ ହିସାବରେ ଅଧିକାର ସମାନ ହୁଏ ନାହିଁ କାହିଁକି ? ସେହି ଚିନ୍ତାହିଁ ତାକୁ ଆଜି ଏ ବେଶରେ ସଜାଇ ଦେଇଛି । ସେ ଆଜି ବିପ୍ଳବୀ ବନ୍ଦୀ । ତା’ର ଯୌବନର ସ୍ୱପ୍ନଟା କେବଳ ବ୍ୟର୍ଥପ୍ରେମ ଭିତରେ ଲିଭିଯାଇ ନାହିଁ । ତା ଭିତରେ ଅନେକ କଳ୍ପନା ଭରି ରହିଥିଲା । ଏଣେ ରତନୀ,—ତା ପାଇଁ ଯେ ନିଜକୁ ରିକ୍ତ କରି ଦାଣ୍ଡରେ ଆସି କାଙ୍ଗାଳିନୀ ବେଶରେ ଛିଡ଼ାହେଲା—ତାକୁ ବି ସେ ପ୍ରାଣ ଦେଇ ଭଲ ପାଇଛି ! —ଶ୍ରଦ୍ଧା କରିଛି । ଆଜି ବିଦାୟ ଦିନରେ ସେ ସେହି ଅଚ୍ଛେଦ୍ୟ ପ୍ରେମର ସ୍ମୃତିଟାକୁ କୌଣସି ପ୍ରକାରେ ପାସୋରି ପାରୁନାହିଁ । ଦୀର୍ଘନିଃଶ୍ୱାସଟାଏ ପକାଇ ସେ ତା’ର ବନ୍ଦୀ ବନ୍ଧୁମାନଙ୍କଆଡ଼କୁ ଚାହିଁ ଟିକିଏ ହସିଦିଏ, ମାତ୍ର ହସଟା ତା’ର ବିକୃତ ହୋଇ ପଦାକୁ ବାହାରି ପଡ଼େ ।

 

ରତନୀର ଯେତେବେଳେ ଚେତନା ଆସେ—ସେ ଦେଖେ—ସେ ତା’ର ଭଙ୍ଗା କୁଡ଼ିଆଟିରେ ଶୋଇଛି, ତା’ ମୁଣ୍ଡ ପାଖକୁ ହରିବୋଉ ବସି ପଙ୍ଖା କରୁଛି । ଗୋଟି ଗୋଟି ହୋଇ ଦିନଟାଯାକ ସବୁକଥା ତା’ର ମନେ ପଡ଼ିଯାଏ । ସେତେବେଳେ ସମ୍ମୁଖରେ ସେହି ଠିକାଦାର ବଙ୍ଗଳାଆଡ଼ୁ ସଙ୍ଗୀତର ତାନ ଭାସିଆସେ—ତା’ର ଭଙ୍ଗାକୁଡ଼ିଆଆଡ଼କୁ । ସେ ମନେ ମନେ କହିଉଠେ–‘ଓଃ କି ପାଷାଣ, କି ନିର୍ଦ୍ଦୟ ! ଆଜି ଦିନକପାଇଁ ହେଲେ ତୋର ଏ ଆନନ୍ଦର ଗୀତିସୁର ପରିବର୍ତ୍ତରେ ଗୋଟିଏ କରୁଣ ରାଗିଣୀ ବଜାଇ ଦେ ଭଲା !’ ହଠାତ୍‌ ସେହି ବଙ୍ଗଳା ଭିତରୁ ଖୋକାର ଦୋରଟିଭାଷାର ମଧୁରସୁର ଭାସିଆସେ—‘ମା’ ‘ମା’ । —ରତନୀ ଛାତିଟାକୁ ଖୁବ୍‌ ଜୋରରେ ଚିପିଧରି କାନ୍ଦିଉଠେ–‘ମୋ ନିଧିରେ—ମୋ ସଙ୍ଖାଳିରେ !’ ହରିବୋଉ ତାକୁ ସାନ୍ତ୍ୱନା ଦେବାକୁ ବ୍ୟର୍ଥ ଚେଷ୍ଟା କରି ନିଜେ କାନ୍ଦି ପକାଏ ।

 

କିଛିକ୍ଷଣ ପରେ ରତନୀ ନିଜକୁ ସମ୍ଭାଳି ନେଇ ଥିର ହୋଇ ହରିବୋଉକୁ ଦଣ୍ଡେ ଚାହିଁରହି କ’ଣ ଭାବିଲା—ପୁଣି ଆଖିବୁଜି ଛିଣ୍ଡା ପଟିଆ ଖଣ୍ଡିକରେ ଗଡ଼ିପଡ଼ିଲା । ହରିବୋଉ ତାକୁ ବୃଥା ସାନ୍ତ୍ୱନା ଦେବାକୁ ଯାଇ କ୍ରମେ ନିଜେ ଅଧୀର ହୋଇପଡ଼ିଲା । ତା’ର ପାରିଲା ପୁଅ ଯେ ଆଜିକୁ ଦି ଦିନ ହେଲା ଅଦୃଶ୍ୟ ହୋଇଯାଇଛି । କିଛିକ୍ଷଣ ପରେ ସେ ଆଖିପୋଛି ଉଠି ଛିଡ଼ାହେଲା-। ଆଉ ରତନୀର କଂସାଖଣ୍ଡିକ ନେଇ ତା’ ଘରୁ ଭାତ ଦିଟା ଆଣିବାକୁ ଚାଲିଗଲା । ହରିବୋଉ ଯେମିତି କଂସାଟି ନେଇ ତା’ କୁଡ଼ିଆଆଡ଼କୁ ଚାଲିଯାଇଛି—ରତନୀ ଧୀରେ ଧୀରେ ଘରୁ ପାଦ କାଢ଼ି ସେଇ ମେଘ ଅନ୍ଧାର ଭିତରେ ଲୁଚିଯାଇ ଧାଇଁଗଲା—କାଳନଦୀର କୂଳଆଡ଼କୁ-

 

ସେତେବେଳେ ଚତୁର୍ଦ୍ଦିଗ ଗାଢ଼ ଅନ୍ଧକାରାଚ୍ଛନ୍ନ । ଗଭୀର ରାତ୍ରି । କିଛିକ୍ଷଣ ପୂର୍ବରୁ ହତଭାଗ୍ୟଗଣଙ୍କର ଶୋକଦୁଃଖରେ ସହାନୁଭୂତି ଦେଖାଇବାକୁ ଯାଇ ପ୍ରକୃତିଦେବୀ ଝଡ଼ବର୍ଷା ରୂପରେ ବୋହି ଯାଇଥାଆନ୍ତି । କାଳ ନଦୀର ଗୋଳିଆପାଣି ଫୁଲି ଫୁଲି ଉଠି ଧାଇଁ ଯାଉଥାଏ । ରତନୀ ନୀରବରେ ଯାଇ ଛିଡ଼ାହେଲା ତାରି କୂଳରେ । ସମ୍ମୁଖରେ ରେଲପୋଲ ତଳେ ବୀର ସହିଦ୍‌ମାନଙ୍କର ଚିତାନଳ ହୁତୁ ହୁତୁ ହୋଇ ଜଳି ଉଠୁଥିଲା—ଯେଉଁଠି ତା’ର ଦେଢ଼ବର୍ଷର ଆଦରର ଧନ ପ୍ରଥମ ସହିଦ୍‌ ଧରଣୀ କୋଳରେ ଚିରଦିନ ପାଇଁ ଶାନ୍ତିରେ ଶୋଇଛି । ପାଦତଳ ତା’ର ସମସ୍ତ ପୃଥିବୀଟା ଯେପରି ଟିକିଏ ଟିକିଏ ହୋଇ ତଳକୁ ଦବିଗଲା । ସେ ଆଉ ଠିଆ ହୋଇପାରିଲା ନାହିଁ—ସେଇଠି ଖସିପଡ଼ିଲା । ପରଦିନ ସକାଳୁ ହରିବୋଉଠାରୁ ଖବର ପାଇ କେତେଜଣ ରତନୀକୁ ଖୋଜି ଖୋଜି ଆସି କାଳନଦୀକୂଳରେ ଦେଖନ୍ତି—ଝାମ୍ପୁରା ବରଗଛ ଡାଳରେ ପିନ୍ଧିଲା ଶାଢ଼ିଟି ବେକରେ ବାନ୍ଧି ଓହଳିଛି—‘ରତନୀ’ !

Image